-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
22-Jan-2021
ବଲାଙ୍ଗୀର, (ପ୍ରେରଣା ଖବର ବ୍ୟୁରୋ) : ଅନିର୍ଦ୍ଧିଷ୍ଟ କାଳ ଅନ୍ଦୋଳନରେ ବସିଛନ୍ତି ଚାଷୀ l ଶୀତ କାକରରେ ଚାତକ ପରି ଚାହିଁ ବସିଛନ୍ତି କେବେ ବିକ୍ରି ହେବ ନିଜ କଷ୍ଟ ଉପାର୍ଜିତ ଧାନ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ବେଲପଡା ବ୍ଲକ୍ ଯୁବା ସମବାୟ ସମିତିରେ। ସପ୍ତାହରୁ ଅଧିକ ଦିନ ବିତିଗଲାଣି ସମବାୟ ସମିତିରେ ଖୋଲି ଥିବା ମଣ୍ଡିରେ କ୍ୟୁଣ୍ଟାଲ କ୍ୟୁଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡେ ରହିଛି। ଏହି ଧାନକୁ ବିକିବା ପାଇଁ ଶୀତ କାକରରେ ସପ୍ତାହେ ହେଲାଣି ଧାରଣରେ ପଡି ରହିଛନ୍ତି ଚାଷୀ। ଏପରି କିଛି ଚାଷୀଙ୍କ ଟୋକନ ଅବଧି ସମୟ ସୀମା ସରି ଯାଇଛିl ଏମିତି ଅବସ୍ଥାରେ ମୁଣ୍ଡରେ ହାତ ମାରି ବସିଛି ଯୁବା ଅଞ୍ଚଳର ଚାଷୀ। ହେଲେ ଏଥିପ୍ରତି ପ୍ରଶାସନର ନିଘା ନାହିଁ।
ପ୍ରଶାସନିକ ଉଦାସିନତାରେ ବହୁ ଚାଷୀ ଧାନର ଅଭାବୀ ବିକ୍ରି ଶିକାର ହେବା ସହ ଶହ ଶହ ଧାନ ମାଛ ଦରରେ ଦଲାଲ ହାତରେ ଟେକି ଦେବାକୁ ବାଧ୍ୟ ହେଉଛନ୍ତି। ଏନେଇ ପେକ୍ସ କର୍ମଚାରୀଙ୍କୁ ପଚାରିଲେ ଉପରିସ୍ଥ ସମସ୍ତ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି l ହେଲେ ମଣ୍ଡି ଭିତରେ ଓ ବାହାରେ ପଡି ରହିଥିବା ଚାଷୀଙ୍କ ଧାନ କିପରି ଜଲଦି ଉଠି ପାରିବ ସେ ନେଇ କୌଣସି ସ୍ପଷ୍ଟ ଉତ୍ତର ନାହିଁ। ତେବେ ଯୁବା ସମବାୟ ସମିତି ଧାନ ନ କିଣିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଚାଷୀ। ସେପଟେ ଏନେଇ ଯୋଗାଣ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷେ ଧାନ କିପରି ମଣ୍ଡିରେ ବିକିବେ ସେ ନେଇ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବା ଜରୁରୀ ହୋଇ ପଡ଼ିଛିl