-+91-9937148622 |
prerana_bgr@rediffmail.com |
Thursday 10th September 2026 |
R.N.I. Regd No. ODIODI/2010/46693
Breaking News
01-Jun-2025
ବଲାଙ୍ଗୀର(ପ୍ରେରଣା ଖବର) ସରକାରୀ ଜାଗା ଓ ରାସ୍ତାକୁ କିଛି ଲୋକଙ୍କ ଜବରଦଖଲ ଯୋଗୁଁ ପଡାରେ ଡ୍ରେନେଜ୍ ସମସ୍ୟା ଉତ୍କଟରୂପ ଧାରଣ କରିଛି । ଏପରିକି ଡ୍ରେନର ପାଣି ରାସ୍ତାରେ ବୋହୁଥିବା ମଧ୍ୟ ଦେଖାଯାଇଥାଏ । ପ୍ରକ୍ ମୌସୁମୀରେ ବର୍ଷାରେ ଯଦି ଏମିତି ଅବସ୍ଥା ତେବେ ବର୍ଷା ମାସରେ ଏହି ଅଂଚଳର ଅବସ୍ଥା କଣ ହେବ ତାହାକୁ ନେଇ ପଡାବାସୀ ଚିନ୍ତାରେ ରହିଛନ୍ତି । ପରିମଳ ଓ ରାସ୍ତାଘାଟର ଏପରି କିଛି ଚରମ ଅବ୍ୟବସ୍ଥା ଦେଖିବାକୁ ମିଳିଛି ବଲାଙ୍ଗୀର ମୁନିସିପାଲିଟି ୱାର୍ଡ ନମ୍ବର ୩ ଡୁଙ୍ଗୁରିପଡା ନିକଟସ୍ଥ ଶିବଶକ୍ତି ନଗରରେ । ବଲାଙ୍ଗୀର ସହର ଭିତରେ ଯଦି ଅବସ୍ଥା ଏପରି ତେବେ ଉପାନ୍ତ ଅଂଚଳରେ ଲୋକେ କିପରି ରହୁଥିବେ ତାହା ବିଶେଷ ଅନୁମେୟ । ଳୋକଙ୍କ ଅଭିଯୋଗରୁ ପ୍ରକାଶ ଯେ, କଲେଜ ଛକ ରାସ୍ତାର ପାଣି ଏ ଅଂଚଳକୁ ପ୍ରବେଶ କରୁଛି। ଶିବଶକ୍ତି ନଗରରେ ଏକ ବିରାଟ ଫ୍ଲାଟ ନିର୍ମାଣ ହେଉଛି। ଏହି ଫ୍ଲାଟର ସବୁ ପାଣି ନାଳରୁ ଯାଇ ରାସ୍ତାରେ ବୋହୁଛି। ଅଧିକାଂଶ ନାଳ ଅବରୋଧ ହୋଇସାରିଛି। ନାଳ ସବୁ ଅବରୋଧ ହୋଇଥିବା ଯୋଗୁଁ ଅସରାଏ ବର୍ଷା ହେଲେ ଶିବଶକ୍ତି ନଗରରେ ରାସ୍ତାରେ ନଦୀ ପରି ପାଣି ଲହଡି ମାରିଥାଏ। ବର୍ଷା ହେଲେ ଏଠାକାର ଲୋକେ ଏକ ପ୍ରକରର ଜଳବନ୍ଦୀ ହୋଇ ରହିଯାଆନ୍ତି l ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ଏଠାରେ ପୂର୍ବରୁ ଛୋଟିଆ କେନାଲ ଟିଏ ଥିଲା ଯେଉଁଥି ପାଇଁ ଏଠାକାର ପାଣି ସବୁ ନିସ୍କାସନ ହୋଇଯାଉଥିଲା । ଏହି କେନାଲଟି ବର୍ତ୍ତମାନ ଜବରଦଖଲକାରୀଙ୍କ କବଳରେ ରହିଥିବା ଯୋଗୁଁ ଏହି ପଡାରେ ଡ୍ରେନେଜ ସମସ୍ୟା ଦେଖାଦେଇଛି । ଏନେଇ ପଡାବାସୀ ସ୍ଥାନୀୟ କାଉନସିଲର ଠାରୁ ଆରମ୍ଭ କରି ମୁନିସିପାଲିଟି ପୌରାଧ୍ୟକ୍ଷା ଓ ବଲାଙ୍ଗୀର ବିଧାୟକଙ୍କୁ ମଧ୍ୟ ଅଭିଯୋଗ କରିସାରିଲେଣି । କିନ୍ତୁ ଆଜି ପର୍ଯ୍ୟନ୍ତ ଶିବଶକ୍ତି ନଗରବାସୀ ପ୍ରତିଶୃତି ଛଡା କିଛି ପାଇ ନାହାନ୍ତି । ଆଗକୁ ଏହି ପଡାର ଡ୍ରେନେଜ ସମସ୍ୟା ନ ସୁଧୁରିଲେ ପଡବାସୀ ମୁନିସିପାଲିଟି ଅଫିସ ସମ୍ମୁଖରେ ଧାରଣା ଦେବା ବୋଲି ଚେତାବନୀ ଦେଇଛନ୍ତି । ନିଜର ମୌଳିକ ଅଧିକାରରୁ ବଂଚିତ ଥିବା ଏହି ଅଂଚଳର ଅସନ୍ତୋଷ ପୁରୁଷ ଓ ମହିଳା ମାନେ ଏବେ ଆନ୍ଦୋଳନ ମୁହାଁ ହେବାକୁ ବାଧ୍ୟ ହୋଇଛନ୍ତି l ଜିଲ୍ଲା ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ ସ୍ଥାନୀୟ ଅଧିବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବଲାଙ୍ଗୀର ମୁନିସିପାଲିଟି ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି ।