-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
12-Nov-2024
ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ରେ ବିଭିନ୍ନ ଦେବୀପୀଠରେ କଳାସୀ ଯାତ୍ରା ବହୁ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳରେ ମଙ୍ଗଳା କୁଠି,କଳାସୀ କୁଠି,ରୁଢିଘର ଗୁଡିକରେ ପୁରାତନ ପୂଜା ପଦ୍ଧତି ଓ ଲୋକ ସଂସ୍କୃତି ପରାମ୍ପରା ସ୍ପଷ୍ଟ ବାରି ହୋଇଥାଏ। କାର୍ତ୍ତିକ ମାସରେ ଏକାଦଶୀ ତିଥି ତଥା ପଞ୍ଚୁକ ସମୟରେ ଏହି ପର୍ବ ବୀରମହାରାଜପୁର ଅଞ୍ଚଳରେ ପାଳିତ ହୋଇଥାଏ। ତାହା କଲାସୀ ଯାତ୍ରା ନାମରେ ପରିଚିତ। ଏହି ଦିନ ଦେବତା କୈଳାସ ଯାତ୍ରା କରୁଥିବାରୁ ଏହାର ନାମ କଳାସୀ ଯାତ୍ରା କରାଯାଉଥିବା ବିଶ୍ଵାସ ରହିଛି। ଯାତ୍ରା ର କିଛି ଦିନ ଆଗରୁ କଳାସୀ କୁଠିକୁ ପରିଷ୍କାର ପରିଚ୍ଛନ୍ନ କରାଯାଇ ଆବଶ୍ୟକ ସ୍ଥଳେ ଗୋବର,ମାଟି, ଚୂନ ଲିପି ମଙ୍ଗଳା ଙ୍କ ସମତେ ଠାକୁରାଣୀ, ହନୁମାନ, ଦୁର୍ଗା,ସାତ ବହନୀ ପ୍ରମୁଖ ଦେବଦେବୀ ଙ୍କ ଚିତ୍ର ଅଙ୍କନ କରାଯାଇଥାଏ। ଦଶମୀ ତିଥିରେ ସନ୍ଧ୍ୟା ରେ ନିକଟସ୍ଥ ଶୈବପୀଠ ରୁ ସମସ୍ତ ଦେବାଦେବୀ ଙ୍କୁ ଅଧିଆ ପଡି ଦେଉଳ ବରା ବା ବରମଣା କରାଯାଇଥାଏ। ତା ପରଦିନ ଅର୍ଥାତ ଆଜି ଏକାଦଶୀ ତିଥିରେ ଏହି ଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଯାତ୍ରା ର ଆକର୍ଷଣ ହୋଇଥାଏ ଧୁନକେଳୀ ବାଦ୍ୟ। ଏଥିରେ ବରୁଆ ଙ୍କ ଦେହରେ କଳାସୀ ଲାଗିବା ସହ ଭକ୍ତଙ୍କ ଗୁହାରି ଶୁଣିଥିଲେ। କଳାସୀ ପୀଠରୁ ଆରାଧ୍ୟା ଦେବୀ ବାହାରି ଗ୍ରାମ ପରିକ୍ରମା କରି ଗାଁ ମୁଣ୍ଡ ରେ ଥିବା ପୀଠରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ କଳସୀ ବୁଡା କାର୍ଯ୍ୟକ୍ରମ ହୋଇଥିଲା । ଯାତ୍ରା ପରଦିନ ମା ଘରେ ଘରେ ପୂଜା ପାଇଁ ନଗର ପରିକ୍ରମା କରିଥାନ୍ତି। ଲାତୁରପେଟ, ଚମ୍ପାମାଲ,ଝାକୁମୁଡା, ବାଗବର,ନୁଆଁଗଡ, ଜଟେସିଂହା, ତେନ୍ତୁଳିମହଦା,ମୁର୍ଷୁଣ୍ଢୀ, ସୁବଳୟା,ସୁନାରୀବେର୍ଣି ଓ କମିରା ପ୍ରଭୁତି ଗ୍ରାମରେ କଳାସୀ ଯାତ୍ରା ଅନୁଷ୍ଠିତ ହୋଇଥିବା ଜଣାଯାଇଛି । ଏହି ଅବସରରେ ବିଭିନ୍ନ ଗ୍ରାମରେ ଦିନବେଳା ରାମାୟଣ ପାରାୟଣ ଓ ରାତିରେ ଦଣ୍ଡ ନାଚ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏଥିରେ ଅଞ୍ଚଳର ବହୁ ଜନସାଧାରଣ ସମାଗମ ହୋଇଥିବା ଦେଖିବାକୁ ମିଳିଛି।