-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2024
ଭାରତୀୟ ମାନକ ବ୍ୟୁରୋ, ଭୁବନେଶ୍ୱର ଶାଖା ଆନୁକୂଲ୍ୟରେ ସମ୍ବଲପୁର ସ୍ଥିତ ୱେଲକମ୍ ରିସୋର୍ଟରେ ମାନକ ବ୍ୟୁରୋ କ୍ଲବର ମାର୍ଗଦର୍ଶକ ଶିକ୍ଷକ ଓ ବିଜ୍ଞାନ ଶିକ୍ଷକଙ୍କ ନିମନ୍ତେ ଦ୍ଵିଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୀପ ପ୍ରଜ୍ଜ୍ୱଳନ ଓ ସରସ୍ଵତୀ ବନ୍ଦନା ଗାନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ଭାରତୀୟ ମାନକ ବ୍ୟୁରୋ ଭୁବନେଶ୍ୱର ଶାଖାର ନିର୍ଦ୍ଦେଶକ ବୈଜ୍ଞାନିକ ଅକ୍ଷୟ କୁମାର ପୁରୋହିତ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରମୁଖ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଭାରତୀୟ ମାନକ ବ୍ୟୁରୋ ଭୁବନେଶ୍ୱର ଶାଖାର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦୀପକ ପାତ୍ର , ମାନକ ପ୍ରୋତ୍ସାହନ ପରାମର୍ଶଦାତା ଶ୍ରୀମତି
ରଜନୀ ପନୱାର,ମାନକ ପ୍ରୋତ୍ସାହନ ଅଧିକାରୀ ଶ୍ରୀଯୁକ୍ତ ସ୍ୱାପିନାଲ ପ୍ରତାପ ଉପସ୍ଥିତ ଥିଲେ।ଶ୍ରୀମତି ରଜନୀ ପନୱାର ସ୍ବାଗତ ଭାଷଣ ସହ ପ୍ରଶିକ୍ଷଣର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ବିଭିନ୍ନ ଅଧିବେଶନର କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଭାରତୀୟ ମାନକ ବ୍ୟୁରୋ ଭୁବନେଶ୍ୱର ଶାଖାର ନିର୍ଦ୍ଦେଶକ ବୈଜ୍ଞାନିକ ଅକ୍ଷୟ କୁମାର ପୁରୋହିତ ଭାରତୀୟ ମାନକ ବ୍ୟୁରୋର କାର୍ଯ୍ୟକଳାପ ଉପରେ ଏକ ସମୀକ୍ଷା ଉପସ୍ଥାପନ କରିଥିଲେ। ଯେଉଁଥିରେ ମାନକର ପ୍ରୋତ୍ସାହନ ସମ୍ବନ୍ଧୀୟ ମାନକୀକରଣ , ସାର୍ଟିଫିକେସନ ସ୍କିମ, ପରୀକ୍ଷା ଏବଂ ପ୍ରଶିକ୍ଷଣ ଅନ୍ତର୍ଭୁକ୍ତ ଥିଲା। ବୈଦ୍ୟୁତିକ ପ୍ରେସର କୁକର ଉପରେ ଏକ ପାଠ୍ୟ ଯୋଜନା ପ୍ରଦର୍ଶନ କରି ସେ ମାନକ ମାଧ୍ୟମରେ ବିଜ୍ଞାନ ଶିକ୍ଷାର ଧାରଣା ଏବଂ ଏହାର କାର୍ଯ୍ୟକାରୀ ପଦ୍ଧତି ବିଷୟରେ ଆଲୋଚନା କରିଥିଲେ।ଆମ ଦୈନନ୍ଦିନ ଜୀବନ ପାଇଁ ମାନକର ଗୁରୁତ୍ବ, ବିଜ୍ଞାନର ଭୂମିକା ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଜ୍ଞାନ ଶିକ୍ଷାର ମୂଲ୍ୟ ଅନ୍ତର୍ଭୁକ୍ତ କରି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟକୁ ରେଖାଙ୍କିତ କରିଥିଲେ।
ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ମାନକ ମାଧ୍ୟମରେ ବିଜ୍ଞାନ ଶିକ୍ଷା ପ୍ରଦାନ ତଥା ବିଭିନ୍ନ ଉତ୍ପାଦମାନଙ୍କର ମାନକ ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରିବା ନିମନ୍ତେ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ବରଗଡ଼, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ,ଝାରସୁଗୁଡ଼ା ଏବଂ ସୋନପୁର ଜିଲ୍ଲାର ୬୫ ଜଣ ମାନକ ବ୍ୟୁରୋ କ୍ଲବର ମାର୍ଗ ଦର୍ଶକ ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ତାଲିମ ନେଇଥିଲେ।ଉପସ୍ଥିତ ପ୍ରଶିକ୍ଷାର୍ଥୀମାନଙ୍କୁ ୧୦ ଟି ଗୋଷ୍ଠୀରେ ବିଭକ୍ତ କରି ଏକ ଗୋଷ୍ଠୀ କାର୍ଯ୍ୟକଳାପ କରାଯାଇଥିଲା। ପ୍ରତ୍ୟେକ ଗୋଷ୍ଠୀ ବିଜ୍ଞାନ ଶିକ୍ଷାରେ ମାନକକୁ ସମନ୍ୱିତ କରିବାର ଅଭିନବ ଉପାୟ ପ୍ରଦର୍ଶନ କରି ସିମେଣ୍ଟ,ହେଲମେଟ, ଥର୍ମୋଫ୍ଲାସ୍କ୍, ଏଲପିଜି ଗ୍ୟାସ ସିଲିଣ୍ଡର,ଇଟା , ଗ୍ରାଇଣ୍ଡର, ଟାୟାର ଇତ୍ୟାଦି ଉତ୍ପାଦଗୁଡ଼ିକର ପାଠ୍ୟ ଯୋଜନା ପ୍ରସ୍ତୁତ କରି ଉପସ୍ଥାପନ କରିଥିଲେ। ଶିକ୍ଷକମାନଙ୍କର ବୁଝାମଣାକୁ ଆହୁରି ସୁଦୃଢ କରିବା ପାଇଁ ଏବଂ ସେମାନଙ୍କର ବିଭିନ୍ନ କ୍ଷେତ୍ରରେ ମାନକର ପ୍ରଯୋଗ ବିଷୟରେ ଅଭିଜ୍ଞତା ଏବଂ ଅତିରିକ୍ତ ଅନ୍ତର୍ଦୃଷ୍ଟି ହାସଲ କରିବା ପାଇଁ ହିଣ୍ଡାଲକୋ ଇଣ୍ଡଷ୍ଟ୍ରି ଲିମିଟେଡ,ସମ୍ବଲପୁର
ପରିଦର୍ଶନ କରାଯାଇଥିଲା।
ମାନକ ମାଧ୍ୟମରେ ବିଜ୍ଞାନ ଶିକ୍ଷା କାର୍ଯ୍ୟକ୍ରମ ଏକ ଉତ୍ସାହଜନକ ସଫଳତା ଥିଲା ଯାହା ଅଂଶ ଗ୍ରହଣକାରୀମାନଙ୍କୁ ବହୁମୂଲ୍ୟ ଜ୍ଞାନ ଏବଂ ବ୍ୟବହାରିକ ଉପକରଣ ସହିତ ସେମାନଙ୍କ ଶିକ୍ଷାଦାନ ପ୍ରଣାଳୀରେ ମାନକକୁ ଅନ୍ତର୍ଭୁକ୍ତ କରିଥିଲା ଯାହାଦ୍ବାରା ସେମାନଙ୍କ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଅଭିଜ୍ଞତାକୁ ସମୃଦ୍ଧ କରାଯାଇପାରିବ। ପରିଶେଷରେ ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।