-+91-9937148622 |
prerana_bgr@rediffmail.com |
Monday 9th March 2026 |
R.N.I. Regd No. ODIODI/2010/46693
Breaking News
02-Jul-2024
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)-ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ବୈଦୁପାଲି ପଞ୍ଚାୟତ ଅନ୍ତର୍ଗତ ଲରିଆବାହାଲ ଗ୍ରାମରେ ଥିବା ସେମେଲ ବନ୍ଧର ମାଟିକାମରେ ମହା ଦୂର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଉକ୍ତ ଗ୍ରାମରେ ଥିବା ଏକମାତ୍ର ପୋଖରୀ ସେମେଲ ବନ୍ଧ ଉପରେ ୪ୱାର୍ଡ ବିଶିଷ୍ଟ ଗ୍ରାମବାସୀ ନିର୍ଭର କରିଆସୁଥିଲେ । ବିଗତ କିଛି ବର୍ଷ ହେବ ଉକ୍ତ ପୋଖରୀରେ ବିଭିନ୍ନ ପ୍ରକାର ଦଳ ଏବଂ ମାଟି ଭର୍ତ୍ତି ହୋଇଥିଲା । ଫଳରେ ଲୋକେ ନିତ୍ୟ ବ୍ୟବହାର, ତଥା ଗୋରୁଗାଈଙ୍କ ପାଇଁ ପାଣିର ନାହିଁ ନଥିବା ଅସୁବିଧା ଦେଖାଦେଇଥିଲେ । ଏମିତି ଏକ ସମୟରେ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଉକ୍ତ ଗ୍ରାମ ପରିଦର୍ଶନରେ ଯାଇଥିଲେ । ଗ୍ରାମବାସୀ ପୋଖରୀର ଅବସ୍ଥା ଏବଂ ପାଣି ପାଇଁ ଗ୍ରାମବାସୀ ହେଉଥିବା ଅସୁବିଧା ଉପରେ ଅଭିଯୋଗ କରିଥିଲେ । ସେଠାରୁ ମନ୍ତ୍ରୀ ଉକ୍ତ ପୋଖରୀ ପରିଦର୍ଶନ କରି ମାଟି କାମ କରାଯିବାର ନିର୍ଭର ପ୍ରତିଶୃତି ଗ୍ରାମବାସୀଙ୍କୁ ଦେଇଥିଲେ । ପ୍ରତିଶୃତି ଅନୁସାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଏବଂ ପାନୀୟଜଳ ଓ ପରିମଳ ବିଭାଗ ପକ୍ଷରୁ ୧୦ଲକ୍ଷ ଟଙ୍କା ଲେଖାଏ ୨୦ଲକ୍ଷ ଏବଂ ପଞ୍ଚାୟତ ପାଣ୍ଠିରୁ ୩ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ଉକ୍ତ ପୋଖରୀ ଉନ୍ନୟନ କାମ ସଠିକ ଭାବରେ କରାଯିବା ଉପରେ ମନ୍ତ୍ରୀଙ୍କ କଥାକୁ ଗୁରୁତ୍ୱ ଦେଇ ଗ୍ରାମବାସୀ ଏକ ୨୦ ଜଣିଆ ତଦାରଖ କମିଟୀ କରିଥିଲେ । ଉକ୍ତ କମିଟୀ ପ୍ରତ୍ୟେହ ପୋଖରୀରେ ରହି କାମ ତଦାରଖ କରିଥିଲେ । କାମଟି ବିଭାଗୀୟ ଯନ୍ତ୍ରୀଙ୍କ ନାମରେ ହୋଇଥିଲା ।ଗ୍ରାମବାସୀଙ୍କ କହିବା ଅନୁସାରେ ପ୍ରାୟ ୧୫ରୁ ୧୬ ଲକ୍ଷଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ତିନୋଟି କିସ୍ତିରେ ୨୩ଲକ୍ଷଟଙ୍କା ଉଠା ଯାଇଛି । ଯେତେବେଳେ ଉକ୍ତ ଘଟଣା ଜାଣିବାକୁ ପାଇଲେ ସେତେବେଳକୁ ପୋଖରୀରେ ପାଣି ଭର୍ତ୍ତି କରି ସମସ୍ତ ପ୍ରମାଣ ନଷ୍ଟ କରି ଦିଆଯାଇଛି । ବର୍ତ୍ତମାନ କେତେ କାମ ହୋଇଛି ତାହା ଜଣାପଡୁ ନାହିଁ । ଉକ୍ତ କାମକୁ ବିଭାଗୀୟ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ତତ୍କାଳୀନ ବିଡିଓ ତ୍ରୀପୁର ମହାନନ୍ଦଙ୍କ ସମୟରେ ହୋଇଅଛି । କମ କାମ କରି ଅଧିକ ବିଲ କରିବାରେ ବିଭାଗୀୟ ଅଧିକାରୀମାନଙ୍କ ଭୂମିକା ଯଥେଷ୍ଟ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ୨୩ ଲକ୍ଷ ଟଙ୍କା ବିନିଯୋଗରେ କାମ କରାଯାଇଥିବା ପୋଖରୀରେ ବର୍ତ୍ତମାନ ପୂର୍ବପରି ଦଳ ଭର୍ତ୍ତି ହୋଇଛି । ଗାଁ କୌଣସି ଏକ ବରଯାତ୍ରୀ ପାର୍ଟି ଆସିଲେ ଏହାକୁ ଖେଳ ପଡିଆ ମନେକରି ଭିତରକୁ ଚାଲିଯାଇ ପାରନ୍ତି ବୋଲି ଲୋକେ ତାଛଲ୍ୟ କରୁଛନ୍ତି । ଏହା ବ୍ୟତୀତ ଗ୍ରାମରେ ଦୀର୍ଘ ୭/୮ବର୍ଷ ତଳେ ୨୦ ହଜାର ଲିଟର ବିଶିଷ୍ଟ ଓଭରହେଡ୍ ପାଣିଟାଙ୍କ ଏବଂ ଏହାର ତଳେ ୫୦ଲିଟର ଅଣ୍ଡରଗ୍ରାଉଣ୍ଡ ପାଣି ପାଣି ଟାଙ୍କି ନିର୍ମାଣ କରାଯାଇଛି । ପୁଣି ଉକ୍ତ ପାଣି ଟାଙ୍କିକୁ ଗ୍ରାମର ସେମେଲବନ୍ଧ ନିକଟରୁ ପାଣି ଯୋଗାଣ ପାଇଁ ଇନ୍ଟେକ୍ ୱେଲ ଖୋଲା ୍ାଈ ପାଣି ସଂଯୋଗ କରାଯାଇଛି । ଉକ୍ତ ପାଣି ଟାଙ୍କି କାଗଜ ପତ୍ରରେ ସଂପୂର୍ଣ୍ଣ ହୋଇ ଗ୍ରାମବାସୀ ପାଣି ପାଉଥିବା ମଧ୍ୟ ଜଣାଯାଏ । କିନ୍ତୁ ଆଜି ପର୍ଯ୍ୟନ୍ତ ଏଥିରୁ ପାଣି ବୁନ୍ଦାଏ ବାହାରି ନାହିଁ କି ଗ୍ରାମବାସୀ ପାଣି ମୁନ୍ଦିଏ ମଧ୍ୟ ପାଇ ନାହିଁ । ପୂର୍ବ ପରି ପାଣି ପାଇଁ ଗ୍ରାମବାସୀ ଡହକ ବିକଳ ହେଉଛନ୍ତି ।
ନୀଳମଣି ସାହୁ-ୱାର୍ଡ ମେମ୍ବର
୨୩ଲକ୍ଷ ଟଙ୍କାର ଅନୁଦାନକୁ ବ୍ଲକ ଅଧିକାରୀ, ଠିକାଦାର ମିଳିମିଶି ଖାଇ ଛନ୍ତି ।ଏତେ ପରିମାଣର ଅନୁଦାନରେ ଠିକ୍ ଭାବରେ କାମ ହୋଇଥିଲେ ଆଜି ପାଣି ପାଇଁ ଡହକ ବିକଳ ହୋଇନଥାନ୍ତୁ । କାମ ଅଧା କରି ବର୍ଷା ଆସିବାରୁ ବାକି କାମ ପରେ ହେବ କହି ସମସ୍ତ ବିଲ ଉଠାଇ ନେଲେ । ଆମେ ଗ୍ରାମବାସୀ କେତେ ଘଣ୍ଟା , କେତେ ଦିନ କାମ ହୋଇଛି ଆମେ ହିସାବ କରିଥିଲୁ । ପ୍ରାୟ ୧୫ଲକ୍ଷ ହେବ କାମ ହୋଇ ବାକି ଟଙ୍କା ପରେ ବିଲ କରାଇ ହଡପ କରିଛନ୍ତି ।
ବିକାଶ ହାତୀ
ଗ୍ରାମର ଜଣେ ଉଦୀୟମାନ ଯୁବକ- କାମରେ ଦୂର୍ନିତି ହୋଇଅଛି । ସମସ୍ତେ ମିଳିମିଶି ଏହାକୁ ହଡପ କରିଛନ୍ତି ।ସରକାର ବଦଳିଛି । ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଦାବୀ କରିବୁ । ଆବଶ୍ୟକ ପଡିଲେ ଧାରଣା, ଅନଶନ ଦିଆଯିବ । ଯଦି ବ୍ଲକ ସଦରମହକୁମା ପାଖରେ ଏଭଳି ଦୁର୍ନୀତି ତାହେଲେ ଉପାନ୍ତ ଅଂଚଳରେ କିଭଳି ଦୁର୍ନୀତି ହେଉଥିବ ।
ତ୍ରିିପୁର ମହାନନ୍ଦ-ପୂର୍ବତନ ବିଡିଓ
କାମ ଚାଲିଥିବା ବେଳେ ତଦାରଖ କରିଥିଲେ) - କାମ ଠିକ୍ ଭାବରେ ହୋଇଛି । ଆମର ସହକାରୀ ଯନ୍ତ୍ରୀ କାମ ଦେଖି ଛନ୍ତି । ଲୋକେ ଅଭିଯୋଗ କରିବାରେ କୌଣସି ଅସୁବିଧା ନାହିଁ ।
ଶୁଭନାଦ ମାଝୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଡୁଙ୍ଗୁରିପାଲି ବ୍ଲକ
ଲରିଆବାହାଲ ପୋଖରୀ କାମରେ କୌଣସି ଦୂର୍ନିତି ହୋଇ ନାହିଁ । କାମ ଅନୁସାରେ ବିଲ ହୋଇଅଛି । କିଛି ଖଳ ପ୍ରକୃତିର ଲୋକେ ଏହାକୁ ଅଭିଯୋଗ କରୁଛନ୍ତି ।