-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
12-Dec-2020
(ପ୍ରେରଣା ଖବର) କଂଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଦାବିରି ଗାଁରେ ଶୁକ୍ରବାର ରାତିରେ ଚାଲିଥିବା ଏକ ବାଲ୍ୟବିବାହକୁ ବନ୍ଦ କରିବାରେ ସକ୍ଷମ ହୋଇଛି ପ୍ରଶାସନ। ଫଳରେ ଗାଁ ମୁଣ୍ଡରୁ ବର ଓ ବରଯାତ୍ରୀ ଦଳ ଫେରିଯାଇଥିବା ଦେଖିବାକୁ ମିଳିଛି।ପ୍ରକାଶ ଯେ, ଦାବିରିରେ ଜଣେ ଯୁବତୀଙ୍କ ବାହାଘର ସ୍ଥିର ହୋଇଥିଲା। ପରିବାର ଲୋକେ ନିମନ୍ତ୍ରଣ କାର୍ଡ ବାଣ୍ଟିବା ସହ ପୁଲିସର ଅନୁମତି ମଧ୍ୟ ନେଇଥିଲେ। ମାତ୍ର ବିବାହର ଦିନକ ପୂର୍ବରୁ ଉକ୍ତ ଯୁବତୀ ଅନ୍ୟ କାହା ସହ ଫେରାର ହୋଇଯାଇଥିଲା। ଏନେଇ କଂଟାବାଞ୍ଜି ଥାନାରେ ଏତଲା ଦିଆଯାଇଥିଲା। ଯୁବତୀଙ୍କ କୌଣସି ପତ୍ତା ନମିଳିବାରୁ କନ୍ୟା ପକ୍ଷ ତାଙ୍କ ନାବାଳିକା ସାନ ଭଉଣୀକୁ ଉକ୍ତ ବର ସହ ବାହା ଦେବା ପାଇଁ ସ୍ଥିର କରିଥିଲେ। ସମସ୍ତ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲା। ବରଯାତ୍ରୀ ଗାଁରେ ପହଞ୍ଚି ସାରିଥିଲେ। ଖବର ପାଇ କଂଟାବାଞ୍ଜି ଥାନା ଅଧିକରୀ ସତ୍ୟଜିତ କନ୍ଦନକେଲ, ଏସଆଇ ପ୍ରଦୀପ ଗୁରିଆ, ଏସ୍ଆଇ ହୀରା ଖାଲକୋ ଏବଂ ଜିଲ୍ଲା ବାଲ୍ୟ ବିବାହ ପ୍ରତିରୋଧ ଟାକ୍ସ ଫୋର୍ସ ସଦସ୍ୟ ଡ. ସଂଜୟ ମିଶ୍ର ପ୍ରମୁଖ ଦାବିରି ଗାଁରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ବୁଝାସୁଝା କରିବା ପରେ ବିବାହ ବନ୍ଦ ହୋଇଥିଲା। ଶନିବାର ସକାଳୁ ଡିସିପିଓ ଅରୁଣ ଖୁଆସ ଏବଂ ଆଇସିଡିଏସ ସେକ୍ଟର ସୁପରଭାଇଜର ଉକ୍ତ ଗାଁକୁ ଯାଇ ଏ ବିଷୟରେ ଅଧିକ ତଦନ୍ତ କରିଥିଲେ।