-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
12-Dec-2020
(ପ୍ରେରଣା ଖବର) ଘୁ.ଉଦୟଗିରି: କରୋନା ଯୋଗୁଁ ଘରମୁହାଁ ହୋଇଥିଲେ କେରଳରେ କାମ କରୁଥିବା କନ୍ଧମାଳର ହଜାର ହଜାର ଯୁବକ ଯୁବତୀ। ରାଜ୍ୟ ସରକାରଙ୍କ ସହଯୋଗ ହେଉ କି ନିଜ ନିଜ ଉଦ୍ୟମରେ, କରୋନା ସମୟରେ ବହୁ କଷ୍ଟ ସହ୍ୟ କରି କେରଳରୁ ଫେରିଥିଲେ ପ୍ରବାସୀ ଶ୍ରମିକ। କାମଧନ୍ଦା ଅଭାବରୁ ଏହି ଶ୍ରମିକ ନିଜ ଭିଟାମାଟି ଛାଡ଼ି ସୁଦୂର କେରଳକୁ ଯାଇ ସେଠାରେ କାମ କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ଘୁ.ଉଦୟଗିରି ବ୍ଲକ, ଏନଏସି, ଟିକାବାଲି,ଚକାପାଦ, ରାଇକିଆ, ଦାରିଙ୍ଗବାଡ଼ି, ସାରଙ୍ଗଗଡ଼ ଓ ପାବୁରିଆ ପ୍ରଭୃତି ଅଞ୍ଚଳରୁ ବର୍ତ୍ତମାନ କିଛି ଦିନ ହେଲା ପୁଣି କେରଳ ମୁହାଁ ହୋଇଛନ୍ତି ଶ୍ରମିକ। ଏ ସବୁ ଅଞ୍ଚଳରେ ଦଲାଲ୍ ସକ୍ରିୟ ହୋଇ ଉଠିଛନ୍ତି। ଯୁବକ ଯୁବତୀଙ୍କୁ ଅଧିକ ମଜୁରୀ, ଅନ୍ୟାନ୍ୟ ସୁବିଧା ଲୋଭ ଦେଖାଇ ପ୍ରତ୍ୟେକ ଦିନ କେରଳରୁ ବସ୍ ଆଣି ସେମାନଙ୍କୁ ଏଠାରୁ ନେଉଥିବା ଦେଖିବାକୁ ମିଳୁଛି। ଆଜି ଘୁ.ଉଦୟଗିରି ଗାନ୍ଧୀ ଛକରେ ଆଖପାଖ ଅଞ୍ଚଳରୁ ଯୁବକ ଯୁବତୀଙ୍କୁ ଆଣି ଗୋଟିଏ ସ୍ଥାନରେ ଏକତ୍ରିତ କରି ବସ୍ରେ କେରଳ ନେଉଥିବା ଦେଖିବାକୁ ମିଳିଥିଲା। ବସ୍ ଚଢ଼ିବା ପୂର୍ବରୁ ଜଣେ ଦଲାଲ୍ ସମସ୍ତ ଯୁବକ ଯୁବତୀଙ୍କୁ ବସ୍ ସମ୍ମୁଖରେ ଠିଆ କରାଇ ଫଟୋ ଉଠାଇଥିଲେ। ପ୍ରାପ୍ତ ସୂଚନାନୁସାରେ, ସ୍ଥାନୀୟ ଅଞ୍ଚଳର ଯୁବକମାନେ ବହୁ ପରିଶ୍ରମୀ ଓ ଘଣ୍ଟା ଘଣ୍ଟା କଠିନ ପରିଶ୍ରମ କରିପାରନ୍ତି। କେରଳରେ ଯେ ହେତୁ ପ୍ଲାଏଉଡ଼୍ କାରଖାନା ଅଧିକ ରହିଛି, ଏହି ସବୁ ଫ୍ୟାକ୍ଟ୍ରିରେ କାଠଗଣ୍ଡି କଟା କାମ ବେଶି ହୋଇଥାଏ। କାଠଗଣ୍ଡି ଗଡ଼େଇ ନେବା, କାଟିବା ଓ ରଖିବା କାମରେ କନ୍ଧମାଳ ଶ୍ରମିକ ବେଶ୍ ପାରଙ୍ଗମ। ଏହା ବଦଳରେ ଭଲ ଦରମା ବି ମିଳିଥାଏ। ସ୍ଥାନୀୟ ଅଞ୍ଚଳର ହଜାର ହଜାର ଯୁବକ ଯୁବତୀ ବର୍ଷ ବର୍ଷ ଧରି ପରିବାର ସହ କେରଳରେ ରହି ଆସୁଛନ୍ତି। ଉକ୍କେତ ଅଞ୍ଚଳ କେରଳରେ ଏକ ମିନି କନ୍ଧମାଳ ଭ୍ରମ ସୃଷ୍ଟି କରିଥାଏ, ଯେଉଁଠି କେବଳ କନ୍ଧମାଳ ଜିଲ୍ଲାର ଲୋକଙ୍କୁ ଦେଖିବାକୁ ମିଳେ। ବର୍ତ୍ତମାନ ଧାନକଟା ସାରି କେରଳ ମୁହାଁ ହୋଇଛନ୍ତି ଯୁବକ ଯୁବତୀ। ସ୍ଥାନୀୟ ଅଞ୍ଚଳରେ କାମଧନ୍ଦା ଅଭାବରୁ ନିଜ ଭିଟାମାଟି ଛାଡ଼ିବାକୁ ସେମାନେ ବାଧ୍ୟ ହେଉଥିବା ବେଳେ ଶ୍ରମ ବିଭାଗ ପାଖରେ ଏ ନେଇ ତଥ୍ୟ ରହୁ ନଥିବା କୁହାଯାଉଛି।