-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
11-Apr-2023
ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ ) ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଥାନା ଅନ୍ତର୍ଗତ ବୁଢକପଦର ଗ୍ରାମର କାଞ୍ଚନ କାଲସାଏ ବିବାହ କରିଥିଲା ଅଧୁନାତନ ବରଗଡ ଜିଲ୍ଲାର ବିଜେପୁର ଥାନା ଅନ୍ତର୍ଗତ ଲାଉମୁଣ୍ଡା ପଞ୍ଚାୟତର ଟାଙ୍ଗୁରୁପଦର ଗ୍ରାମର ଦେବରାଜ ଛତ୍ରିଆଙ୍କୁ ୧୭ ବର୍ଷ ତଳେ । ଦେବରାଜଙ୍କର ଏକ ନିଜର ନାଟଦଳଟିଏ ଅଛି ଓ ସେ ବିଭିନ୍ନ ଆଡେ ବୁଲି କଂସ ଦରବାର ଆଦି ନାଟତାମସା କରୁଥିବା ସହ ନିଜେ ମଧ୍ୟ କଂସ ଅଭିନେତା ଅଟନ୍ତି । ତେବେ ଗତ ପ୍ରାୟ ୫ ମାସ ହେବ ସେ ତାଙ୍କ ଦଳର ନର୍ତ୍ତକୀ ଭୂମିକାରେ ଅଭିନୟ କରୁଥିବା ଅତାବିରା ଅଞ୍ଚଳର ଜଣେ ଯୁବତୀଙ୍କୁ ଆଣି ଘରେ ରଖିଛନ୍ତି ଓ ତାହା ସାଙ୍ଗରେ ତାଙ୍କର ଅବୈଧ ପ୍ରେମ ସମ୍ପର୍କ ରହିଥିବା କାରଣରୁ ସେ ଓ ତାଙ୍କ ପ୍ରେମିକା ମିଶି ବରାବର ତାଙ୍କ ପତ୍ନୀ କାଞ୍ଚନଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ସେ ବାପଘରଲୋକଙ୍କୁ ଜଣାଇଥିଲେ ।
ତେବେ ଗତ ୮ ତାରିଖରେ ତାଙ୍କର ରହସ୍ୟମୟ ପରିସ୍ଥତିରେ ହଠାତ୍ ଏକ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । କୁଆଡେ ରାତିରେ ତାଙ୍କ ଦେହ ଅସୁସ୍ଥ ହୋଇ ପଡିବାରୁ ଦେବରାଜ ଘରର ଅନ୍ୟମାନଙ୍କୁ ନନେଇ ଉକ୍ତ ନର୍ତ୍ତକୀ ବନାମ ପ୍ରେମିକା ସହିତ ତାଙ୍କ କାର୍ ରେ ଡାକ୍ତରଖାନାକୁ ନେଲାବାଟରେ ରାତି ପ୍ରାୟ ଗୋଟାଏ ବେଳେ କାଞ୍ଚନଙ୍କର ମୃତ୍ୟୁ ହୋଇଥିଲା ! ଏପରିକି ବାପଘରୁ ଯାଇଥିବା ଜଣେ ଭାଇ ମଧ୍ୟ ସେଦିନ ତାଙ୍କଘରେ ଥିବାବେଳେ ଦେବରାଜ ତାଙ୍କୁ ମଧ୍ୟ ତାଙ୍କ ନାନୀର ଦେହ ଅସୁସ୍ଥ ହୋଇଥିବାରୁ ଡାକ୍ତରଖାନାକୁ ନେଉଥିବା କଥା ଜଣାଇ ନଥିଲେ ! ଅପରତଃ ମୃତ୍ୟୁପୂର୍ବଦିନ କାଞ୍ଚନ ବାପଘରଲୋକଙ୍କୁ ଉକ୍ତ ପ୍ରେମିକାଯୁବତୀର ଫଟୋ ପଠାଇ ଦୁହେଁ ତାଙ୍କୁ ନିର୍ଯାତନା ଦେଉଥିବା କଥା ଜଣାଇଥିଲେ । ତେଣୁ ଏଥିରେ ସନ୍ଦେହ ପ୍ରକାଶ କରି କାଞ୍ଚନର ବାପଘର ପକ୍ଷରୁ ପ୍ରଥମେ ସ୍ଥାନୀୟ ଲୋଇସିଂହା ଥାନାରେ ଏତଲା ଦେଇଥିଲେ ଓ ଲୋଇସିଂହା ଥାନାରୁ ଏହି ମାମଲାଟି ବିଜେପୁର ଥାନାକୁ ହସ୍ତାନ୍ତରିତ ହୋଇଛି । ବିଜେପୁର ଆଇ ଆଇସି ସଞ୍ଚୟ ନାଏକ ଏ ସମ୍ପର୍କରେ ଏକ ମାମଲା ଋଜୁକରି ପ୍ରାଥମିକ ତଦନ୍ତ ସ୍ବରୂପ ମୃତଦେହାକୁ ଉଦ୍ଧାର କରି ପଞ୍ଚନାମା ପୂର୍ବକ ଶବ ବ୍ୟବଚ୍ଛେଦ କରାଇଛନ୍ତି । ବରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଡା ସତ୍ୟ ଦାସ ଓ ଡା ସେବକ ମେହେର ୨ ଜଣ ଡାକ୍ତରଙ୍କ ଦ୍ବାରା ଏହି ଶବବ୍ୟବଚ୍ଛେଦ କରାଯାଇଥିବା ଓ ଏଯାଏଁ ପୋଷ୍ଟମର୍ଟମ୍ ରିପୋର୍ଟ ଆସି ନଥିବା ଜଣାଯାଇଛି । ଅଭିଯୋଗ ଆଧାରରେ ବିଜେପୁର ଥାନାର ତଦନ୍ତକାରୀ ପୁଲିସ୍ ଭାରତୀୟ ପିଙ୍ଗଳ କୋର୍ଡର ୩୪ ଧାରାର ଦଫା ୩୯୮ ( କ ) ଓ ୩୦୨ ଦଫା ରେ ମାମଲାଟି ଋଜୁ କରି ତଦନ୍ତ କରୁଥିବା ସହ ଅଭିଯୁକ୍ତ ସ୍ବାମୀ ଦେବରାଜ ଛତ୍ରିଆ ଓ ତାଙ୍କ ତଥାକଥିତ ପ୍ରେମିକା ନର୍ତ୍ତକୀ ଯୁବତୀଙ୍କୁ ଥାନାରେ ଅଟକ ରଖିଥିବା ଓ ପୋଷ୍ଟମର୍ଟମ୍ ରିପୋର୍ଟ ଆସିଲେ ଯାଇ ଯାହାକିଛି ଗିରଫ ବା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହୁଛନ୍ତି ।
ଅନ୍ୟପକ୍ଷରେ ହୀରାକୁଦର ନାଲକୋରେ ସ୍ବାସ୍ଥ୍ୟବିଭାଗରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ଭାବେ ଚାକିରି କରୁଥିବା ମୃତା କାଞ୍ଚନଙ୍କର ଜଣେ ଦିଅର କୁଆଡେ ବାହାସ୍ଫୋଟ ମାରି ' ପୋଷ୍ଟ ମର୍ଟମ୍ ରିପୋର୍ଟ ' ଆମ ହାତରେ ବୋଲି କହୁଥିବା ବାପଘର ପକ୍ଷରୁ ତଦନ୍ତକାରୀ ପୁଲିସ୍ ଓ ସମ୍ପୃକ୍ତ ଶବ ବ୍ୟବଚ୍ଛେଦକାରୀ ଡାକ୍ତରଙ୍କ ସମେତ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରାଯାଇଛି । ତେବେ ଏହା ଅସମ୍ଭବ ବୋଲି ବିଜେପୁର ଆଇ ଆଇସି ସଞ୍ଚୟ ନାଏକ ଓ ଉଭୟ ଡାକ୍ତର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ତେବେ ଏଭଳି ଏକ ସମ୍ବେଦନଶୀଳ ଅଭିଯୋଗ ପାଇ ଏହି ଗ୍ରାଜୁଏଟ୍ ଡିପ୍ଲୋମା ପାଇଥିବା ମୃତା ଦଳିତ ମହିଳାଙ୍କ ହତ୍ୟା ଅଭିଯୋଗର ତଦନ୍ତ ନିମନ୍ତେ ଆମର ଏକ ପ୍ରତିନିଧିଦଳ ଟାଙ୍ଗୁରୁପଦର , ବିଜେପୁର ଥାନା ଓ ବରଗଡ ଜିଲ୍ଲା ମୁଖ୍ୟଡାକ୍ତର ଖାନାର ଉକ୍ତ ଶବବ୍ୟବଚ୍ଛେଦକାରୀ ଡାକ୍ତରଙ୍କୁ ଭେଟି ଉପରୋକ୍ତ ଆଲୋଚନା କରିଥିଲେ । ତେବେ ଏଥିରେ କିଛି କିଛି ଅନିୟମିତତାର ଆଭାସ ମିଳୁଛି । ଏଣୁ ଏହା ଉପରୋକ୍ତ ସନ୍ଦେହକୁ ଆହୁରି ବଢାଇ ଦେଉଛି ।
ତାହା ଏହା ଯେ , ବଲାଙ୍ଗୀରରୁ ଯାଇଥିବା ବରିଷ୍ଠ ସାମ୍ବାଦିକଦଳ ଓ କାଞ୍ଚନର ବାପଘର ପକ୍ଷର ଲୋକେ ବିଜେପୁର ଥାନାରେ ପହଞ୍ଚିଲା ବେଳକୁ ଥାନାରେ ଅଟକ କୁହାଯାଉଥିବା ଅଭିଯୁକ୍ତ ସ୍ବାମୀ ଓ ପ୍ରେମିକା ସେଠାରେ ନଥିଲେ । ସେମାନଙ୍କୁ ଛାଡିଦିଆଯାଇଥିଲା ଓ ସେମାନେ ବାହାରେ ବୁଲୁଥିଲେ । ଏପରିକି ସେମାନେ ଟାଙ୍ଗୁରୁପଦର ଘରେ ଥିଲେ ଓ ସାମ୍ବାଦିକଙ୍କୁ ଦେଖି ଏକ ସ୍କୁଟିରେ ଅଭିଯୁକ୍ତ ଉକ୍ତ ଅନ୍ୟତମା ଅଭିଯୁକ୍ତା ଯୁବତୀକୁ ବସାଇ ଦ୍ରୁତଗତିରେ ତାଙ୍କ ଗାଡି ପଛେ ପଛେ ଆସି ଥାନାରେ ହାଜର ହୋଇଯାଇଥିଲେ । ଏହା ଦେଖିପାରି ଅଭିଯୋଗକାରୀ ବାପଘରଲୋକେ ଥାନାରେ ପ୍ରଚୁର ପ୍ରତିକ୍ରିୟାଶୀଳ ହୋଇପଡିଥିଲେ ଓ କିଛି ସମୟପରେ ଆଈ ଆଇ ସି ଆସି ସେମାନଙ୍କୁ ବୁଝାଇ ସୁଝାଇ ଶାନ୍ତ କରିଥିଲେ । ଏହି ସମୟରେ ସେଠାକୁ ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟକ୍ରମ ତଦାରଖ କରିବାକୁ ପହଞ୍ଚିଥିବା ବରଗଡ ଅତିରିକ୍ତ ଏସପି ମଧ୍ୟ ପହଞ୍ଚିଥିଲେ । ତେବେ ଏ ସମ୍ପର୍କରେ ଆଇ ଆଇସି ସଞ୍ଚୟ ନାଏକ ସଫେଇ ଦେଇଥିଲେ ଯେ , ଅଦ୍ୟାବଧି ହତ୍ୟାର କୌଣସି ତଥ୍ୟ ପ୍ରମାଣ ମିଳିନାହିଁ ଓ ପୋଷ୍ଟମର୍ଟମ୍ ରିପୋର୍ଟ ଆସିଲେ ଯାଇ ଯାହା ହେବ । ' ତେବେ ଏହି ମାମଲାରେ ପୁଲିସ୍ ଓ ଡାକ୍ତରଙ୍କଠାରୁ ଅସ୍ପଷ୍ଟ ଭାବରେ ଆଭାସ ମିଳିଥିବା ସୂଚନା ଅନୁଯାୟୀ , ଏହା ଏକ ସ୍ବାଭାବିକ ମୃତ୍ୟୁ ଘଟଣା ଓ କାଞ୍ଚନଙ୍କର ପୂର୍ବରୁ ରୋଗ ରହିଥିଲା ! ଏପରିକି ସ୍ଥାନୀୟ କେତେକ ଗଣମାଧ୍ୟମରେ ଏହା ବିଷକ୍ରିୟାଜନିତ ବୋଲି ଉଲ୍ଲେଖ କରାଯାଇଥିବା କଥାକୁ ସେ ସ୍ବୀକାର କରି ନଥିଲେ । ଜଣେ ସ୍ଥାନୀୟ ସାମ୍ବାଦିକଙ୍କୁ ' ଏ ତଥ୍ୟ କୋଉଠୁ ପାଇଲ ? ' ବୋଲି ଆକଟ କରି ନିଜ ନିଷ୍ପକ୍ଷତାର ମଧ୍ୟ ପ୍ରମାଣ ଦେଇଥିଲେ
ସେହିପରି ବରଗଡର ଅନ୍ୟତମ ସହ ଶବବ୍ୟବଚ୍ଛେଦକାରୀ ଡାକ୍ତର ସେବକ ମେହେର ମଧ୍ୟ କାଞ୍ଚନଙ୍କର କୌଣସି ଭିତର ବାହାରର ଆଘାତ ଇତ୍ୟାଦି ନଥିବା ଓ ପୂର୍ବରୁ ରୋଗ ଥିବା ପ୍ରକାରାନ୍ତରେ ଆଭାସ ଦେଇଥିଲେ ।
ସବୁଠାରୁ ଆଶ୍ଚର୍ଯ୍ୟଜନକ ଥିଲା କାଞ୍ଚନଙ୍କର ୧୩ ବର୍ଷୀୟ ୭ମଶ୍ରେଣୀରେ ପଢୁଥିବା ପୁଅର ବୟାନ । ସେ ଖୁବ୍ ଚତୁରତାର ସହ ସ୍ମାର୍ଟ ଉତ୍ତର ଦେଇଥିଲା ଯେ , ଏହା ଏକ ପ୍ରାକ୍ଟିକାଲ୍ ବା ନର୍ମାଲ୍ ଡେଥ୍ । କୌଣସି ହତ୍ୟା କି ଆତ୍ମହତ୍ୟା ନୁହେଁ । ୫ ମାସ ହେଲା ପ୍ରେମିକା ଥିଲା ତ , ମାମୁଁଘରଲୋକେ କାକ ଥାନାରେ ଏତଲା ଦେଲେନାହିଁ ? ଗୋଟେ ଜୀବନ ତ ଗଲା , ଆଉ ଗୋଟିଏ ଜୀବନ ଯିବ କି ? ' ସର୍ବୋପରି କାଞ୍ଚନଙ୍କର ଦୀର୍ଘ ୧୭ ବର୍ଷର ବୈବାହିକ ଜୀବନ ଓ ଦାମ୍ପତ୍ୟ ବିତିଥିବା , ୧୩ ବର୍ଷର ମାତୃତ୍ବର ତାଙ୍କର ଶାଶୁଘରର ଶାଶୁ , ଦିଅର , ସ୍ବାମୀ , ପୁଅ ବା କାହାମୁହଁରେ ତାଙ୍କ ଅକାଳମୃତ୍ୟୁର ଦୁଃଖଶୋକର ଚିହ୍ନବର୍ଣ୍ଣ ସୁଦ୍ଧା ନଥିଲା ! ଏବଂ ଏହା ଏକ ସ୍ବାଭାବିକ ବା ରୋଗଜନିତ ମୃତ୍ୟୁ ବୋଲି ତାଙ୍କ ବାପଘରର ଲୋକେ ଆଦୌ ସ୍ବୀକାର କରୁନାହାଁନ୍ତି । ଏହିସବୁ କାରଣରୁ ଉକ୍ତ ସନ୍ଦେହଜନକ ବଧୂହତ୍ୟା ଅଭିଯୋଗ ବା ନିହାତି ରହସ୍ୟମୟ ପରିସ୍ଥିତିରେ ଘଟିଥିବା ମାମଲାଟି ଆହୁରି ରହସ୍ୟମୟ ହୋଇପଡିଛି । ଏହି ଘଟଣାଟି ବଲାଙ୍ଗୀର ଓ ବରଗଡ ଜିଲ୍ଲାରେ ବହୁଚର୍ଚ୍ଚିତ ହୋଇପଡିଛି । ଏଣୁ ବାପଘରର ଲୋକେ ତାଙ୍କର ଉକ୍ତ ହତ୍ୟାଅଭିଯୋଗର ତଦନ୍ତ ନିମନ୍ତେ କ୍ରାଇମବ୍ରାଞ୍ଚ ଓ ଉଚ୍ଚତମ ଅଦାଲତକୁ ଯାଇ ନ୍ୟାୟଯାଚନା କରିବେ ବୋଲି ଦୃଢପରିକର ଥିବା ପ୍ରକାଶ କରିଛନ୍ତି ।