-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
19-Nov-2022
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଳକକୁ ଏକ ସ୍ବତନ୍ତ୍ର ସବଡିଭିଜନ ମାନ୍ୟତା ଦେବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦୀର୍ଘ ବର୍ଷ ହେଲା ଦାବି ହୋଇଆସୁଛି ।ଏ ନେଇ ରାଜ୍ୟ ସରକାରଙ୍କ ଠାରେ ବିନିକା ସବଡିଭିଜନ ପ୍ରସ୍ତାବ ବିଚାରଧୀନ ରହିଛି ।ନିକଟ ଅତୀତରେ ପଦ୍ମପୁରରେ ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ସେହି ଅଞ୍ଚଳର ଜନସାଧାରଣ ଜିଲ୍ଲା ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି । ଜିଲ୍ଲା ଦାବି ନେଇ ଗଠିତ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ପଦମପୁର ଜିଲ୍ଲା ହେବ ବୋଲି ପ୍ରତିଶ୍ରୁତି ପରେ ଅଞ୍ଚଳବାସୀଙ୍କ ଠାରେ ଖୁସିର ଲହରୀ ଖେଳିଯାଇଛି ।ହେଲେ ଦୀର୍ଘ ବର୍ଷ ହେଲା ବିଚାରାଧୀନ ଥିବା ବିନିକା ସବଡିଭିଜନକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଧିବଦ୍ଧ ଭାବେ କେବେ ଘୋଷଣା କରିବେ ସେନେଇ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି ।ସୂଚନା ଯୋଗ୍ୟ ଯେ ସାରା ରାଜ୍ୟରେ ୧୮ଟି ନୂତନ ସବଡିଭିଜନ ସ୍ଥାପନ ନେଇ ସରକାରଙ୍କ ଠାରେ ପ୍ରସ୍ତାବ ରହିଥିବା ବେଳେ ପଶ୍ଚିମ ଓଡିଶାର ୮ଗୋଟି ସବଡିଭିଜନ ମଧ୍ୟରୁ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ରହିଛି ।ବଲାଙ୍ଗୀର ଜିଲ୍ଲା ବିଭାଜନ ହୋଇ ସୋନପୁର ଉପଖଣ୍ଡ ଜିଲ୍ଲା ମାନ୍ୟତା ପାଇବାର ବହୁ ପୂର୍ବରୁ ଅର୍ଥାତ ଦୀର୍ଘ ୩୫ବର୍ଷ ହେଲା ଅଞ୍ଚଳବାସୀ ବିନିକା ସବଡିଭିଜନ ପାଇଁ ଦାବି କରି ଆସୁଛନ୍ତି ।କିନ୍ତୁ ସରକାର ଜାଣି ଶୁଣି ନଜାଣିଲା ପରି ଅଭିନୟ କରି ଆସୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏଠିକାର ଲୋକଙ୍କ ସାମାଜିକ ଚଲଣୀ ସହିତ ପ୍ରଶାସନିକ ଓ ଭୌଗଳିକ ସ୍ଥିତିକୁ ଅନୁଧ୍ୟାନ କରାଗଲେ କ୍ରମବର୍ଦ୍ଧିଷ୍ଟ ଜନସଂଖ୍ୟା ବୃଦ୍ଧି ପଛରେ ମୌଳିକ ଓ ଆର୍ଥିକ ସମସ୍ୟା ପୂରଣ କରିବାରେ ବିନିକା ସବଡିଭିଜନ ହେବା ଜରୁରୀ ହୋଇପଡିଛି । ରାଜ୍ୟ ସରକାର ତୁରନ୍ତ ସବଡିଭିଜନ ଘୋଷଣା କଲେ ରାଜସ୍ବ କ୍ଷେତ୍ରରେ ଲାଭବାନ ହେବାସହ ଚାଷୀ ମଧ୍ୟ ଉପକୃତ ହୋଇପାରିବ ।ପ୍ରକାଶ ଥାଉକି ୨୦୧୬ମସିହାରେ ଅଞ୍ଚଳବାସୀ ଏକାଠି ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।ସେହିପରି ବିନିକା ଓକିଲ ସଂଘ ସଭାପତି ସୁଧାଂଶୁ ଶେଖର ଦାଶଙ୍କ ନେତୃତ୍ୱରେ ସଂଘର ସମସ୍ତ କର୍ମକର୍ତ୍ତା ଗତ ୨୦୧୭ମସିହା ଡିସେମ୍ବର ମାସରେ ବିନିକା ସବଡିଭିଜନ ତୁରନ୍ତ ଘୋଷଣା ଦାବିନେଇ ତହସିଲଦାରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରିଥିଲେ।୨୦୧୯ମସିହାରେ ବିନିକା ସାମ୍ବାଦିକ ସଂଘର ପୂର୍ବତନ ସଭାପତି ଅଶୋକ କୁମାର ପଣ୍ଡା ଓ ସମ୍ପାଦକ ସୃଜନ କୁମାର ପଣ୍ଡାଙ୍କ ନେତୃତ୍ୱରେ ଅଞ୍ଚଳର ସଚେତନ ନାଗରିକ ଉପଖଣ୍ଡ ଘୋଷଣା ନେଇ ବସଷ୍ଟାଣ୍ଡ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅନ୍ୟ ପକ୍ଷରେ ବିନିକା ବିଜ୍ଞାପିତ ପରିଷଦ ଓ ପଞ୍ଚାୟତ ସମିତି ତରଫରୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି ।ତଥାପି ବି ବିନିକା ସବଡିଭିଜନ ଘୋଷଣାରେ ବିଳମ୍ବ ହେଉଥିବାରୁ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଆଭାସ ମିଳିଲାନି ।ସୂଚନା ଯୋଗ୍ୟଯେ ବିନିକା ସହର ସୁବର୍ଣ୍ଣପୁର ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଓ ଏଠାରେ ବିଭିନ୍ନ ପ୍ରତିଷ୍ଠାନ ରହିଛି ।ଗମନାଗମନ କ୍ଷେତ୍ରର ବଲାଙ୍ଗୀର,ସମ୍ବଲପୁର,ରେଡାଖୋଲ,ସୁବର୍ଣ୍ଣପୁର,ବୌଦ୍ଧ,ଅନୁଗୁଳ,ଭୂବନେଶ୍ଵର,ଫୁଲବାଣୀ, ବ୍ରହ୍ମପୁର ଆଦି ଜିଲ୍ଲାକୁ ସିଧାସଳଖ ରାଜପଥ ସଂଯୋଗ କରୁଛି ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଥିବାବେଳେ ୪ଗୋଟି ଜାତୀୟକରଣ ବ୍ୟାଙ୍କ ରହିଛି ।ସେହିପରି ପର୍ଯ୍ୟଟନ ସ୍ଥଳୀ ପୁଣ୍ୟପୀଠ ପାପକ୍ଷୟ ଘାଟ,ଚରଦା ସ୍ଥିତ ପ୍ରସିଦ୍ଧ ଶୈବପୀଠ,ଐତିହାସିକ ତାରାପୁର ଗଡ,ଦ୍ଵିତୀୟ ଜଗନ୍ନାଥ ମନ୍ଦିର ରହିଥିବା ବେଳେ ଶିକ୍ଷା,ସ୍ବାସ୍ଥ୍ୟ ସହିତ କୃଷି ଓ କୃଷକର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସବଡିଭିଜନ ନିହାତି ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।