-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
21-Apr-2022
ବଲାଙ୍ଗୀର,ଆସନ୍ତା ଏପ୍ରିଲ ୨୬ ରୁ ୨୮ ତାରିଖ ତିନି ଦିନ ଧରି ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆ ଠାରେ ସପ୍ତମ ଲୋକକଳା ଉତ୍ସବ ଅନୁଷ୍ଠିତ ହେବ ବୋଲି ସାଂବାଦିକ ଭବନ ଠାରେ ଅନୁଷ୍ଠିତ ଏକ ସାଂବାଦିକ ସମ୍ମିଳନୀରେ ଦୁଲଦୁଲି କଳା ପରିଷଦର ସଭାପତି ପ୍ରଭାସ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ , ଓଡିଶା ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତଥା ପର୍ଯ୍ୟଟନ ବିଭାଗ ଓ ଇଜେଡ୍ସିସି ର ସହଭାଗିତାରେ ଏହି ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ସଭାପତି ଶ୍ରୀ ପାଣିଗ୍ରାହୀ ଆହୁରି ସୂଚନା ଦେଇ କହିଛନ୍ତି ଯେ , ଏହି ଉତ୍ସବରେ ଜାତୀୟସ୍ତରର ୬ ଟି ସାଂସ୍କୃତିକ ଦଳ ଯୋଗଦେବେ । ଆସାମର ବିହୁ , ବିହାର ର ଭୋଜପୁରୀ, ଆସାମର ରାଭା , ପଶ୍ଚିମବଙ୍ଗର ପୁରୁଲିଆ ଛାଉ , ଝାରଖଣ୍ଡର ଖରସୁଁଆ ଛାଉ ଓ ଗୁଜୁରାତର ଦାଣ୍ଡିଆ । ସେହିପରି ଏହି ଉତ୍ସବର ଟିଟିଲାଗଡର ଢାପ , ଖୋର୍ଦ୍ଧାର ପାଇକ ଆଖଡା , ମୟୁରଭଂଜର ଛାଉ , ଢୋଲ ମୁହୁରୀ କଳା ପରିଷଦର ଡାଲଖାଇ , ଝିଅମାନଙ୍କ ଦ୍ୱାରା ସ୍ୱତନ୍ତ୍ର କାର୍ଯକ୍ରମ ଝୁମେର ଓ ରାଧାରାଣୀ ସାସ୍କୃତିକ ଅନୁଷ୍ଠାନ ତରଫରୁ କୋଶଳୀ ଦର୍ପଣ ପରିବେଷିତ ହେବ । ଚଳିତ ବର୍ଷ ବିଶିଷ୍ଟ ସଂଗୀତ ନିର୍ଦ୍ଧେଶତ ତଥା ସଂଗୀତ ନାଟକ ଏକାଡେମୀ ଦ୍ୱାରା ସମ୍ମାନୀତ ଶଙ୍କର ପ୍ରଧାନ , ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସମ୍ମାନୀତ ନବୀନ କୁଅଁର , ସମାଜସେବୀ ତଥା ଆଂଚଳିତ ଭାଷାରେ ଚଳଚିତ୍ର ନିର୍ମାଣ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଳାକାର ଡ.ଶ୍ରୀକର ମିଶ୍ର ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ମେଧାବୃତ୍ତି ପାଇଥିବା ଯୁବ ଲୋକନୃତ୍ୟ କଳାକାର ରୀମା ବାଗଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯିବାକୁ ଥିବା ବେଳେ ଚଳିତ ବର୍ଷ ଲୋକକଳା ସମ୍ମାନ ଲୀଳା କଳାକାର ପ୍ରମୋଦ ମିଶ୍ର , ଲୋକ ସଙ୍ଗୀତ କଳାକାର ପ୍ରିୟଦର୍ଶିନୀ ସାହୁ ଓ ଲୋକନାଟକ କଳାକାର ଅରବିନ୍ଦ ବାଗଙ୍କୁ ପ୍ରଦାନ କରାଯିବ । ସେହିପରି ଚଳିତ ବର୍ଷ ବାବାଜୀ ସମ୍ମାନ ଲୋକ ସଙ୍ଗୀତ କଳାକାର ସୁଦାମ ବିଶିଙ୍କୁ ପ୍ରଦାନ କରାଯିବ ବୋଲି ସଭାପତି ଶ୍ରୀ ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି । ଲୋକକଳା ଉତ୍ସବ ର ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିବା ପାଇଁ ଆସନ୍ତା ୨୨ ତାରିଖ ସଂଧ୍ୟା ୫ ଘଣ୍ଟା ସମୟରେ ସ୍ଥାନୀୟ କୋଶଳ କଳା ମଣ୍ଡଳ ଠାରେ ସଂଯୋଜିକା ଓ ସଂଯୋଜକ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟିର ସଂଯୋଜକ ସୋମନାଥ ମିଶ୍ର ସୂଚନା ଦେଇଥିଲେ । ଏହି ଅବସରରେ ଲୋକକଳା ର ଲୋଗୋ କୁ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉନ୍ମୋଚିତ କରିଥିଲେ । କାର୍ଯ୍ୟକ୍ରମକୁ କୁନା ବାଗ ସଂଯୋଜନା କରିଥିବା ବେଳେ ସଂପାଦକ ବାସୁଦେବ ସା ମଂଚାସୀନ ଥିଲେ ଓ ଦିନେଶ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।