-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
08-Apr-2022
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ମାଟିର ସୁସନ୍ତାନ ତଥା ଏକାଧାରରେ ସମାଜସେବୀ, ରାଜନୀତିଜ୍ଞ,ସମସ୍ତଙ୍କର ସୁଖ ଦୁଃଖର ସାଥୀ,ବିନିକା ଅଞ୍ଚଳର ବିକାଶର ସାରଥୀ ଭାବେ ପରିଚିତ ଡଭଲା ଗ୍ରାମର ସ୍ବର୍ଗତ ରାଧାକାନ୍ତ ନାୟକଙ୍କ ପ୍ରତିମୂର୍ତ୍ତି ମାନ୍ୟବର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ଉନ୍ମୋଚନ ପରେ ମହାନ ବ୍ୟକ୍ତିଙ୍କୁ
ଅଞ୍ଚଳବାସୀ ଜାଣିଲେ,ଦେଖିଲେ ଓ ସବୁଦିନ ପାଇଁ ମନେରହିଲେ ।ପ୍ରକାଶ ଯୋଗ୍ୟ ଯେ ସ୍ବର୍ଗତ ରାଧାକାନ୍ତ ୧୯୧୧ମସିହା ଜୁଲାଇ ମାସ ୨୦ତାରିଖରେ ଜନ୍ମଗ୍ରହଣ କରିଥିଲେ ।ସେ ସମାଜସେବା କ୍ଷେତ୍ରରେ ନିଜକୁ ଉସର୍ଗକୃତ କରି ଲକ୍ଷ୍ୟପଥ ହାସଲ ପାଇଁ ଉଦ୍ୟମ ଜାରି ରଖିଲେ ।ପରେ ପରେ ବିନିକା ଅଞ୍ଚଳର ବିକାଶ ଦିଗରେ ପଦକ୍ଷେପ ନେବା ସହ ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇ ରାଜନୀତିରେ ପାଦ ପକାଇ ବିନିକା ଗ୍ରାମ ପଞ୍ଚାୟତର ସରପଞ୍ଚ,ନାଏକ ସରପଞ୍ଚ,ବିନିକା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାତା ସଭ୍ୟ,ସମ୍ପାଦକ,ବିଜ୍ଞାପିତ ପରିଷଦ ଗଠନ ପର ଠାରୁ ପ୍ରଥମ ସଦସ୍ୟ ଭାବେ ଦୀର୍ଘ ବର୍ଷ ଧରି ଦାୟିତ୍ଵ ତୁଲାଇଥିଲେ ।ସେହିପରି ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସହିତ ଘନିଷ୍ଟ ସମ୍ପର୍କ ରଖିଥିଲେ ।ଯାହାକି ୧୯୭୭ମସିହା ରାଜ୍ୟ ବିଧାନସଭା ନିର୍ବାଚନରେ ବିନିକା ନିର୍ବାଚନମଣ୍ଡଳୀ ପାଇଁ ସ୍ବର୍ଗତ ବିଜୁ ବାବୁ ଜନତା ପାର୍ଟି ଦଳରୁ ପ୍ରାର୍ଥୀ ପାଇଁ ଚୟନ କରିଥିଲେ ହେଲେ ନିଃସ୍ୱାର୍ଥ ସେବା ପାଇଁ ଉଚପଦପଦବିରେ ନ ରହିବା ପାଇଁ ସ୍ଥିର କରି ବିଜୁ ବାବୁଙ୍କୁ କହିବାରୁ ଧନ୍ୟବାଦର ପାତ୍ର ହୋଇଥିଲେ । ସେହିପରି ବିନିକା ସେବା ସମବାୟ ସମିତିର ସଭାପତି ଦାୟିତ୍ୱ ତୁଲାଇ ଚାଷୀ ଓ ଚାଷର ଉନ୍ନତି ପାଇଁ ସଂଗ୍ରାମ ଜାରି ରଖୁଥିଲେ ।ମନରେ କୌଣସି ଦ୍ୱିଧା ନ ରଖି ସବୁ ବେଳେ ସବୁ ସମୟରେ ଲୋକଙ୍କ ସେବା,ଅଞ୍ଚଳର ସେବା ଏବଂ ବିଭିନ୍ନ ଦାୟିତ୍ୟକୁ ନିର୍ଭିକ,ନିଃସ୍ଵାର୍ଥପର ଭାବେ ସମ୍ପାଦନା କରୁଥିବାରୁ ଅଞ୍ଚଳବାସୀଙ୍କ ଠାରେ ପ୍ରଶଂସନୀୟ ହୋଇଥିଲେ ।୧୯୮୭ମସିହା ଫେବୃଆରୀ ୨୦ତାରିଖରେ ତାଙ୍କର ପରଲୋକ ଖବର ପ୍ରଚାରିତ ହେବା ପରେ ସାରା ବିନିକା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା ।ବିନିକା ଏନଏସି ତରଫରୁ ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ଶରତ ବରାଇଙ୍କ ନେତୃତ୍ୱରେ ପରିଷଦର ସମସ୍ତ ସଦସ୍ୟ ଓ କର୍ମଚାରୀ କାର୍ଯ୍ୟାଳୟକୁ ଦିନକ ପାଇଁ ଛୁଟି ଘୋଷଣା କରି ଶୋକ ପାଳନ କରିଥିଲେ ।ସେହିପରି ବିନିକା ହାଇସ୍କୁଲର ସମସ୍ତ ଷ୍ଟାଫ ସ୍ବର୍ଗତ ରାଧାକାନ୍ତଙ୍କ ବିୟୋଗରେ ଭାଙ୍ଗିପଡ଼ି ତାଙ୍କର ଅବଦାନ
ସବୁଦିନ ପାଇଁ ମନେ ରହିବ ବୋଲି କହିଥିଲେ ।ଅନ୍ୟ ପକ୍ଷରେ ସାଧାରଣ ଜନତା ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ତରଫରୁ ମଧ୍ୟ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରାଯାଇଥିଲା ସ୍ବର୍ଗତ ରାଧାକାନ୍ତ ନାୟକଙ୍କ ବିନିକା ପାଇଁ ଅବଦାନ ଓ ତାଙ୍କ ବିଷୟରେ ପିଢ଼ି ପରେ ପିଢ଼ି ଜାଣିବା ନେଇ ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିବାରୁ ସାରା ଅଞ୍ଚଳବାସୀଙ୍କ ଠାରେ ଖୁସିର ଲହରୀ ଖେଳିଯାଇଛି ।