-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
03-Feb-2022
ପୁରୀ : ପଞ୍ଚାୟତ ନିର୍ବାଚନ ନିମନ୍ତେ ବ୍ଲକସ୍ତରୀୟ ଅଧିକାରୀ ମାନଙ୍କୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ଅଧିକାରୀ ବିଡିଓ, ତହସିଲଦାର, ବ୍ଲକ ଶିକ୍ଷାଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ଉକ୍ତ ବ୍ଲକ ସ୍ତରୀୟ ଅଧିକାରୀ ମାନେ ସଂପୃକ୍ତ ବ୍ଲକର ପୋଲିଂ ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରିବେ । ଏହାପରେ ଆସନ୍ତା ୭,୮ ଓ ୯ ତାରିଖରେ ସଂପୃକ୍ତ ବ୍ଲକ ସ୍ତରରେ ପୋଲିଂ ଓ ପ୍ରିଜାଇଡିଂ ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରାଯିବ । ଜିଲ୍ଲାରେ ସ୍ବଚ୍ଛ, ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ନିର୍ବାଚନ ଦାୟ୍ବିତ୍ବରେ ଅବହେଳା କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ବର୍ମା ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୬ ତାରିଖରେ କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ କଣାସ ବ୍ଲକରେ ମତଦାନ ହେବ । ଉକ୍ତ ନିର୍ବାଚନ ସହ ସଂପୃକ୍ତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଧିକାରୀ ଓ କର୍ମଚାରୀ ମାନଙ୍କୁ କରୋନା ବୁଷ୍ଟର ଡୋଜ ପ୍ରଦାନ ବାଧ୍ୟତାମୂଳକ କରାଯାଇଛି । କୋଭିଡ ନିର୍ଦ୍ଦେଶନାମା ପାଳନ କରି ମତଦାନ ଅନୁଷ୍ଠିତ ହେବ । ଜିଲ୍ଲାରେ ୩୮୦୪ ଟି ମତଦାନ କେନ୍ଦ୍ର ରହିଛି । ଏଥିନିମନ୍ତେ ୬ ହଜାର ଅଧିକାରୀ ଓ କର୍ମଚାରୀ, ୨୬୪ ଜଣ ସେକ୍ଟର ଅଫିସର ନିୟୋଜିତ ରହିବେ ।
ଆଜିର ମୁଖ୍ୟ ତାଲିମ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକା ଶ୍ରୀମତୀ ରଶ୍ମିରେଖା ଦାସ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଚିନ୍ମୟ କୁମାର ପାଣିଗ୍ରାହୀ, ମୁଖ୍ୟ ତାଲିମ ପ୍ରଦାନକାରୀ ପ୍ରମୁଖ ଉପସ୍ଥିତ ଥିଲେ ।