-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
10-Oct-2026
ଦେଓଗାଁ(ପ୍ରେରଣା ଖବର): ପଞ୍ଚାୟତ ସମିତି ଡିଗ୍ରୀ କଲେଜ, ଦେଓଗାଁ, ବଲାଙ୍ଗୀରର ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ୟୁନିଟ୍ ପକ୍ଷରୁ ‘ନିଶାମୁକ୍ତ ଯୁବ, ବିକଶିତ ଭାରତ’ ସଂକଳ୍ପ ଅଭିଯାନ ଅନ୍ତର୍ଗତ ‘ଯୁବ ସଂବାଦ ମେଳା’ ଆଜି ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଏହି ମେଳାର ମୁଖ୍ୟ ବିଷୟବସ୍ତୁ ଥିଲା ‘ମୋ ସ୍ୱାସ୍ଥ୍ୟ, ମୋ ଗର୍ବ’। ଏହି କାର୍ଯ୍ୟକ୍ରମଟି ଭାରତ ସରକାରଙ୍କ ଯୁବ କାର୍ଯ୍ୟକ୍ରମ ଓ କ୍ରୀଡ଼ା ମନ୍ତ୍ରଣାଳୟ, ଆଞ୍ଚଳିକ ନିର୍ଦ୍ଦେଶାଳୟ, ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍), ଭୁବନେଶ୍ୱରଙ୍କ ସହଯୋଗରେ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମର ପ୍ରାରମ୍ଭରେ ନିଶାମୁକ୍ତ ସମାଜ ଗଠନ ଓ ଯୁବପିଢ଼ିଙ୍କ ମଧ୍ୟରେ ନିଶାଦ୍ରବ୍ୟ ସେବନ ବିରୋଧରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ
ସଚେତନତା ରାଲି ବାହାରିଥିଲା। ଏହାପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ପ୍ରଧାନୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଚିକିତ୍ସା ଅଧିକାରୀ ଡ଼ା. ଅଶୋକ ସେଠୀ ଯୋଗଦେଇ ନିଶାଦ୍ରବ୍ୟ ସେବନର କୁପରିଣାମ ତଥା ଏହାର ପ୍ରଭାବରେ ଯୁବପିଢ଼ିଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ଭବିଷ୍ୟତ ଉପରେ ପଡ଼ୁଥିବା କୁପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡ଼ା. ମଳୟ ନାଗ ଯୋଗଦେଇ ନିଶାମୁକ୍ତ ଜୀବନଶୈଳୀ ଆପଣାଇବା ସହ ସୁସ୍ଥ ଓ ସୁନ୍ଦର ସମାଜ ଗଠନରେ ଯୁବପିଢ଼ିଙ୍କ ଭୂମିକା ଉପରେ ମତବ୍ୟକ୍ତ କରିଥିଲେ।
ବକ୍ତାମାନେ ଯୁବସମାଜକୁ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ସହ ନିଜ ପରିବାର, ସମାଜ ଓ ଦେଶର ଉନ୍ନତି ପାଇଁ ସଚେତନ ଓ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିଉଠିବାକୁ ଆହ୍ୱାନ ଦେଇଥିଲେ। ନିଶାମୁକ୍ତ ଯୁବସମାଜ ହିଁ ଏକ ସୁସ୍ଥ, ସମୃଦ୍ଧ ଓ ବିକଶିତ ଭାରତ ଗଠନର ମୂଳ ଆଧାର ବୋଲି ସେମାନେ ମତ ପ୍ରକାଶ କରିଥିଲେ।
ଏହି ମେଳା ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ଅଭିନୟ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାଗୁଡ଼ିକ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଶାମୁକ୍ତ ଜୀବନ, ସୁସ୍ଥ ଅଭ୍ୟାସ ଓ ସାମାଜିକ ସଚେତନତା ସମ୍ପର୍କରେ ନିଜର ମତାମତ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ସାହର ସହ ଯୋଗଦେଇଥିଲେ।
କାର୍ଯ୍ୟକ୍ରମର ସଂଯୋଜନା ଡ. ସୁରେଶ ପ୍ରସାଦ ଷଡ଼ଙ୍ଗୀ କରିଥିବା ବେଳେ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଆଶିଷ କୁମାର ପଣ୍ଡା ଆବାହକ ଭାବେ ଦାୟିତ୍ୱ ତୁଲାଇଥିଲେ। ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।
ଶେଷରେ ପୁରସ୍କାର ବିତରଣ କରାଯାଇଥିଲା। ଯୁବପିଢ଼ିଙ୍କ ମଧ୍ୟରେ ନିଶାମୁକ୍ତ ଜୀବନ ପ୍ରତି ସଚେତନତା ସୃଷ୍ଟି କରିବା ସହ ସୁସ୍ଥ, ସୁନ୍ଦର ଓ ବିକଶିତ ଭାରତ ଗଠନ ପାଇଁ ଏହି ଯୁବ ସଂବାଦ ମେଳା ଏକ ସଚେତନତାମୂଳକ ପଦକ୍ଷେପ ଭାବେ ପରିଗଣିତ ହୋଇଥିଲା।