-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
03-Feb-2022
ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ) : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜିତିବା ଏବେ ସବୁ ପାର୍ଟି ପାଇଁ ସମ୍ମାନ ର ବିଷୟ । କାହିଁକିନା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଭୋଟର ଉଭୟ ରାଜ୍ଯ ଶାସନ ରେ ଥିବା ବିଜେଡି ଓ କେନ୍ଦ୍ର ଶାସନ ରେ ଥିବା ବିଜେପି କୁ ପଛରେ ପକାଇ କଂଗ୍ରେସ ପାର୍ଟି ସମର୍ଥିତ ସନ୍ତୋଷ ସିଂହ ସାଳୁଜା ଙ୍କୁ ବିଧାୟକ ଭାବରେ ବାଛିଥିଲେ। ତେବେ ଗତ ବିଧାନସଭା ନିର୍ବାଚନ ରେ ବିଜେପି ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ ଟିକେ ଟିକେ ରେ ପଛରେ ପଡି
ଯାଇଥିବାରୁ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଉଭୟ କଂଗ୍ରେସ ଓ ବିଜେଡି ଠାରୁ ଅଧିକ ସଂଖ୍ୟକ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ କିପରି ଜିତାଇ ହେବ ସେଥିପାଇଁ ଚେଷ୍ଟା ଆରମ୍ଭ କରିଛନ୍ତି। ବିଧାୟକ ସନ୍ତୋଷ ସିଂହ ସାଳୁଜା ଓ ବିଜେପି ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ ନିଜ ନିଜ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ମୈଦାନ ରେ ଓହ୍ଲାଇ ପ୍ରଚାର ଆରମ୍ଭ କରିଦେଲେଣି। ହେଲେ ବିଜେଡି ଏଥର ପ୍ରଚାର ମୈଦାନ ରେ ପୁରାଦମ ଦେଖାଉଥିବା ପ୍ରଥମରୁ ଦେଖାଗଲାଣି। ବିଜେଡି ସମର୍ଥୀତ ପ୍ରାର୍ଥୀଙ୍କ ପାଇଁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଥିବା ଅଜୟ ଦାସ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାନ , ବିଜେଡି ଜିଲ୍ଲା ଉପ ସଭାପତୀ ଉମାକାନ୍ତ ସାହୁ ପ୍ରମୁଖ ପ୍ରଥମରୁ ପ୍ରଚାର ପାଇଁ ମୈଦାନ ରେ ଥିବା ବେଳେ ମନ୍ତ୍ରୀ ସୁଶାନ୍ତ ସିଂହ ଓ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଆୟୁବ ଖାନ ସିନ୍ଧେକେଲା ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଅଫିସ କୁ ପହଞ୍ଚି କର୍ମୀ ମାନଙ୍କୁ ନିର୍ବାଚନ ଜିତିବା ମନ୍ତ୍ର ପଢାଇଛନ୍ତି। ହେଲେ ବିଜେପି ଏବଂ କଂଗ୍ରେସ ଅଦ୍ୟାବଧି ପର୍ଯ୍ୟନ୍ତ କେବଳ ବିଧାୟକ ପ୍ରାର୍ଥୀ ଓ ବିଧାୟକ ଙ୍କ ଉପରେ ନିର୍ବାଚନ ପ୍ରଚାର ନ୍ୟସ୍ତ କରିଥିବା ଦେଖା ଯାଉଛି । ଗତ ନିର୍ବାଚନ ରେ ବଙ୍ଗୋମୁଣ୍ଡା ବ୍ଲକ ରେ ଥିବା ଦୁଇଟି ଜିଲ୍ଲାପରିଷଦ ଜୋନ ମଧ୍ଯରୁ ୨୦ ନମ୍ବର ଜୋନ ବଙ୍ଗୋମୁଣ୍ଡା ଆସନରୁ ବିଜେଡି ପ୍ରାର୍ଥୀ ଉଦ୍ଧବ ବେହେରା ଜିତ ହାସଲ କରିଥିଲେ ଓ ୨୧ ନମ୍ବର ଜୋନ ସିନ୍ଧେକେଲା ଆସନ ରୁ ବିଜେପିରୁ ଛନ୍ଦାରାଣୀ ନାଏକ ନିର୍ବାଚିତ ହୋଇ ଥିଲେ । କଂଗ୍ରେସ ବଙ୍ଗୋମୁଣ୍ଡା ବ୍ଲକର ଦୁଇଟି ଆସନରେ ନିଜ ଖାତା ବି ଖୋଳି ପାରିନଥିଲା। କିନ୍ତୁ ଗୁରୁତ୍ବପୂର୍ଣ୍ଣ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ପଦ କଂଗ୍ରେସ ବିଧାୟକ ସାଳୁଜା ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ବସାଇବାରେ ସମର୍ଥ ହୋଇଥିଲେ। ତେଣୁ ଏହି ବ୍ଲକ ତିନି
ପ୍ରମୁଖ ଦଳକୁ ତିନୋଟି ପଦବି ଦେଇଛି । ଏଥିରୁ ସ୍ପଷ୍ଟ ତିନି ଦଳ କେହି କାହା ଠାରୁ କମ ନୁହଁନ୍ତି ଏବଂ ଏହି ବ୍ଲକ କୋଉ ଦଳକୁ ବି ନିରାଶ କରିନାହିଁ। ହେଲେ ଚଳିତ ନିର୍ବାଚନରେ ବ୍ଲକର ଭୋଟର କୋଉ ଦଳକୁ କେତେ ସମର୍ଥନ କରିବେ ତାହା ଏବେ ସବୁ ଦଳର ନେତାଙ୍କ ନିଦ ହଜାଇଲାଣି ତେଣୁ ନିର୍ବାଚନ ମୈଦାନ ରେ ଚାଳିଛି କସରତ ନିଜ ଦଳର ପ୍ରାର୍ଥୀଙ୍କୁ ଜିତେଇବା ପାଇଁ ।