-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
24-Jan-2022
ସମ୍ବଲପୁର(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ୟୁଏଇର ଦୁବାଇ ଠାରେ ଗ୍ଲୋବାଲ ଓଡ଼ିଆସ୍ ଫର୍ ଓଡ଼ିଶା ଡେଭଲପମେଣ୍ଟ ‘ ଗୁଡ଼’ ସଂଗଠନ ପକ୍ଷରୁ ତୃତୀୟ ବର୍ଷ ପାଇଁ ମହାନ୍ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୪ତମ ଜୟନ୍ତୀ ପାଳନ କରାଯାଇଥିଲା I ଭରଚୁଆଲ ଅନ୍ଲାଇନ୍ରେ ହୋଇଥିବା ଏହି ସମାରୋହରେ ସଂଗଠନର ଉପଦେଷ୍ଟା କ୍ୟାପଟେନ୍ ସୌମ୍ୟରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥୁ ରୂପେ ଯୋଗ ଦେଇ ଦୁବାଇରେ ଅବସ୍ଥାପିତ ଭାରତୀୟ କନ୍ସଲ୍ (ଭିସା ଓ କମ୍ୟୁନିଟି ବ୍ୟାପାର) ଉତ୍ତମ ଚାନ୍ଦ ମହାନ୍ ସ୍ଵାଧୀନତା ସଂଗ୍ରାମୀ ତଥା ଦେଶଭକ୍ତ ବୀର ସୁରେନ୍ଦ୍ର ସାଏଙ୍କ ଭଳି ବରପୁତ୍ରଙ୍କ ଜୟନ୍ତୀ ପାଳିତ ହେବା ଉଲ୍ଲେଖନୀୟ ବିଷୟ । ସେ ଚରମ ତ୍ୟାଗ ସ୍ଵୀକାର କରି ଜୀବନର ଅର୍ଦ୍ଧାଧିକ ସମୟ ଅର୍ଥାତ୍ ୩୭ ବର୍ଷ କାରାବରଣ କରିବା ଇତିହାସରେ ଏକ ବିରଳ ପ୍ରସଙ୍ଗ ହୋଇ ରହିବ I ଏହି ଭଳି ବୀରଙ୍କ ଜୀବନୀ ଏବଂ କାର୍ଯ୍ୟାବଳୀରୁ ସଂଗ୍ରହ କରିବାରେ ସହଯୋଗ କରାଯିବ ବୋଲି ଉତ୍ତମ ଚାନ୍ଦ କହିଥିଲେ I ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଗୋପାଳବଲ୍ଲଭ ପଟ୍ଟନାୟକ ବୀର ସୁରେନ୍ଦ୍ର ସାଏଙ୍କ ନିଷ୍ଠା ଓ ପରାକାଷ୍ଠାକୁ ସ୍ମରଣୀୟ କରିବା ପାଇଁ ଦୁବାଇରେ ହେଉଥିବା ଉଦ୍ୟମକୁ ପ୍ରଶଂସା କରିଥିଲେ । ଜଣାଶୁଣା ଗୀତିକାର ତଥା କବି ସଂଗ୍ରାମ କେଶରୀ ମହାନ୍ତି (ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ହରିହର ମହାନ୍ତିଙ୍କ ପୁତ୍ର) ବୀର ସୁରେନ୍ଦ୍ର ସାଏଙ୍କ ଉପରେ ଲିଖତ ଏକ କବିତା ପାଠ କରିଥିଲେ I ଲୋକକବିରତ୍ନ ପଦ୍ମଶ୍ରୀ ଡ. ହଲଧର ନାଗ ଗତ କିଛି ବର୍ଷ ଧରି ବିଦେଶ ମାଟିରେ ବୀର ସୁରେନ୍ଦ୍ର ସାଏଙ୍କୁ ସ୍ମରଣ କରିବା ଅବସରରେ ଏକ ସମ୍ବଲପୁରୀ କବିତା ଆବୃତ୍ତି କରି ସାମିଲ ଅଂଶଗ୍ରହଣକାରୀମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ I ସଭାପତି କ୍ୟାପଟେନ୍ ପଟ୍ଟନାୟକ ବୀର ସୁରେନ୍ଦ୍ର ସାଏଙ୍କ ଭଳି ବିଶ୍ବର ଅଦମ୍ୟ ଯୋଦ୍ଧାଙ୍କ ଜୀବନୀକୁ ବିଶ୍ବ ଦରବାରରେ ଉପସ୍ଥାପନ କରିବା ଉପରେ ଜୋର ଦେଇଥିଲେ। ‘ଗୁଡ଼’ ସଂଗଠନ ପକ୍ଷରୁ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପର୍ଯ୍ୟଟନ, ଅସୁମାରୀ ସଂପଦ, ସମୁଦ୍ର ତଟ, ଦର୍ଶନୀୟ ସ୍ଥାନକୁ ଲୋକଲୋଚନକୁ ଆଣିବା ପାଇଁ ଉଦ୍ୟମ କରାଯିବ ବୋଲି କହିଥିଲେ I ‘ଗୁଡ଼’ର ବରିଷ୍ଠ ସଦସ୍ୟ ବହୁରାଷ୍ଟ୍ରୀୟ କମ୍ପାନୀର ଜେନେରାଲ ମେନେଜର ପ୍ରିୟଦର୍ଶୀ ପାଣିଗ୍ରାହୀ କହିଲେ ଯେ, ପ୍ରଥମ ସ୍ଵାଧୀନତା ସଂଗ୍ରାମ କୁହାଯାଉଥିବା ସିପାହୀ ବିଦ୍ରୋହର ବହୁ ବର୍ଷ ପୂର୍ବରୁ ମାତ୍ର ୧୮ ବର୍ଷ ବୟସରେ ଦେଶର ସୁରକ୍ଷା ପାଇଁ ନିଜର ଯୌବନ ଓ ପରିବାରର ସ୍ବାର୍ଥକୁ ଭୃକ୍ଷେପ ନ କରି ବୀର ସୁରେନ୍ଦ୍ର ସାଏ ବିପ୍ଳବର ବନ୍ନି ପ୍ରଜ୍ୱଳିତ କରିଥିଲେ । ଏହାଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର ପ୍ରମାଣିକ ଚିତ୍ର ନିର୍ମାଣ କରିବା ପାଇଁ ଏକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବର୍ତ୍ତମାନ ସୁଦ୍ଧା ବୀର ସୁରେନ୍ଦ୍ର ସାଏଙ୍କ ଉପରେ ବିଶେଷ କିଛି ତଥ୍ୟ ଦୃଶ୍ୟମାନ ହେଉ ନାହିଁ ବୋଲି ସେ କହିଥିଲେ I ଏହି ଅବସରରେ ଚିତ୍ରଶିଳ୍ପୀ ମୋନା ବିଶ୍ଵରୂପା ମହାନ୍ତି ବୀର ସୁରେନ୍ଦ୍ର ସାଏଙ୍କ ଉପରେ ଏକ ଚିତ୍ର ଅଙ୍କନ କରିଥିଲେ। ପ୍ରୀତିଶରଂଜନ ଦାଶ, ଅବନୀ ମେହେର, ସୁଧାଂଶୁ ମିଶ୍ର ପ୍ରମୁଖ ବିଶିଷ୍ଟ ପ୍ରବାସୀ ସଦସ୍ୟମାନେ ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତିଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏକ ବହୁରାଷ୍ଟ୍ରୀୟ କମ୍ପାନୀର ଫାଇନାନ୍ସ ମେନେଜର ରଜତ ରଥ ଧନ୍ୟବାଦ ଅର୍ପଣ କରିଥିଲେ I