-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
14-Jan-2022
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା )
ଆପଣ ଥରେ ନଜର ପକାନ୍ତୁ ଏ ଘରର ଦୃଶ୍ୟ ଉପରେ , କେମିତି ରହୁଛନ୍ତି ଏଠିକାର ପରିବାର ।
ଅତି ଗରିବ ନିରୀହ ବାସ ହିନ ବ୍ୟକ୍ତି ଙ୍କୁ ଚିହ୍ନଟ କରି ଘର ଖଣ୍ଡିଏ ଯୋଗେଇ ଦେବାପାଇଁ ତିଆରି ହୋଇଛି ଆବାସ ଯୋଜନା l କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏଥିପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା ହେଲେ ଏବେ ବି ପ୍ରଶାସନର ଆଡୁ ଆଳରେ ରହୁଛନ୍ତି ପ୍ରକୃତ ହିତାଧକାରୀ l ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି,
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ କନ୍ଦାବୁଟୁରା ଗ୍ରାମ ପଞ୍ଚାୟତ କନ୍ଦାବୁଟୁରା ଗାଁର ରଜତରାମ ଦୀପ ପାଇଁ , ସ୍ତ୍ରୀ ଙ୍କ ମୃତ୍ୟୁ ପରେ ଏବେ ସେ ତାଙ୍କ ବୃଦ୍ଧା ମାଙ୍କ ସାଥିରେ ରହି ବୃଦ୍ଧା ମାଙ୍କ ଯତ୍ନ ନିଅନ୍ତି ।
ରଜତରାମ ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ ଠାରୁ ବ୍ଳକ ପ୍ରଶାସନ ପାଖରେ ଘର ଖଣ୍ଡିଏ ପାଇଁ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳି ନ ଥିବା ସେ କହିଛନ୍ତି । ଏବେ ରଜତରାମ ଘର ଖଣ୍ଡିଏ କରିବା ତାଙ୍କ ପକ୍ଷରେ ଅସମ୍ଭବ। ବୃଦ୍ଧା ମା କୁ ନେଇ କଷ୍ଟରେ ଚଳୁଥିବା ବେଳେ ରଜତରାମ ଝାଟିମାଟିର ଏକ ଚାଳଛପର କୋଠରୀରେ ଦିନ ରାତି, ଖରା ବର୍ଷା ଶୀତ କାକର , ଝଡ ତୋଫାନରେ ଦିନକାଟୁଛନ୍ତି।
ଏଠାରେ ପ୍ରଶ୍ନ ଉଠେ ଯେ ସରକାର ଙ୍କ ଆବାସ ଯୋଜନା କାହା ପାଇଁ ? ଯୋଗ୍ୟ ହିତାଧିକାରୀ ଙ୍କୁ ମିଲି ପାରୁ ନାହିଁ ସରକାରଙ୍କ ଆବାସ ଯୋଜନା। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତି ଙ୍କ ନାମ ତାଲିକାରେ ନଥିଲେ ମଧ୍ୟ ଗ୍ରାମାଞ୍ଚଳରେ ବାସ କରୁଥିବା ପ୍ରକୃତ ଗରୀବ ପରିବାରକୁ ବାସଗୃହ ଯୋଗାଇ ଦିଆଯାଏ। ସରକାରଙ୍କ ଅନେକ ଯୋଜନା, ବିଜୁପକ୍କାଘର,ମୋ କୁଡିଆ, ପ୍ରଧାନମନ୍ତ୍ରୀ ଆବାସ , ଇନ୍ଦିରା ଆବାସ ଯୋଜନା , ମାନ ଥିବା ସତ୍ତ୍ବେ ମଧ୍ୟ ଦୀର୍ଘଦିନ ରୁ ବଞ୍ଚିତ ହୋଇ ରହିଛନ୍ତି ରଜତରାମ ଦୀପ । ଯଦି ସରକାରଙ୍କ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି ଘର ଖଣ୍ଡିଏ ଯୋଗାଇ ଦେଲେ ରଜତରାମଙ୍କ ପରିବାର ଉପକୃତ ହେବେ ବୋଲି ଗ୍ରାମବାସୀ ମାନେ ସରକାରଙ୍କ ପାଖରେ ନିବେଦନ କରିଛନ୍ତି। ତେବେ ଦେଖାଯାଉ ଖବର ପ୍ରକାଶ ପରେ ପ୍ରଶାସନ କଣ ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା l