-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
12-Nov-2020
ଟିଟିଲାଗଡ଼/ବଲାଙ୍ଗୀର,(ପ୍ରେରଣା ଖବର) - ଚିକିତ୍ସା ଅଭାବରୁ ଗୋଟିଏ ଦିନରେ ଚାଲିଗଲା ଦୁଇଟି ଅମୂଲ୍ୟ ଜୀବନ। ଏପରି ଏକ ହୃଦୟବିଦାରକ ଘଟଣା ଜିଲ୍ଲା ଟିଟିଲାଗଡ଼ ସବଡିଭିଜନ୍ ରେ ଘଟିଥିବା ଜଣାଯାଇଛି। ସୂଚନା ଅନୁଯାୟୀ ଟିଟିଲାଗଡ଼ ଥାନା ଅନ୍ତର୍ଗତ ବାହ୍ମଣୀପଦର ଗ୍ରାମ ର କୁଂତ ସୁନା(୫୦)(ଛଦ୍ମନାମ) ଓ ତାଙ୍କ ସ୍ତ୍ରୀ ବାସନ୍ତୀ ସୁନା (୩୮) (ଛଦ୍ମନାମ) ଉଭୟ ଏଚ ଆଇ ଭି/ ଏଡ୍ସରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ପ୍ରାୟ ଚାରି ମାସ ହେଲା ଘରେ ରହିଥିବା ବେଳେ ଉପଯୁକ୍ତ ଚିକିତ୍ସା ଅଭାବରୁ ବୁଧବାର ସକାଳ ପ୍ରାୟ ୧୦ ଟା ବେଳେ କୁନ୍ତଙ୍କ ର ମୃତ୍ୟୁ ଘଟିଥିଲା। ସେହିପରି ସନ୍ଧ୍ୟା ୩ ଟା ବେଳେ ଶଯ୍ୟାଶାୟୀ ଅବସ୍ଥାରେ ମୃତ କୁନ୍ତଙ୍କ ସ୍ତ୍ରୀ ବାସନ୍ତୀଙ୍କ ମୃତ୍ୟୁ ଘଟିଥିଲା। ଉଭୟ ଗୁଜୁରାଟକୁ ଦାଦନ ଶ୍ରମିକ ଭାବେ ଯାଇ ଥିବା ବେଳେ ଗତ ଚାରି ମାସ ତଳେ କରୋନା ଯୋଗୁଁ ନିଜ ଗ୍ରାମକୁ ଫେରି ଆସିଥିଲେ। ସେମାନେ ଏଚଆଇଭି ଆକ୍ରାନ୍ତ ଥିବା ବେଳେ ଏ ନେଇ ଏ. ଆର.ଟି ଔଷଧ ସେବନ କରିବାକୁ ପାଇ ନ ଥିଲେ। ତାଙ୍କୁ ବଲାଙ୍ଗୀର ଜିଲ୍ଲା ଏଆରଟି କେନ୍ଦ୍ର ଯିବାକୁ କୁହାଯାଇଥିବା ବେଳେ ସେମାନେ ବସ, ଟ୍ରେନ ର ସୁବିଧା ନଥିବାରୁ ଯାଇପାରି ନଥିଲେ । ତେବେ ସେମାନେ ଅନ୍ୟ ଉପାୟ ନପାଇ ତାଙ୍କ ଗ୍ରାମରେ ଜଣେ କ୍ବାକ ର ଆଶ୍ରୟ ନେବା ସହ ଜଣେ ଗୁଣିଆର ଆଶ୍ରୟ ନେଇଥିଲେ । ଧୀରେ ଧୀରେ ଅଧିକ ଗୁରୁତର ହୋଇ ଶଯ୍ୟାଶାୟୀ ଅବସ୍ଥାରେ ପଡିରହିଥିଲେ । ଏପରି କି କୁନ୍ତ ଙ୍କ ମୃତ୍ୟୁ ଘଟିଥିବା ବେଳେ କେହି ଗ୍ରାମ ଲୋକେ ଦାହ ସଂସ୍କାର ପାଇଁ ଯାଇ ନଥିଲେ। କାନ୍ଦିକାନ୍ଦି ପ୍ରାୟ ଅପରାହ୍ନ ୩ ଟା ବେଳେ ବାସନ୍ତୀଙ୍କ ର ମଧ୍ୟ ମତ୍ୟୁ ଘଟିଥିଲା। ଘରେ ଜଣେ ବୃଦ୍ଧା ଯିଏ କି କୁନ୍ତ ଙ୍କ ମାଆ ଗ୍ରାମ ଲୋକଙ୍କୁ ଗୁହାରୀ କରିବା ସତ୍ୱେ କେହି ଶୁଣି ନ ଥିଲେ। ପ୍ରାୟ ସନ୍ଧ୍ୟା ୬ ଟା ବେଳେ ଟିଟିଲାଗଡ଼ ରୁ କିଛି ସ୍ବେଚ୍ଛାସେବୀ ଉକ୍ତ ଗ୍ରାମକୁ ଯାଇ ଗ୍ରାମର କିଛି ଯୁବକଙ୍କ ସହଯୋଗରେ ଶବ ସତ୍କାର କରିଥିଲେ । ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ସତ୍ୱେ ଉପଯୁକ୍ତ ଚିକିତ୍ସା ଅଭାବରୁ ଏପରି ମୃତ୍ୟୁ ଘଟିବା ଓ ଏଚ ଆଇ ଭି / ଏଡ୍ସ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କେବଳ କାଗଜ କଲମରେ ସୀମିତ ଏଥିରୁ ସ୍ପଷ୍ଟ ଅନୁମେୟ।