-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
22-Mar-2021
ଖଲ୍ଲିକୋଟ(ପ୍ରେରଣା ଖବର): ଏବେ ମହାରାଷ୍ଟ୍ର, ଗୁଜୁରାଟ ଓ ଅନ୍ୟ କେତେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗଂଜାମକୁ ଦୈନିକ କରୋନା ହଟସ୍ପଟ୍ ରାଜ୍ୟରୁ ଟ୍ରେନ ଯୋଗେ ଛତ୍ରପୁର, ବ୍ରହ୍ମପୁର ଓ ଖଲିକୋଟ ଷ୍ଟେସନରେ ପ୍ରବାସୀ ଓହ୍ଲାଉଛନ୍ତି। ଆଗକୁ ଗଂଜାମରେ ଦଣ୍ଡ ଯାତ୍ରା, ତାରାତାରିଣୀ ଯାତ୍ରା, ଦୋଳ ଯାତ୍ରା ଓ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା ହେବାକୁ ଯାଉଛି। ସାଧାରଣତଃ ପ୍ରବାସୀ ମାନେ ବିଭିନ୍ନ ମାନସିକ ପୂରଣ ପାଇଁ ଗଞ୍ଜାମକୁ ଫେରିଥାନ୍ତି। ହେଲେ କରୋନାର ଦ୍ଵିତୀୟ ଲହର ଆଶଙ୍କା କରି ଜିଲ୍ଲା ପ୍ରଶାସନ ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ ନେବା ଆରମ୍ଭ କରିଛି।
ଯାତ୍ରାପାଳନ ସକାଶେ ଲୋକେ ଜିଲ୍ଲା ବାହାରୁ ଆସୁଥିବା ଜଣା ପଡିଲେ ସେହି ଅଞ୍ଚଳର ଯାତ୍ରାକୁ ସ୍ଥଗିତ କରାଯିବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ବ୍ରହ୍ମପୁର ରେଳ ଷ୍ଟେସନରେ ଯାତ୍ରୀ ମାନଙ୍କର କରାଯାଉଥିବା ସ୍ବାସ୍ଥ୍ୟ ଯାଞ୍ଚ ଛତ୍ରପୁର ଏବଂ ଖଲ୍ଲିକୋଟ ଷ୍ଟେସନରେ ମଧ୍ୟ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅନ୍ୟ ରାଜ୍ୟରୁ ଗଞ୍ଜାମକୁ ଆସିଲେ ଆର୍ଟିପିସିଆର ନେଗେଟିଭ ପ୍ରମାଣପତ୍ର ଆଣିବା ବାଧ୍ୟତାମୂଳକ ବୋଲି ଜିଲ୍ଲାପାଳ କହିଛନ୍ତି। ନଆଣିଲେ ୭ ଦିନ କ୍ଵାରଣ୍ଟାଇନରେ ରହିବା ସହ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷଣ ଥିଲେ ଆର୍ଟିପିସିଆର ଟେଷ୍ଟ କରାଯିବ।
ସୋମବାର ଜିଲ୍ଲାପାଳ ଏ ସମ୍ପର୍କରେ ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ବିଭାଗୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ କୋଭିଡ୍ ସମୟରେ ଯେଉଁଭଳି ଭାବେ କଟକଣା ଜାରି କରାଯାଇ ପଞ୍ଚସୂତ୍ରୀ ନିୟମ ପାଳନକୁ ଗୁରୁତ୍ବ ଦିଆଯାଇଥିଲା, ତାହା ପୁଣି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ବାସ୍ଥ୍ୟଗତ ସମସ୍ୟାକୁ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ସକାଶେ ଯଦି ପ୍ରବାସୀ ମାନେ ଆସୁଛନ୍ତି ତେବେ ସେମାନଙ୍କର ସଂପୂର୍ଣ୍ଣ ତଥ୍ୟ ରେକର୍ଡଭୁକ୍ତ କରାଯିବା ସହିତ ସ୍ବାସ୍ଥ୍ୟ ଯାଂଚ୍ କରି ୭ ଦିନ ହୋମ୍ ଆଇସୋଲେସନ୍ ରେ ରଖାଯିବ।
ଏହା ବ୍ୟତୀତ ଯଦି ଦଣ୍ଡନାଚ, ଠାକୁରାଣୀ ଯାତ୍ରା ପାଳନ ନିମନ୍ତେ ଆସୁଥାନ୍ତି ତେବେ ସେମାନେ ଜିଲ୍ଲାକୁ ନ ଆସିବା ପାଇଁ କୁହାଯାଉଛି । ସ୍ଥାନୀୟ ଲୋକମାନେ ହିଁ ଯାତ୍ରାରେ ଅଂଶ ଗ୍ରହଣ କରିପାରିବେ । ବାହାରୁ ଆସୁଥିବା ଲୋକଙ୍କ ପ୍ରତି ନଜର ରଖିବା ସକାଶେ ସରପଞ୍ଚ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ତହସିଲଦାର ଓ ସଂପୃକ୍ତ ଅନ୍ୟାନ୍ୟ ଅଧିକାରୀ ଙ୍କୁ ଦାୟୀତ୍ବ ଦିଆଯାଇଛି। ଯଦି କେହି ଆସନ୍ତି ତେବେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରି ହୋମ୍ ଆଇସୋଲେସବରେ ରଖାଯିବ। ପ୍ରତିଦିନ ରିପୋର୍ଟ ସଂଗ୍ରହ କରାଯିବ । କେତେ ପ୍ରବାସୀ ଆସୁଛନ୍ତି ତାହା ରେକର୍ଡ କରାଯିବ । କୋଭିଡ୍ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଲେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବ।