-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
05-Mar-2021
ଭୁବନେଶ୍ବର(ପ୍ରେରଣା ଖବର): ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆଜି ୧୦୫ ତମ ଜନ୍ମ ବାର୍ଷିକ। ବିଜୁ ଜୟନ୍ତୀକୁ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ଭାବେ ପାଳନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେଡି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରାଜ୍ୟର ଜନସାଧାରଣଙ୍କ ସେବାରେ ନିଜକୁ ପୁନଃ ଉତ୍ସର୍ଗ କରିବା ସହିତ ଦଳୀୟ ଏକତା, ଶୃଙ୍ଖଳା ଏବଂ ଅନୁଶାସନ ପାଳନ କରିବା ନେଇ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନ ୧୦.୪୫ରେ ଫରେଷ୍ଟ ପାର୍କରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ପରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀ ସମାବେଶକୁ ଭର୍ଚୁଆଲ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବେ। ପ୍ରତି ନିର୍ବାଚନମଣ୍ଡଳୀ ସ୍ତରରେ ବିଜୁ ଜୟନ୍ତୀ ପାଳନ କରାଯିବ। ବିଜେଡି ପକ୍ଷରୁ ଏହି ଅବସରରେ ବିଜୁବାବୁଙ୍କ କଟକରୁ ପେଶୱାର ପର୍ଯ୍ୟନ୍ତ ୪୫୦୦ ମାଇଲର ଦୁଃସାହସିକ ସାଇକଲ ଯାତ୍ରାକୁ ମନେ ପକେଇ ଦେବାକୁ ଏକ ବଡ଼ ଧରଣର ସାଇକଲ ଯାତ୍ରାର ଆୟୋଜନ କରାଯାଇଛି। ଆଜି କଟକ ସ୍ଥିତ ବିଜୁବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନଠାରୁ ଭୁବନେଶ୍ୱର ବିମାନବନ୍ଦର ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ସାଇକଲ ଶୋଭାଯାତ୍ରାରେ ଆସିବେ ଦଳର କର୍ମକର୍ତ୍ତା। ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଆସନ୍ତାକାଲିଠାରୁ ଏପ୍ରିଲ ୧୭ ପର୍ଯ୍ୟନ୍ତ ଓଡ଼ିଶା ମୋ’ ପରିବାର ଓ ଜୀବନବିନ୍ଦୁ ସେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଏହି ଶିବିର କରାଯିବ।