-+91-9937148622 |
prerana_bgr@rediffmail.com |
Thursday 18th June 2026 |
R.N.I. Regd No. ODIODI/2010/46693
Breaking News
18-Jun-2026
ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ସମୃଦ୍ଧ କରିବା ଦିଗରେ ଜିଲ୍ଲା ପ୍ରଶାସନ ନୂତନ ପଦକ୍ଷେପ ଗ୍ରହଣ କରିଛି। ଖପ୍ରାଖୋଲ ବ୍ଲକର ବ୍ରାହ୍ମଣୀ ଗ୍ରାମରେ ମାଇକ୍ରୋ ଟୁରିଜିମ୍ ବିକାଶ କାର୍ଯ୍ୟ ତ୍ୱରିତ ଗତିରେ ଚାଲିଛି। ଏହା ବଲାଙ୍ଗିରର ପର୍ଯ୍ୟଟନ ମାନଚିତ୍ରରେ ନୂତନ ଆକର୍ଷଣୀୟ ଅଧ୍ୟାୟ ଯୋଡ଼ିବ ବୋଲି ଆଶା କରାଯାଉଛି । ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାରଙ୍କ ନିର୍ଦ୍ଦେଶକ୍ରମେ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ତରଣୀ ସୁନାଙ୍କ ନେତୃତ୍ୱରେ ଏକ ପ୍ରଶାସନିକ ଦଳ ବ୍ରାହ୍ମଣୀ ଗ୍ରାମରେ ମାଇକ୍ରୋ ଟୁରିଜିମ୍ ପ୍ରକଳ୍ପର ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ସେମାନେ ପ୍ରକଳ୍ପର ବିଭିନ୍ନ ଦିଗର ସମୀକ୍ଷା କରିଥିଲେ ଓ ଉନ୍ନୟନ କାର୍ଯ୍ୟର ଗୁଣାତ୍ମକ ମାନ ନିଶ୍ଚିତ କରିବାରେ ଗୁରୁତ୍ୱ ଦେଇଥିଲେ । ପରିଦର୍ଶନ ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝୀ, ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ଷଡ଼ଙ୍ଗୀଙ୍କ ସହିତ ବ୍ଲକ କାର୍ଯ୍ୟାଳୟର ଅନ୍ୟାନ୍ୟ
ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସ୍ଥାନୀୟ ସଂସ୍କୃତିକୁ ଆଧାର କରି ବିକଶିତ ହେଉଥିବା ଏହି ମାଇକ୍ରୋ ଟୁରିଜିମ୍ ପ୍ରକଳ୍ପ ଆଗାମୀଦିନରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହିତ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ଓ ରୋଜଗାର ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରଶାସନଙ୍କ ଏହି ପଦକ୍ଷେପ ବଲାଙ୍ଗିରର ପର୍ଯ୍ୟଟନ ମାନଚିତ୍ରକୁ ନୂତନ ଆକର୍ଷଣୀୟ ଅଧ୍ୟାୟ ଯୋଡ଼ିବା ସହିତ ସ୍ଥାନୀୟ ସମାଜର ସାମାଜିକ-ଆର୍ଥିକ ଉନ୍ନୟନରେ ମଧ୍ୟ ସହାୟକ ହେବ ବୋଲି ଆଶା କରାଯାଉଛି।