-+91-9937148622 |
prerana_bgr@rediffmail.com |
Saturday 13th June 2026 |
R.N.I. Regd No. ODIODI/2010/46693
Breaking News
08-Jun-2026
ଯାଜପୁର(ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ବଡ଼ଚଣା ବ୍ଲକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ। ବିଭାଗୀୟ ଅଧିକାରୀ ମାନେ ଏହି ଅଭିଯୋଗ ଗୁଡିକ ଯାଞ୍ଚ କରିବେ ଓ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କର ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ମୋଟ ୭୨ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୫୬ ଗୋଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୧୬ ଗୋଟି ଅଭିଯୋଗର ଶୁଣାଣି କରାଯାଇଥିଲା। ୧୬ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଉପ ଆରକ୍ଷୀ ଅଧିକ୍ଷକ, ଯାଜପୁର ରୋଡ, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଯୁଧିଷ୍ଠିର ନାଏକ, ଜିଲ୍ଲା ପରିଷଦ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲମ୍ବୋଦର ଖୁଣ୍ଟିଆ, ତହସିଲଦାର , ଦର୍ପଣ ଶ୍ରୀ ମାନସ କୁମାର ତ୍ରିପାଠୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ।
ଏହା ପରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ବଡ଼ଚଣା ବ୍ଲକ ଗସ୍ତ କରି ବଡ଼ଚଣା ପଞ୍ଚାୟତ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମାଳିଆ ପୋଖରୀ ଏବଂ ଏହାର ଆଖପାଖ ଅଞ୍ଚଳ ପରିଦର୍ଶନ କରିଥିଲେ। ପୋଖରୀ ମଧ୍ୟରେ ଅବସ୍ଥିତ ମନ୍ଦିରର ପୁନଃଉଦ୍ଧାର, ସୌନ୍ଦର୍ଯ୍ୟକରଣ ଓ ସମଗ୍ର ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନତି ସମ୍ପର୍କରେ ସେ ମାନ୍ୟବର ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକଙ୍କ ଉପସ୍ଥିତିରେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ପରିଦର୍ଶନ ସମୟରେ ପୋଖରୀ ଓ ମନ୍ଦିର ପରିସରକୁ ଏକ ଆକର୍ଷଣୀୟ ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ଏହି ଗସ୍ତ ଅବସରରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ତହସିଲଦାର, ଦର୍ପଣଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ବହୁ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।