-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
28-Apr-2026
କଟକ(ତପନ ମହନ୍ତି) - ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶ ସମନ୍ୱୟ ଏବଂ ତଦାରଖ କମିଟି (ଦିଶା) ବୈଠକ ଆଜି ପୂର୍ବାହ୍ନରେ ଓଡିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ ପରିସରରେ ମାନ୍ୟବର ସାଂସଦ,କଟକ ଶ୍ରୀ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମଧୁବାବୁଙ୍କ ଜନ୍ମତିଥି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ବୈଠକରେ ମାନ୍ୟବର ଜିଲ୍ଲା ପରିଷଦ ସଭାପତି ଶ୍ରୀ କିଶୋର ଚନ୍ଦ୍ର ମିଶ୍ର, ମାନ୍ୟବର ମେୟର ଶ୍ରୀ ସୁବାଷ ଚନ୍ଦ୍ର ସିଂ, ମାନ୍ୟବର ବିଧାୟକ ଆଠଗଡ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ , ମାନ୍ୟବର ବିଧାୟିକା, ବାରବାଟୀ-କଟକ, ଇଂ ସୋଫିଆ ଫିରଦୋସ, ମାନ୍ୟବର ବିଧାୟକ, କଟକ-ସଦର ଇଂ ପ୍ରକାଶ ଚନ୍ଦ୍ର ସେଠୀ, ମାନ୍ୟବର ବିଧାୟକ ବଡମ୍ବା ଶ୍ରୀ ବିଜୟ କୁମାର ଦଳବେହେରା, ମାନ୍ୟବର ବିଧାୟକ ବାଙ୍କୀ, ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ପ୍ରମୁଖ ଉପସ୍ଥିତ ରହି ବୈଠକରେ ଆଲୋଚନା କରିଥିଲେ ।
ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ସଂଯୋଜନାରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜିର ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପ୍ରାରମ୍ଭରେ ପୂର୍ବ ଦିଶା ବୈଠକର ଆଲୋଚନା ହୋଇଥିବା ପ୍ରସ୍ତାବିତ କାର୍ଯ୍ୟସୂଚୀ ଅନୁଯାୟୀ ଗ୍ରହଣ କରାଯାଇଥିବା ସମସ୍ତ କାର୍ଯ୍ୟର ଅଗ୍ରଗତି, କାର୍ଯ୍ୟାନୁଷ୍ଠାନ ଆଦି ସଂମ୍ପର୍କରେ ଜନ ପ୍ରତିନିଧି ମାନଙ୍କୁ ବୈଠକରେ ଉପସ୍ଥିତ ହୋଇଥିବା ସଂପୃକ୍ତ ଅଧିକାରୀମାନଙ୍କ ଦ୍ଵାରା ଅବଗତ କରାଯାଇଥିଲା ।
ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ରେଳ ପ୍ରକଳ୍ପ, ଡ୍ରେନେଜ ବ୍ୟବସ୍ଥା, ନୂତନ ସେତୁ ନିର୍ମାଣ , ନୂତନ ସଡ଼କ ନିର୍ମାଣ, ବିଦ୍ୟୁତ୍ ସଂଯୋଗୀକରଣ ସମ୍ପର୍କିତ ବିଷୟରେ ଗଭୀର ଆଲୋଚନା କରାଯାଇ ସମ୍ପୃକ୍ତ ବିଭାଗମାନଙ୍କୁ ଯଥା ଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାର ବିଭିନ୍ନ ମହାପୁରୁଷ ପୀଠ, ଦର୍ଶନୀୟ ସ୍ଥାନ ଓ ମନ୍ଦିର ଗୁଡିକର ଉନ୍ନତିକରଣ ସହିତ ସେଠାକୁ ସଂଯୋଗ କରୁଥିବା ରାସ୍ତା ର ମରାମତି ଏବଂ ଆବଶ୍ୟକସ୍ଥଳେ ନୂତନ ରାସ୍ତା ନିର୍ମାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥି ସହ (କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ) ରାମେଶ୍ଵର ଠୁ ଟାଙ୍ଗୀ ପର୍ଯ୍ୟନ୍ତ ଥିବା ୧୧୦ କିମି ରାସ୍ତା ନିର୍ମାଣ କାର୍ଯ୍ୟକାରୀ ହେବା ପରେ କଟକ ଜିଲ୍ଲାର ଅଧିବାସୀ ଉପକୃତ ହେବା ସହ ଭୁବନେଶ୍ୱର ଓ କଟକ ସହରକୁ ଘେରିଥିବା ମୁଖ୍ୟ ରାସ୍ତାମାନଙ୍କରେ ଟ୍ରାଫିକ ସମସ୍ଯା ବହୁ ମାତ୍ରାରେ କମିବ ବୋଲି ସାଂସଦ ଶ୍ରୀ ମହତାବ ମତ ପ୍ରକାଶ କରିଛନ୍ତି।
ସମଗ୍ର ଜିଲ୍ଲାରେ ସାର ଯୋଗାଣ ସ୍ଥିତି ଓ ଚାଷୀମାନଙ୍କ ଚାହିଦା ପୂରଣ ସୁନିଶ୍ଚିତ କରିବା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହି ଅବସରରେ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଏଲପିଜି ଯୋଗାଣ ସ୍ଥିତି ସମ୍ବନ୍ଧରେ ଆଲୋଚନା କରି କହିଲେ ଯେ, ଯୁଦ୍ଧର କୌଣସି ପ୍ରଭାବ ନ ପଡିବ ସେଥିପ୍ରତି ସରକାର ଏବଂ ସମସ୍ତ ପ୍ରାଶାସନିକ ଅଧିକାରୀ ସଚେତନ ଅଛନ୍ତି। ଏଲପିଜି ର ଅନ୍ୟ ବିକଳ୍ପ ନିମନ୍ତେ ମଧ୍ୟ ବ୍ୟବସ୍ଥା କରାଯାଇ ସାରିଛି । ଯେଉଁଠି କଳାବଜାରୀ ସୂଚନା ପାଉଛନ୍ତି ଅତି ଶୀଘ୍ର ବିଭିନ୍ନ ସ୍ତରରେ ଥିବା ପ୍ରାଶାସନିକ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ। ଏଥି ସହ ସ୍ଥାନୀୟ ଲୋକମାନଙ୍କ ସହଯୋଗ ନେଇ, ସେମାନଙ୍କୁ କୌଣସି କ୍ଷତି ନ ପହଞ୍ଚାଇ ଓ ସେମାନଙ୍କ ସମର୍ଥନ ସୁନିଶ୍ଚିତ କରି, ପରସ୍ପର ସମନ୍ୱୟ ରକ୍ଷା କରି ଜିଲ୍ଲାର ବିଭିନ୍ନ ଅସମାପ୍ତ କାର୍ଯ୍ୟ ଗୁଡିକୁ ଖୁବ୍ ଶୀଘ୍ର ସମାପ୍ତ କରିବାକୁ ବୈଠକରେ ସାଂସଦ ନିର୍ଦ୍ଦେଶ ଦେଇଥିଲେ ।
ଆଜିର ବୈଠକରେ ଜଗତସିଂହପୁର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ବନ୍ଧୁ ଚରଣ ସାହୁ ଏବଂ କେନ୍ଦ୍ରାପଡା ସାଂସଦ ଙ୍କ ପ୍ରତିନିଧି ତଥା ବରିଷ୍ଠ ସଦସ୍ୟ ଶ୍ରୀ ରାମନାରାୟଣ ମହାନ୍ତି, ଜିଲ୍ଲା ପରିଷଦ ସଭାପତି ଶ୍ରୀ କିଶୋର ଚନ୍ଦ୍ର ମିଶ୍ର, ଆଠଗଡ ଉପଜିଲ୍ଲାପାଳ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା,କଟକ ସଦର ଉପଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ବାଙ୍କୀ ଉପଜିଲ୍ଲାପାଳ ଶ୍ରୀମତୀ ମନସ୍ଵିନୀ ଦାଶ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ଆଶିଷ କୁମାର ସାହୁ ଙ୍କ ସମେତ ଆଠଗଡ ଓ ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ, ବିଭିନ୍ନ ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷା,ବିଭିନ୍ନ ବିଭାଗର ଅଧିକ୍ଷଣ ଓ ନିର୍ବାହୀ ଯନ୍ତ୍ରୀ, ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରତିନିଧିମାନେ ଯୋଗ ଦେଇଥିଲେ ।