-+91-9937148622 |
prerana_bgr@rediffmail.com |
Tuesday 31st March 2026 |
R.N.I. Regd No. ODIODI/2010/46693
Breaking News
31-Mar-2026
ସିନାପାଲି, (ଚିନ୍ତାମଣି ନେତାମ):
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ଗ୍ରାମରେ ଗାଦି ହୀରାଗଡିଆ ବୈଙ୍ଗା ଓଟି ପରିବାରଙ୍କ ଆୟୋଜନରେ ତ୍ରୟ ବାର୍ଷିକ ବୁଢାଦେଓଙ୍କ ଗାଦିଯାତ୍ରା ୩୦ ମାର୍ଚ୍ଚରୁ ୧ ଏପ୍ରିଲ ପର୍ଯ୍ୟନ୍ତ ଭବ୍ୟ ଓ ଭାବବିହ୍ୱଳ ପରିବେଶରେ ପାଳିତ ହେଉଛି।
ତିନି ଦିନ ଧରି ଚାଲିଥିବା ଏହି ପବିତ୍ର ଉତ୍ସବ ଟିମନପୁର ଗ୍ରାମକୁ ଭକ୍ତି ଓ ଭାବନାରେ ଭିଜାଇ ଦେଇଛି। ପ୍ରତି ପାଞ୍ଚ ବର୍ଷରେ ଥରେ ପାଳିତ ହେଉଥିବା ଏହି ଗାଦିଯାତ୍ରା କେବଳ ପୂଜା-ଅର୍ଚ୍ଚନାରେ ସୀମିତ ନୁହେଁ, ବରଂ ବଂଶୀୟ ପରମ୍ପରାକୁ ଜୀବନ୍ତ ରଖିବା ସହିତ ସମ୍ପର୍କର ସୂତ୍ରକୁ ଆହୁରି ଦୃଢ଼ କରିଥାଏ।
ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ପାରମ୍ପରିକ ପୋଷାକରେ ସଜି, ବାଜା, ଗୀତ ଓ ନୃତ୍ୟରେ ନିଜ ସଂସ୍କୃତିକୁ ଉଜାଗର କରିଥିଲେ। “ଜୟ ସେବା ବୁଢାଦେଓ” ଓ “ଜୟ ଗଣ୍ଡ ବାନା” ଧ୍ୱନିରେ ସମଗ୍ର ପରିବେଶ ଗୁଞ୍ଜିଉଠିଥିବା ବେଳେ, ଅନେକ ଭକ୍ତ ଭାବବିହ୍ୱଳ ହୋଇ ଆଖିରେ ଆନନ୍ଦର ଲୁହ ନେଇ ପୂଜାରେ ଲିନ ହୋଇଥିଲେ।
ପୂଜକ ଭାବରେ ଦୁର୍ଯ୍ୟୋଧନ ଓଟି ଶ୍ରଦ୍ଧା ଓ ନିଷ୍ଠା ସହିତ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିବା ବେଳେ, ସଭାପତି ମଧୁସୂଦନ ଓଟି, ସମ୍ପାଦକ ଚୈତନ୍ୟ ଓଟି ଓ କୋଷାଧ୍ୟକ୍ଷ ଡମ୍ବରୁଧର ଓଟିଙ୍କ ନେତୃତ୍ୱରେ ସମଗ୍ର କାର୍ଯ୍ୟକ୍ରମ ଶୃଙ୍ଖଳାବଦ୍ଧ ଭାବେ ପରିଚାଳିତ ହୋଇଥିଲା।
ଏହି ମହୋତ୍ସବକୁ ସଫଳ କରିବାରେ ପୂର୍ଣ୍ଣଚନ୍ଦ୍ର ଓଟି, ଚୁଡ଼ଙ୍ଗ ସିଂ ଓଟି, ଚୌଧୁରୀ ଓଟି, ଗୋବିନ୍ଦ ଓଟି, ରିତା ଓଟି, ପିକମଣି ଓଟି, କଳାକାନ୍ତି ଓଟି, ସୁବଳ ଓଟି, ଭିକର ଓଟି, ଧରିତ୍ରୀ ଓଟି, ରିଖିରାମ ଓଟି, ଭୂମିସୁତା ଓଟି, ଅମିତ ଓଟି ସହ ଅନ୍ୟାନ୍ୟ ସଦସ୍ୟମାନଙ୍କ ଅବଦାନ ଉଲ୍ଲେଖନୀୟ ରହିଛି।
ବିଶେଷ କରି ରାତ୍ରି ସମୟରେ ବିଭିନ୍ନ ମନୋରଞ୍ଜନାତ୍ମକ କାର୍ଯ୍ୟକ୍ରମ—ପାରମ୍ପରିକ ନୃତ୍ୟ, ଗୀତ ଓ ସାମ୍ପ୍ରଦାୟିକ ଅନୁଷ୍ଠାନ—ଆୟୋଜିତ ହୋଇଥିବାରୁ ଉତ୍ସବର ଆକର୍ଷଣ ଆହୁରି ବଢ଼ିଥିଲା ଓ ଭକ୍ତମାନଙ୍କ ମନକୁ ମୋହିତ କରିଥିଲା।
ଗାଦିଯାତ୍ରା କେବଳ ଧାର୍ମିକ ଆୟୋଜନ ନୁହେଁ; ଏହା ହେଉଛି ଏକତା, ପରମ୍ପରା ଓ ସଂସ୍କୃତିର ଜୀବନ୍ତ ଚିତ୍ର। ଟିମନପୁରର ଏହି ଭାବପ୍ରବଣ ଆୟୋଜନ ଆଗାମୀ ପିଢ଼ୀ ପାଇଁ ଏକ ଅଭୁଲା ସ୍ମୃତି ଭାବେ ରହିବ।