-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
02-Jul-2026
ବଲାଙ୍ଗୀର(ପ୍ରେରଣା ଖବର): ‘ଭି.ବି.-ଜି ରାମ ଜି (VB-G RAM G) ଅଧିନିୟମ–୨୦୨୫’ର ସଫଳ କାର୍ଯ୍ୟକାରିତା ଏବଂ ଏହା ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବଲାଙ୍ଗୀର ଡିଏଫଓ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧିନିୟମର ଉଦ୍ଦେଶ୍ୟ, ବୈଶିଷ୍ଟ୍ୟ ଏବଂ ତୃଣମୂଳସ୍ତରରେ ଏହାର ସଫଳ ରୂପାୟନ ନେଇ ବିସ୍ତୃତ ଆଲୋଚନା କରାଯିବା ସହ ସମ୍ପୃକ୍ତ ଅଧିକାରୀ
ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ସ୍ୱତନ୍ତ୍ର ଉନ୍ନୟନ ବୋର୍ଡର ଅଧ୍ୟକ୍ଷ ବଲ୍ଲଭ ଧରୁଆ, ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ମାଧବ ସାଏ, ବନଖଣ୍ଡ ଅଧିକାରୀ ଅଜିତ ବିଶି ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ତରଣୀ ସୁନା ପ୍ରମୁଖ ମଞ୍ଚାସୀନ ଥିଲେ।
ଜିଲ୍ଲାପାଳ ଶ୍ରୀ ଇସଲୱାର କହିଥିଲେ ଯେ, ‘ଭି.ବି.-ଜି ରାମ ଜି ଅଧିନିୟମ–୨୦୨୫’ର ସଫଳତା ଜନସାଧାରଣଙ୍କ ସକ୍ରିୟ ସହଭାଗିତା ଓ ବ୍ୟାପକ ସଚେତନତା ଉପରେ ନିର୍ଭରଶୀଳ। ଏହି ଅଧିନିୟମ ଗ୍ରାମୀଣ ଅଞ୍ଚଳରେ ରୋଜଗାର ସୁଯୋଗ ବୃଦ୍ଧି କରିବା ସହ ଦାଦନ ସମସ୍ୟା ହ୍ରାସରେ ସହାୟକ ହେବ। ବଲାଙ୍ଗୀର ଭଳି ଆକାଂକ୍ଷା ଜିଲ୍ଲାର ସାମଗ୍ରିକ ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ସେ କହିଥିଲେ। ଏହି
ଯୋଜନାକୁ ସଫଳ କରିବା ପାଇଁ ସମସ୍ତ ସରକାରୀ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ଏକାନ୍ତ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।
ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଏବଂ ସ୍ୱତନ୍ତ୍ର ଉନ୍ନୟନ ବୋର୍ଡର ଅଧ୍ୟକ୍ଷ ଶ୍ରୀ ଧରୁଆ ଗ୍ରାମାଞ୍ଚଳରେ ଅଧିନିୟମର ବ୍ୟାପକ ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହି ଯୋଜନାର ସୁଫଳ ପହଞ୍ଚିବା ଆବଶ୍ୟକ ବୋଲି ସେମାନେ କହିଥିଲେ। ଏହା ଆକାଂକ୍ଷା ଜିଲ୍ଲା ବଲାଙ୍ଗୀରର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ମତ ରଖିଥିଲେ।
ଆରମ୍ଭରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସୁନା ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ ଅଧିନିୟମର ଉଦ୍ଦେଶ୍ୟ, ଆଭିମୁଖ୍ୟ ଓ ବିଶେଷତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଅଶୋକ କୁମାର ମାଝୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସଭାରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ, ପଞ୍ଚାୟତ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଶେଷରେ ଏସିଏଫ ସୁମନ ମାଝୀ ଧନ୍ୟବାଦ ଜ୍ଞାପନ କରିଥିଲେ।