-+91-9937148622 |
prerana_bgr@rediffmail.com |
Saturday 28th March 2026 |
R.N.I. Regd No. ODIODI/2010/46693
Breaking News
28-Mar-2026
ସିନାପାଲି, ( ଚିନ୍ତାମଣି ନେତାମ )
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖରସେଲ ପଂଚାୟତର ବୈଗାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଙ୍ଗନବାଡି କେନ୍ଦ୍ର ସ୍ଥାପନକୁ କେନ୍ଦ୍ର କରି ଦ୍ବନ୍ଦ୍ୱ ସୃଷ୍ଟି ହୋଇଛି। ସ୍କୁଲ ପଛପଟରେ ଥିବା ଏକମାତ୍ର ଖେଳ ପଡିଆରେ କେନ୍ଦ୍ର ଖୋଲିବା ପ୍ରସ୍ତାବକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ସୂଚନାନୁସାରେ, ବିଦ୍ୟାଳୟରେ ପାଠପଢ଼ା ପାଇଁ କେବଳ ଦୁଇଟି କକ୍ଷ ରହିଛି। ପଛପଟର ଛୋଟ ପଡିଆଟି ହେଉଛି ପିଲାମାନଙ୍କ ଏକମାତ୍ର ଖେଳ ଜାଗା, ଯେଉଁଠି ସେମାନେ ପ୍ରତିଦିନ ଖେଳ କୁଦ କରିବା ସହିତ ବିଭିନ୍ନ ସ୍କୁଲ ଓ ସାମୁଦାୟିକ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି।
କିନ୍ତୁ ଏହି ପଡିଆରେ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ ପ୍ରସ୍ତାବ ଆସିବା ପରେ ପିଲାମାନଙ୍କ ଖେଳାଧିକାର ଉପରେ ପ୍ରଭାବ ପଡିବାର ଆଶଙ୍କା ବଢ଼ିଛି। ଯଦି ଏଠାରେ କେନ୍ଦ୍ର ନିର୍ମାଣ ହୋଇଥାଏ, ତେବେ ପିଲାମାନେ ନିଜ ଏକମାତ୍ର ଖେଳ ପଡିଆରୁ ବଞ୍ଚିତ ହେବେ ବୋଲି ଅଭିଭାବକ ଓ ଶିକ୍ଷକମାନେ ମତ ପ୍ରକାଶ କରିଛନ୍ତି।
ଏହା ସହିତ, ସ୍କୁଲ ଆଗପଟରେ ଥିବା ସରକାରୀ ଜମି କିଛି ବ୍ୟକ୍ତିଙ୍କ କବ୍ଜାରେ ରହିଥିବା ଅଭିଯୋଗ ମଧ୍ୟ ଉଠିଛି। ଏହି ଜମିକୁ ଚିହ୍ନଟ ଓ ମୁକ୍ତ କରିବା ପାଇଁ ପ୍ରଶାସନଙ୍କୁ ଅନେକଥର ଅବଗତ କରାଯାଇଥିଲେ ମଧ୍ୟ, ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇଯାଇନାହିଁ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି ଯେ, ପ୍ରସ୍ତାବିତ ସ୍ଥାନରେ ଅଙ୍ଗନବାଡି କେନ୍ଦ୍ର ଖୋଲାଯାଇଥିଲେ ଭବିଷ୍ୟତରେ ଅଷ୍ଟମ ଶ୍ରେଣୀ ଆରମ୍ଭ ପାଇଁ ସୁଯୋଗ ମିଳିପାରେ, ଯାହା ଶିକ୍ଷାଗତ ଉନ୍ନତି ପାଇଁ ଉପକାରୀ ହେବ।
ତଥାପି, ଗ୍ରାମବାସୀ ଓ ଶିକ୍ଷକମାନଙ୍କ ଦାବି ହେଉଛି—ସ୍କୁଲ ପଡିଆକୁ ନଷ୍ଟ ନ କରି , ଆଗପଟର ସରକାରୀ ଜମିକୁ ମୁକ୍ତ କରି ସେଠାରେ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ କରାଯାଉ।
ଏହି ପରିସ୍ଥିତିରେ ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନଙ୍କୁ ଶୀଘ୍ର ହସ୍ତକ୍ଷେପ ପାଇଁ ଆହ୍ୱାନ କରିଛନ୍ତି। କଲେକ୍ଟରଙ୍କୁ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରି ଯଥୋଚିତ ନିଷ୍ପତ୍ତି ନେବାକୁ ଦାବି କରାଯାଇଛି।ସମୟୋପଯୋଗୀ ପଦକ୍ଷେପ ନିଆଯାଇଲେ ପିଲାମାନଙ୍କ ଖେଳାଧିକାର ସୁରକ୍ଷିତ ରହିବା ସହ ସମସ୍ୟାର ସ୍ଥାୟୀ ସମାଧାନ ମିଳିପାରିବ ବୋଲି ଗ୍ରାମବାସି ମାନେ ଆଶା ପ୍ରକାଶ କରିଛନ୍ତି।