-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
13-Mar-2026
ବଲାଙ୍ଗିର(ବିନୋଦ ଦୀପ): ପନିପରିବା ଚାଷ କରି ଅଂଚଳରେ ଉଦାହରଣ ସୃଷ୍ଟି କରିଛନ୍ତି ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ବଡ଼ଟିକା ଗାଁ ର ଚାଷୀ ସଞ୍ଜୟ ପଧାନ। ପ୍ରାୟ ୮୦ ଏକର ଜମିରେ ବାଇଗଣ, ଟମାଟୋ, କଲରା, କାକୁଡି, ଲାଉ, କଖାରୁ, ଗେଣ୍ଡୁ ଫୁଲ ଚାଷ ସହିତ ୬ ଏକର ଜମିରେ ଉନ୍ନତମାନର ପିଜୁଳି ଲଗେଇଛନ୍ତି | ଯାହା ବର୍ଷ ସାରା ଅମଳ ଦେଉଛି। ସେ ଯେଉଁ ଚାଷ କରନ୍ତି ୫ ଏକରରୁ ଉର୍ଦ୍ଧ କରନ୍ତି ସେଥିପାଇଁ ତାଙ୍କୁ ଅଧିକ ଲାଭ ମିଳେ ଓ ସେ ସଫଳ ହୁଅନ୍ତି। ଧାନ ଚାଷ ଠାରୁ ପନିପରିବା ଚାଷରୁ ଅଧିକ ଲାଭ ମିଳୁଥିବାରୁ ସଞ୍ଜୟ ପରିବା ଚାଷକୁ ବେଶୀ ପ୍ରାଧାନ୍ୟ ଦେଉଥିବା କହିଛନ୍ତି। ପ୍ରତିଦିନ ତାଙ୍କ ଠାରୁ ୨ ଟ୍ରକ ପନିପରିବା ବାହାରକୁ ଯାଉଛି। ଆଗଲପୁର ଓ ଲୋଇସିଂହା ଅଂଚଳର ୧୦୦ ଜଣ ପୁରୁଷ ମହିଳା ମିଶି କ୍ଷେତରେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଦାଦନ ପ୍ରବଣ ଅଂଚଳ ହୋଇଥିବାରୁ କିଛି ଲୋକଙ୍କୁ ଦାଦନ ଖଟି ଯିବାରୁ ରୋକି ରୋଜଗାର ଦେଇଥିବାରୁ ସଞ୍ଜୟଙ୍କୁ ଅଂଚଳରେ ବହୁ ପ୍ରଶଂସା ମିଳୁଛି। ଆଗାମୀ ବର୍ଷ ଛତୁ ଚାଷ ଓ କୁକୁଡ଼ା ଫାର୍ମ ଆରମ୍ଭ ହେଲେ ୫୦୦ ଲୋକଙ୍କୁ ରୋଜଗାର ଦେବାକୁ ଲକ୍ଷ୍ଯ ରଖିଛି ବୋଲି ସଞ୍ଜୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏବେ ବର୍ଷ ସାରା ପନିପରିବାର ଚାହିଦା ରହୁଥିବାରୁ ଏଇ ଚାଷ କରି ଦିନକୁ ଲକ୍ଷେ ଟଙ୍କାରୁ ଅଧିକ ରୋଜଗାର କରି କୋଟିପତି ହୋଇପାରିଛି ବୋଲି ସଞ୍ଜୟ କହିଛନ୍ତି।ଏଥିରେ ତାଙ୍କ ପୁଅ ତାଙ୍କୁ ସହଯୋଗ କରିବା ସହିତ ଜଣେ ମ୍ୟାନେଜର ସବୁ ବୁଝାବୁଝି କରନ୍ତି l ବିହନ ସମ୍ପର୍କରେ ପଚରା ଯିବାରୁ ବିହନ ଉପରେ ନିର୍ଭର ନକରି ରାୟପୁରର ଏକ ନର୍ସରିରୁ ଉନ୍ନତମାନର ଚାରା ଆଣି ଲଗେଇଥାନ୍ତି ଓ ଏହା ମୋତେ ଆହୁରି ଲାଭବାନ କରାଉଛି ବୋଲି ସଞ୍ଜୟ କହିଛନ୍ତି। ଜିଲ୍ଲାର ସଫଳ ଚାଷୀ ଭାବରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ମଧ୍ୟ ପୁରସ୍କାର ପାଇଛନ୍ତି। ସମ୍ବାଦ ଖବରକାଗଜ ତରଫରୁ ମଧ୍ୟ ସ୍ୱତନ୍ତ୍ର ଭାବରେ ପୁରାଷ୍କୃତ ହୋଇଛନ୍ତି ସଂଜୟ। ଜଳସେଚନ ପାଇଁ ୪ଟି ଫୋଖରୀ ଓ ୪ଟି ବୋରୱେଲ ଖୋଲିଛନ୍ତି ଓ ସମସ୍ତ ଚାଷକୁ ବୁନ୍ଦା ଜଳସେଚନର ବ୍ୟବସ୍ଥା କରିଛନ୍ତି। ଏବେ ନୂତନ ଜ୍ଞାନକୌଶଳରେ ଚାରା ଉତ୍ପାଦନ, ଯତ୍ନ, ଜଳସେଚନ, କୀଟନାଶକ ସିଞ୍ଚନ ବ୍ୟବସ୍ଥା ହୋଇଥିବାରୁ ବେଶ ସହଜ ହୋଇପାରୁଛି ବୋଲି କହିଛନ୍ତି ସଂଜୟ। ତେଣୁ କୃଷି ବିଭାଗ କିମ୍ବା ଉଦ୍ୟାନ ବିଭାଗରୁ କିଛି ପ୍ରୋତ୍ସାହନ ମିଳିଲେ ଆହୁରି ଭଲ ହୁଅନ୍ତା ବୋଲି ସଞ୍ଜୟ କହିଛନ୍ତି।