-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
05-Feb-2021
ଜଗତସିଂହପୁର : ଶାଶୂ-ବୋହୂ କଳିରୁ ଦୁର୍ଘଟଣା । ଜଗତସିଂହପୁର ଜିଲ୍ଲାର ଏକ ଘରୋଇ ସ୍କୁଲ ନିକଟରେ ଏକ କାର୍ ମାଛଗାଁ କେନାଲ୍ ଭିତରେ ଖସିପଡ଼ିଛି। କାର୍ଟି ଷ୍ଟାର୍ଟ ଅବସ୍ଥାରେ ରହିଥିଲେ ସୁଦ୍ଧା, ଭିତରେ କେହି ନଥିବା ନଜରକୁ ଦେଖିବାକୁ ମିଳିଥିଲା । ଷ୍ଟାର୍ଟ ଉପରେ କାର୍ଟି ରହିଥିବାରୁ ଆଖପାଖ ଅଞ୍ଚଳର ଲୋକମାନେ ଘଟଣାସ୍ଥଳରେ ଗହଳି ଜମାଇଥିଲେ। ପରେ ଜଗତସିଂହପୁର ପୋଲିସ ଖବର ପାଇ କାର୍କୁ ବହୁ କଷ୍ଟରେ କେନାଲ୍ ଭିତରୁ ଟାଣି ବାହାର କରିବାକୁ ଚେଷ୍ଟା କରିଥିଲେ । ମାତ୍ର ଏହା ପୂର୍ବରୁ କାର୍ରେ କିଛି ବିସ୍ଫୋରକ ଥାଇ ପାରେ ଅନୁମାନ କରି ଦମକଳ ବାହିନୀର ସହଯୋଗ ନେଇଥିଲା ପୋଲିସ ।
ତେବେ କାର୍ଟି କଟକ ଅଞ୍ଚଳର ହୋଇଥିବା ପୋଲିସ ଅନୁମାନ କରୁଛି। ଏହାରି ମଧ୍ୟରେ କାର୍ଟି କେନାଲ୍ ଭିତରକୁ କିଭଳି ଆସିଲା ତାହା ଅସ୍ପଷ୍ଟ ହୋଇ ରହିଯାଇଛି । ଅପରପକ୍ଷେ ଶାଶୂ, ଶ୍ୱଶୁରଙ୍କ ସହ ବୋହୂ କଳିକୁ ନେଇ କାର୍ଟି କେନାଲ୍ ଭିତର ପର୍ଯ୍ୟନ୍ତ ଆସିଥିବା ସାଧାରଣରେ ଆଲୋଚନା ହେଉଛି ।
ସୂଚନା ଅନୁସାରେ, ଜୟବଡ଼ ଗ୍ରାମରେ ରହୁଥିବା ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ପୁଅର ବିଭାଘର ଜଣେ ଯୁବତୀଙ୍କ ସହ ଦୀର୍ଘ ବର୍ଷ ତଳେ ହୋଇଥିଲା । ହେଲେ ବିବାହ ପରେ ବୋହୂର ନିର୍ଯାତନାରେ ପୁରା ପରିବାର ଅସହ୍ୟବୋଧ କରୁଥିଲେ। ଏ ନେଇ କୋର୍ଟ କଚେରି ମାମଲା ବିଚାରାଧୀନ ରହିଥିବା ବେଳେ ଜଗତସିଂହପୁର ଥାନାରେ ଏକାଧିକ ଅଭିଯୋଗ ହୋଇସାରିଛି । ନିକଟରେ ମଧ୍ୟ ଏହି ଘରୋଇ କଳି ଥାନାରେ ପହଞ୍ଚିଥିଲା ।
ତେବେ ଗୁରୁବାର କୁଆଡ଼େ ସଂପୃକ୍ତ ବୋହୂ, ଶାଶୂ ଘରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ମାତ୍ର କୋର୍ଟରେ ମାମଲାର ବିଚାର ଚାଲିଥିବାରୁ ବୋହୂର ଘର ପ୍ରବେଶକୁ ବିରୋଧ କରିଥିଲେ ଶାଶୂଘର ଲୋକେ । ସମ୍ଭବତଃ ଏହି ତିକ୍ତତା ଭିତରେ ବୋହୁ ଆସିଥିବା କାର୍କୁ କେହି ନେଇ କେନାଲ୍ ଭିତରେ ଭର୍ତ୍ତି କରି ଦେଇଥିବା ପୋଲିସ ସନ୍ଦେହ କରୁଛି ।