-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
28-Jul-2025
ମାଲକାନଗିରି(କେଶବ ଚନ୍ଦ୍ର ନାୟକ): ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା କିଛି ଦିନ ହେଲା ଲାଗି ରହିଛି। ଫଳରେ ଚାଷ ପାଇଁ ଉପଯୁକ୍ତ ବର୍ଷା ଯୋଗୁଁ ଧାନ ରୁଆ ବର୍ତ୍ତମାନ ଜୋରସୋରରେ ଚାଲିଛି। ପୂର୍ବରୁ ବୃଷ୍ଟିପାତ କମ୍ ଥିବାରୁ ଧାନ ରୁଆରେ ବାଧକ ସାଜିଥିଲା ପାଣିପାଗ। ଯଦିଓ ଢେପ ଓ ମଧ୍ଯମ କିସମର ଜମିଗୁଡିକରେ ଧାନ ବୁଣା କାର୍ଯ୍ୟ ସମ୍ପନ୍ନ ହୋଇଥିଲା, ତେବେ ବର୍ଷା ଅଭାବରୁ ଖାଲ ଜମିଗୁଡିକରେ ଧାନ ରୁଆ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ବର୍ତମାନ ଖାଲ ଜମିଗୁଡିକରେ ଧାନ ରୁଆ ଯୁଦ୍ଧ କାଳୀନ ଭିତିରେ ଚାଲିଥିବା ଜଣାପଡିଛି।
ମାଲକାନଗିରି କୃଷି ବିଭାଗ ସୂଚନା ଅନୁସାରେ ଚଳିତ ଖରିଫ ଋତୁରେ ଜିଲ୍ଲାରେ ମୋଟ ୭୫,୬୬୦ ହେକ୍ଟର ଜମିରେ ଧାନଚାଷ କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତନ୍ମଧ୍ୟରୁ ଉଚ୍ଚ କିସମ ଜମିରେ ୧୮,୬୮୦ ହେକ୍ଟର,ମଧ୍ଯମ କିସମ ଜମିରେ ୩୧,୯୧୬ ହେକ୍ଟର ଏବଂ ଖାଲ ଜମିରେ ୨୫,୦୬୪ ହେକ୍ଟର ଜମିରେ ଧାନଚାଷ କରିବା କାର୍ଯ୍ୟକ୍ରମ ରହିଛି। ବର୍ତ୍ତମାନ ସୁଦ୍ଧା ଢେପ
ଜମିରେ ୧୮,୬୮୦ ହେକ୍ଟର ଧାନ ବୁଣା କାର୍ଯ୍ୟ ଶେଷ ହୋଇଥିଲା ବେଳେ ମଧ୍ଯମ କିସମର ଜମିରେ ୩୧,୯୧୬ ହେକ୍ଟର ରୁ ୨୦,୦୦୦ ହେକ୍ଟର ଚାଷ ଶେଷ ହୋଇଛି। ସେହିପରି ଖାଲ ଜମିରେ ୨୫,୦୬୪ ହେକ୍ଟରରୁ ବର୍ତମାନ ସୁଦ୍ଧା
୫ ହଜାର ହେକ୍ଟର ଜମିରେ ଧାନ ରୁଆ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ବେଳେ ଅଗଷ୍ଟ ମାସ ଶେଷ ସୁଦ୍ଧା ବଳକା ଧାନ
ରୁଆ କାର୍ଯ୍ୟ ଚାଲୁ ରହିବ ବୋଲି ଜଣା ପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାରେ ୫୭ ପ୍ରତିଶତ ଧାନ ଚାଷ କାର୍ଯ୍ୟ ସଂପନ୍ନ ହୋଇଥିବା କୁହାଯାଇଛି।
ଅନ୍ୟପକ୍ଷରେ ଜାତୀୟ ଖାଦ୍ୟ ନିରାପା ମିଶନରେ ଧାଡ଼ି ରୁଆ ୨୪୦ ହେକ୍ଟର, ସହନଶୀଳତା ଧାନ ରୁଆ ୧୬୦ ହେକ୍ଟର ଏବଂ ସିଧାସଳଖ ଧାନ ବୁଣା ୧୩୦ ହେକ୍ଟର ଏଥିରେ ସଂପୃକ୍ତ ରହିଛି।
ତେବେ କୃଷି ବିଭାଗ ତରଫରୁ ୫୩୦ ହେକ୍ଟର ଧାନ ଚାଷ ବୈଜ୍ଞାନିକ ଶୈଳୀ କରାଯାଉଛି ଯାହାକି ଜାତୀୟ ଖାଦ୍ୟ ମିଶନ ତରଫରୁ ଖର୍ଚ୍ଚ କରାଯାଉଛି ବୋଲି ମାଲକାନଗିରି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦିଲରଞ୍ଜନ ମହାଲିକ ପ୍ରକାଶ କରିଛନ୍ତି।