-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
24-Jan-2021
ଝାରସୁଗୁଡ଼ା (ପ୍ରେରଣା ଖବର) : ରବିବାର ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ଶୋଭାଯାତ୍ରା ଓ ବୈଠକ ଅନୁଷ୍ଠିତ ହୋଇଥିଲା। ବେହେରାମାଲ ଛକରୁ ସଚେତନତା ଶୋଭାଯାତ୍ରା ବାହାରି ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିଥିଲା। ଜିଲ୍ଲା କାର୍ଯ୍ୟାଳୟସ୍ଥିତ ଡି ଏମ୍ ଏଫ ଅଡିଟୋରିଅମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସରୋଜ କୁମାର ସାମଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନାରୀ ଶସକ୍ତିକରଣ ସକାଶେ ମାନସିକତାର ପରିବର୍ତ୍ତନ ସହ ସାମାଜିକ ସଚେତନତା ଆବଶ୍ୟକ ବୋଲି କହିଥିଲେ।
ନାରୀମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରୟାସ ସହ ସେମାନଙ୍କ ନୈପୁଣ୍ୟ , ପରାକାଷ୍ଠା ଧାରାବାହିକତାରେ ପରିଣତ ପାଇଁ ପ୍ରତିଶ୍ରୁତିବଦ୍ଧ ହେବାକୁ ଜିଲ୍ଲାପାଳ ଆହ୍ଵାନ ଦେଇଥିଲେ । କେବଳ ପାଳନ ଭିତରେ କାର୍ଯ୍ୟକ୍ରମ ସୀମିତ ନରଖି କାର୍ଯ୍ୟକ୍ରମର ସମ୍ପ୍ରସାରଣ ଓ ସରକାରୀ ବିଭାଗ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମିଳିତ ଭାବରେ ଏ ଦିଗରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ଏକ ସୂଚନା ଓ ସହାୟକ ପୁସ୍ତିକା ଉନ୍ମୋଚନ କରିଥିଲେ।
ଚିତ୍ରକଳା ପାଇଁ ଇଷା ପୁରୋହିତ , ସଟପୁଟ ଓ ଜାଭେଲୀନ ଥ୍ରୋ ଖେଳାଳୀ ବି . ସାଇନି ଅମ୍ବିକା , କିକ ବକ୍ସିଙ୍ଗ ଖେଳାଳୀ ଅମ୍ବିକା ଗୁପ୍ତା ଓ ଝାରସୁଗୁଡ଼ା ଚାଇଲଡ ଲାଇନ ସଂସ୍ଥା କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲା ଆଇନ ପ୍ରାଧିକରଣ ସଂସ୍ଥା ସଚିବ ଜାନକୀ ବିଶ୍ୱାଳ ତାଙ୍କ ଅଭିଭାଷଣରେ ନାରୀ ଶିକ୍ଷା ଉପରେ ଗୁରୁତ୍ୱାରୋପ ପୂର୍ବକ ପରିବାର ଶିକ୍ଷିତ ହେବା ପାଇଁ ନାରୀମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସେ ନାରୀମାନଙ୍କ ସକାଶେ ଉଦ୍ଦିଷ୍ଟ ମାଗଣା ଆଇନ ସେବା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲମୋହନ ରାଉତରାୟ, ଭ୍ରୁଣର ଲିଙ୍ଗ ନିରୂପଣକୁ ନିରୁତ୍ସାହିତ କରିବାକୁ ଓ ନିରାପଦ ମାତୃତ୍ବ ପାଇଁ ଉପଯୁକ୍ତ ବୟସରେ ବିବାହ ପାଇଁ ସଚେତନତା ସୃଷ୍ଟି କରିବାକୁ ମିଳିତ ଭାବରେ କାର୍ଯ୍ୟ କରିବାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ ।