-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
19-Jan-2021
ଶ୍ରଦ୍ଧାଞ୍ଜଳି
ସୁପ୍ରିୟା ପଣ୍ଡା
ମାନବ ମାଧବ ଏକାକାର ଭାବି
ପ୍ରତି ଜନ ସାଥି ହୋଇ
ମଣିଷ ରୂପରେ ଥିଲ ଦେବତୁଲ୍ୟ
ମର୍ତ୍ତ୍ୟପୁରେ ଦେହ ବହି।।
ଦୁଃଖୀ ଦରିଦ୍ରଙ୍କ ସେବାରେ ନିଜର
ପ୍ରାଣ ଉତ୍ସର୍ଗିତ କରି
ମଣିଷତ୍ୱ ଭାଷା ଶିଖାଇ ସଭିଙ୍କୁ
ଥିଲ ଆପଣାର ପରି।।
ଶରୀର ଯନ୍ତ୍ରଣା ଅହେତୁକ ଥିଲା
ତଥାପି ଉଜ୍ୱଳ ମୁଖ
ଶେଷ ରକ୍ତ ବିନ୍ଦୁ ଢାଳିଦେବା ପାଇଁ
ନ ହେଲ କେବେ ବିମୁଖ।।
ଜୀବନ ସଂଗ୍ରାମ ହାରିଗଲ ସିନା
ଜୀବନ୍ତ ରହିଲା ସ୍ମୃତି
ତୁମ ତ୍ୟାଗ କଥା କାଳ କାଳ ପାଇଁ
ମନେ ରଖିବ ଏ ଜାତି।।
ଜନମ ମରଣ ପରିପୂରକ ଯେ
ଏକଥା ଜଗତେ ଜଣା
ମୃତ୍ୟୁ ପରେ ଯିଏ ଅମର ହୁଅଇ
ମହାପୁରୁଷରେ ଗଣା।।
ତୁମ ବିୟୋଗରେ କାନ୍ଦନ୍ତି ଜନତା
କାନ୍ଦୁଛନ୍ତି ଗଛ ପତ୍ର
ଜୁଇର ନିଆଁରେ ଏକାକାର ଆଜି
କୃଷକ ଶ୍ରମିକ ସ୍ୱର।।
ଯଦି ପୁର୍ନର୍ଜନ୍ମ ହୁଏ ଆଉଥରେ
ତୁମ ଅପେକ୍ଷାରେ ଆମେ
ଫେରିଆସ ଶୀଘ୍ର ଆମରି ପାଖକୁ
ପୁଣିଏହି ଧରା ଧାମେ ।।
ତୁମ ତ୍ୟାଗ ପୁତ ଜୀବନ ଆଧାରେ
ଶ୍ରଦ୍ଧାଞ୍ଜଳି ଦୀପ ଜାଳି
ଅମର ଆତ୍ମାର ଶାନ୍ତି ପାଇଁ ଆମ
ପ୍ରାର୍ଥନା ଅଶ୍ରୁ ଢାଳି ।।
ଦେଉଛୁ ବିଦାୟ ଶୋକାକୁଳ ମନେ
ତେଜି ଧୈର୍ଯ୍ୟର ଶିଖା
ନଶ୍ୱର ଦେହ ମିଶିଗଲା ସିନା
ମନେ ଅଛି ତୁମ ଶିକ୍ଷା ।।
ଭୁବନେଶ୍ବର