-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
09-Oct-2024
ବରଗଡ଼/ଅତାବିରା: ଅତାବିରା ବସ୍ତିରେ ବହୁ ପୁରାତନ ମା ସମଲେଶ୍ଵରୀଙ୍କ ପୀଠରେ ଷୋଡ଼ଶ ପୂଜା ଆରମ୍ଭ ହୋଇ ଯାଇଛି । ଏଥିପାଇଁ ଉତ୍ସବମୁଖର ହୋଇ ଉଠିଛି ସହରରୁ ବସ୍ତି ପର୍ଯ୍ୟନ୍ତ। ଏହି ଷୋଡଶ ପୂଜା ମହାଳୟା ଦିନ ଠାରୁ ଆରମ୍ଭ ହୋଇଥାଏ । ଏଥିପାଇଁ ଘଣ୍ଟଶଙ୍ଖ ସହ ଦୁଲୁଦୁଲି ବାଜାରେ ଶତାଧିକ ମହିଳା ଓ ପୁରୁଷ କଳସ ଶୋଭାଯାତ୍ରାରେ ବାହାରି ଦମ୍ ଦମା ପର୍ଯ୍ୟନ୍ତ ପହଞ୍ଚି ସେଠାରେ ପୂଜାର୍ଚ୍ଚନା କରି ପବିତ୍ର ଜଳ ଭରି ପୂର୍ଣ୍ଣକଳସ ସହ ମାଁ ଙ୍କ ଖଣ୍ଡା ଧରି ସହର ପରିକ୍ରମା ପୂର୍ବକ ମନ୍ଦିରରେ ପହଞ୍ଚିଥିଲେ। ଏହାପରେ ରୀତିନୀତି ସହ ପୂଜା ଆରମ୍ଭ ହୋଇଥିଲା । ପ୍ରତିଦିନ ସକାଳେ ଚଣ୍ଡୀ ହୋମ ଯଜ୍ଞ ସହ ଷୋଡ଼ଶ ପୂଜା କରାଯାଇ ସନ୍ଧ୍ୟାରେ ମାଁ ଙ୍କ ମହା ଆରତୀ କରାଯାଏ ।ଏହାବ୍ୟତୀତ ମାଁ ଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଉଅଛି । ବିଜୟା ଦଶମୀ ଦିନ ଅପରାଜିତା ଓ ଘଟ ବିସର୍ଜନ ପରେ କୁମାର ପୂର୍ଣ୍ଣିମା ଦିନ ପ୍ରାତଃ ୩ ଟା ରୁ ପୂଜକ ଝାଙ୍କର ବିଶ୍ଵନାଥ ଭୁଏଙ୍କ ଦେହରେ ମାଁ ପ୍ରବେଶ କରି ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ଜଣାପଡିଛି । ଏହି ପୂଜା ପାଇଁ ମନ୍ଦିରର ସାଜସଜ୍ଜା ଓ ଆଲୋକିକରଣ ପାଇଁ କମିଟି ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଛି । ସନ୍ଧ୍ୟା ସମୟରେ ମହାଆରତୀ କୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗି ରହୁଛି । ମାନସିକଧାରୀ ମାନେ ଅଖଣ୍ଡ ଦୀପ ଜାଳି ମାନସିକ ପୁରଣ ପାଇଁ ମାଁ ଙ୍କ ଠାରେ ପ୍ରାର୍ଥନା କରୁଛନ୍ତି । ସେମାନଙ୍କ ଆସ୍ଥା ଓ ବିଶ୍ୱାସ ରହିଛି ଯେ ମାଁ ବରୁଆ ଦେହରେ ପ୍ରବେଶ କରି ସମସ୍ତଙ୍କୁ ଦର୍ଶନ ଦେବା ସହିତ ସମସ୍ତଙ୍କର ମନୋକାମନା ପୁରଣ କରିଥାନ୍ତି । ଏହି ପୂଜା ପାଇଁ ଚଳିତ ବର୍ଷ ସନାତନ ପ୍ରଧାନ ଓ ଧର୍ମପତ୍ନୀ ରାଧାରାଣୀ ଏବଂ ଜନାର୍ଦ୍ଦନ ପ୍ରଧାନ ଓ ପତ୍ନୀ ରୁକ୍ମିଣୀ କର୍ତ୍ତା ଦାୟିତ୍ଵ ନିର୍ବାହ କରୁଛନ୍ତି । ପଣ୍ଡିତ ସଞ୍ଜୟ ଦାଶ ଓ ସାଥୀ ପଣ୍ଡିତ ଭାବେ ବରଣ ହୋଇ ପୂଜା ଦାୟିତ୍ଵ ତୁଲାଉଛନ୍ତି। କୁମାର ପୂର୍ଣ୍ଣିମା ଦିନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉଦିଆଁ ତରା ମହିଳା ଦଣ୍ଡନୃତ୍ୟ ଓ କୂରେଫୁଲ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ ।ଅନ୍ୟ ଦିନ ଗୁଡ଼ିକରେ ଭଜନ ସନ୍ଧ୍ୟା କରାଯାଉଛି ।ଭୋଇପୂରା ଗ୍ରାମ ଓ ଯାଦବ ସମାଜ ପକ୍ଷରୁ ଯୁଗାର ଯାତ୍ରା ପହଞ୍ଚିବ ବୋଲି ପୂଜା କମିଟି ସୂତ୍ରରୁ ଜଣା ପଡ଼ିଛି। କମିଟିର ସଭାପତି ରଘୁନାଥ ବିଶ୍ଵାଳ, ସମ୍ପାଦକ ମନୋଜ ଭୋଇ ଓ କୋଷାଧ୍ୟକ୍ଷ ଦେବେସ ପ୍ରଧାନ(ଜିତେନ୍) ତଥା ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ସକ୍ରିୟ ସହଯୋଗ କରୁଛନ୍ତି ।