-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
30-Jun-2024
(ମିହିର ଶଙ୍କର ପାତ୍ର,)
ନବରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଭାସ୍କର ନାଥ ବିଶ୍ୱାଳଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ବିନୋଦ ଝା ପ୍ରେକ୍ଷାଳୟରେ ଆୟୋଜିତ ହୋଇଯାଇଛି । ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡି. ଗୋବିନ୍ଦା ରାଓଙ୍କ ସଭାପତିତ୍ବରେ ଇତିହାସ ବିଭାଗ ମୁଖ୍ୟ ଶ୍ରୀମତୀ ସଙ୍ଗୀତା ତ୍ରିପାଠୀ, ଅର୍ଥନୀତି ବିଭାଗ ମୁଖ୍ୟ ଶ୍ରୀ ଦିଲୀପ କୁମାର ହୋତା, ବାଣିଜ୍ୟ ବିଭାଗ ମୁଖ୍ୟ ଶ୍ରୀ ମନୋରଞ୍ଜନ ଖୁରା,ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଶ୍ରୀ ଜିତେନ୍ଦ୍ର କୁମାର ରଥ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଡ଼ଃ ବିଶ୍ଵାଳ ପ୍ରଥମେ ୧୯୯୦ ମସିହାରେ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । ଦୀର୍ଘ ବର୍ଷର ଶିକ୍ଷା ଦାନ ପରେ ତା ୩୧/୦୩/୨୦୨୨ରିଖ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।ତାଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟରେ ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ନୂତନ ବିଜ୍ଞାନ ଭବନ, ଇନ୍ଦ୍ରାବତୀ ଛାତ୍ରୀ ନିବାସ ,ସ୍ମାର୍ଟ ଶ୍ରେଣୀଗୃହ, ଇ - ଗ୍ରନ୍ଥାଗାର, ବାଳକ ବାଳିକା ସଧାରଣ ଗୃହ,ପ୍ରଶାସନିକ ଭବନ ନିର୍ମାଣ,ଦୁଇଟି ଉଦ୍ଭିଦ ବିଜ୍ଞାନ ଉଦ୍ୟାନ, ମହାବିଦ୍ୟାଳୟ ପରିସରକୁ ସମ୍ପୂର୍ଣ୍ଣ ବାଉଣ୍ଡରି କରିବା ଆଦି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରି ବେଶ୍ ପ୍ରଶଂସିତ ହୋଇଥିଲେ l ତାଙ୍କ ସମୟରେ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ, ବିଭିନ୍ନ କ୍ରୀଡା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ,ଆଲୋଚନା ଚକ୍ର ଓ ସାମାଜିକ ସେବା ମୂଳକ କାର୍ଯ୍ୟକୁ ସୁବ୍ୟବସ୍ଥିତ ଭାବରେ ପରିଚାଳନା କରି ସେ ମହାବିଦ୍ୟାଳୟ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କର ଦୃଢ଼ ଇଚ୍ଛାଶକ୍ତି, ସମୟାନୁବର୍ତ୍ତିତା, କର୍ତ୍ତବ୍ୟନିଷ୍ଠ ଭାବରେ ନିଃସ୍ଵାର୍ଥପର କାର୍ଯ୍ୟ କରିବା ସହିତ ସରଳ,ଆମୟିକ ବ୍ୟକ୍ତିତ୍ଵ ତାଙ୍କୁ ନବରଙ୍ଗପୁର ଜିଲ୍ଲା ତଥା ଓଡ଼ିଶାରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଅବସର କାଳୀନ ବିଦାୟ ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ - ଅଧ୍ୟାପିକା ଓ କର୍ମକର୍ତ୍ତା ଉପସ୍ଥିତ ରହି ତାଙ୍କର ଗୁଣଗାନ କରିବା ସହିତ ତାଙ୍କ ସମୟରେ କଟାଇଥିବା ଅବିସ୍ମରଣୀୟ ମୁହୂର୍ତ୍ତକୁ ମନେ ପକାଇ ତାଙ୍କର ଦୀର୍ଘ ନିରାମୟ ଜୀବନ ଅତିବାହିତ କରିବାପାଇଁ ସମସ୍ତେ ପ୍ରାର୍ଥନା କରିଥିଲେ । ଏପରି ଏକ ସୁନ୍ଦର ଅବସର କାଳୀନ ସମ୍ୱର୍ଦ୍ଧନା ସଭା ଆୟୋଜନ କରିଥିବାରୁ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ୍ ଦେବା ସହିତ ଆଗାମୀ ଦିନରେ ନବରଙ୍ଗପୁର ମହାବିଦ୍ୟାଳୟର ଉତ୍ତରତ୍ତୋର ଉନ୍ନତି କାମନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦର୍ଶନ ଶାସ୍ତ୍ର ବିଭାଗ ମୁଖ୍ୟ ଶ୍ରୀ ଶମ୍ଭୁ ପ୍ରସାଦ ହୋତା ପରିଚାଳନା କରିଥିବା ବେଳେ ଅଶୋକ ପାତ୍ର ସ୍ୱାଗତ ସଙ୍ଗୀତ ଗାନ କରିଥଲେ। ପରିଶେଷରେ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ବରିଷ୍ଠ ପ୍ରାଧ୍ୟାପକ ଡି. ଗୋବିନ୍ଦା ରାଓଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ଵ ହସ୍ତାନ୍ତର କରିଥିଲେ ।