-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Dec-2020
ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର) -ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଦେଓଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଂଚାୟତକୁ ଗସ୍ତ କରିଥିଲେ । ପ୍ରଥମେ ସେଠାରେ ସେ ମୁଣ୍ଡପଲା ଛକ ଠାରେ କେନ୍ଦ୍ର କୃଷି ଆଇନ ବିରୁଦ୍ଧରେ ଚାଲିଥିବା ଚାଷୀ ଆନ୍ଦୋଳନରେ ସାମିଲ ହୋଇ ଆନ୍ଦୋଳନରତ ଚାଷୀଙ୍କୁ ସମର୍ଥନ ଦେବା ସହ କେନ୍ଦ୍ରର କଳା କୃଷି ଆଇନ କିଭଳି ଆଗାମୀ ଦିନରେ ଚାଷୀ ସମାଜ ତଥା ଦେଶର କୃଷି କେନ୍ଦ୍ରୀକ ଅର୍ଥନୀତିକୁ ବରବାଦ କରିଦେବ ସେ ଉପରେ ସଚେତନ କରିଥିଲେ । ସେ କହିଥିଲେ କେନ୍ଦ୍ରର କଳା କୃଷି ଆଇନ ଚାଷୀ ତଥା ଜନସାଧାରଣଙ୍କ ହିତ ପାଇଁ ନୁହେଁ ଏହା କେବଳ ଦେଶର ମୁଷ୍ଟିମେୟ ପୁଞ୍ଜିପତି କଂପାନୀ ମାଲିକଙ୍କ ହିତ ପାଇଁ ଉଦ୍ଦିଷ୍ଟ । ଏହି ଆଇନକୁ କେନ୍ଦ୍ର ସରକାର ସମ୍ପୁର୍ଣ୍ଣ ଭାବେ ଫେରାଇ ନ ନେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଦେଶବ୍ୟାପି ଚାଲିଥିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ପରେ ଆମ ଦହନ ଏବଂ ରତାଖଣ୍ଡି ଠାରେ ସାଧାରଣ ଜନତାଙ୍କୁ ଭେଟି ସେଠାରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ତଥା ଲୋକଙ୍କ ଚାହିଦା ମୁତାବକ ଆଗାମୀ ଦିନରେ ଏହି ଅଂଚଳରେ କରିବାକୁ ଯାଉଥିବା ବିଭିନ୍ନ ପ୍ରକଳ୍ପ ବାବଦରେ ଆଲୋଚନା କରିଥିଲେ । ବିଶେଷ କରି ଜଳସେଚନ, ବାର୍ଦ୍ଧକ୍ୟଭତ୍ତା, ଇନ୍ଦିରାଆବାସ ଯେମିତି ଯୋଗ୍ୟ ଲୋକମାନେ ପାଇ ପାରିବେ ତାର ଉପରେ ଆଲୋଚନା ହୋଇଥିଲା । ସେଠାରେ ଥିବା ପୋଖରୀର ଜଳ ଧାରଣ କ୍ଷମତା ବଢାଇବା ପାଇଁ ସେ ନିଜ ବିଧାୟକ ପାଣ୍ଠିରୁ ଅର୍ଥ ମଞ୍ଜୁର କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଗୌରଗୋଠ ଠାରେ ଉପସ୍ଥିତ ଥିବା ଚାଷୀମାନଙ୍କ ଠୁ ଧାନକିଣାକୁ ନେଇ ସମସ୍ୟା ଶୁଣିବା ପରେ ସେ ତୁରନ୍ତ ପାଖରେ ଥିବା ଧାନ କିଣା କେନ୍ଦ୍ର ପରିଦର୍ଶନରେ ବାହାରିଥିଲେ । ସେଠାରେ ଦେଖାଯାଇଥିଲା ଦାୟିତ୍ୱରେ ଥିବା ଅଧିକାରୀ ବିଧାୟକ ଶ୍ରୀ ମିଶ୍ରଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ସନ୍ତୋଷଜନକ ଭାବେ ଦେଇପାରି ନ ଥିଲେ । ଧାନର ମାନ ନିର୍ଦ୍ଧାରଣକୁ ନେଇ କୌଣସି ତଥ୍ୟ ସେଠାରେ ନ ଥିଲା । ଏପରି କି ଧାନକିଣା ରେଜିଷ୍ଟର ତଦାରଖ କଲାବେଳେ ଦେଖାଯାଇଥିଲା ଯେ ଧାନକିଣା ନୀତି ମୁତାବକ ପ୍ରତ୍ୟେକ ଧାନକିଣା କେନ୍ଦ୍ର ପ୍ରଥମେ ସେ ଅଂଚଳର କ୍ଷୁଦ୍ର ଚାଷୀମାନଙ୍କ ଧାନ କିଣିବା କଥା କିନ୍ତୁ ଏଠାରେ ଧାନକିଣା ନିତି ନିୟମକୁ ସମ୍ପୁର୍ଣ୍ଣ ଭାବେ ବେଖାତିର କରି ମଣ୍ଡି ଅଧିକାରୀମାନେ କ୍ଷୁଦ୍ର ଚାଷୀଙ୍କୁ ଅଣଦେଖା କରୁଛନ୍ତି । ଏପରିକି ସେଠାରେ ଉପସ୍ଥିତ ଥିବା ଅନେକ ଛୋଟ ବଡ ଚାଷୀ ବିଧାୟକ ଶ୍ରୀ ମିଶ୍ରଙ୍କ ଆଗରେ ଟୋକନର ବ୍ୟବସ୍ଥାକୁ ନେଇ ଅଭିଯୋଗ କରିଥିଲେ । ଏଠାରେ ମଧ୍ୟ କ୍ୱିଣ୍ଟାଲ ପିଛା ୪ ରୁ ର୫ କେଜି କଟନି ଛଟନି କରୁଥିବା ଅଭିଯୋଗ ଆସିଥିଲା ଏବଂ ଆଶ୍ଚର୍ଯ୍ୟ ବିଷୟ ବିଧାୟକ ଶ୍ରୀ ମିଶ୍ରଙ୍କ ପ୍ରଶ୍ନରେ ସେଠାରେ ଥିବା ମଣ୍ଡି ଅଧିକାରୀମାନେ କଟନି ଛଟନି କୁ ସ୍ୱିକାର କରିଥିଲେ । ଏବଂ ସେମାନେ ଏହା ମଧ୍ୟ ସ୍ୱିକାର କରିଥିଲେ ଧାନକିଣା କେନ୍ଦ୍ରରେ ଚାଷୀ ଏବଂ ମଣ୍ଡି କର୍ମଚାରୀଙ୍କ ବ୍ୟତିତ ଅନ୍ୟ କେହି ଉପସ୍ଥିତ ନ ରହିବା ନିର୍ଦ୍ଦେଶ ଥିଲେ ମଧ୍ୟ ଏହି ମଣ୍ଡିରେ ମଲର୍ସ ନ ଆସିବା ପର୍ଯ୍ୟନ୍ତ ଧାନକିଣା ହେଉନାହିଁ ।
ଏହି ସବୁ ଅବ୍ୟବସ୍ଥା ଯଦି ନ ସୁଧୁରେ ତେବେ ଆଗାମୀ ଦିନରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ କହିଥିଲେ । ପରେ ଅର୍ଜୁନପୁର ଠାରେ ଉପସ୍ଥିତ ଥିବା ଏକ ଚାଷୀ ବୈଠକରେ ଶ୍ରୀ ମିଶ୍ର ଚାଷୀଙ୍କ ସମସ୍ୟା ଉପରେ ଆଲୋଚନା କରିବା ସହ ଆଜିର ଗସ୍ତ କାର୍ଯ୍ୟକ୍ରମ ଶେଷ ହୋଇଥିବା । ଏହି ଗସ୍ତ କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ରଙ୍କ ବ୍ୟତିତ ଜିଲ୍ଲା ସେବାଦଳ ମୁଖ୍ୟ ଅସୀତ ମିଶ୍ର, ସାଧୁ ନାଏକ, ଅନନ୍ତ ଚୈାହାନ, ପ୍ରଫୁଲ୍ଲ ଦାଶ, ପପୁ ପାତ୍ର, ହିମାଂଶୁ ଗଡତ୍ୟା, କୁନା ସାହୁ, ମାଣିକ ପାତ୍ର, ସମିର ସାହୁ, ପ୍ରଶାନ୍ତ ରଣା, ବରିଷ୍ଠ ନାଗରିକ ସୂର୍ଯ୍ୟମଣି ସାହୁ, ସାହେବ ରଣା, ପ୍ରଦୀପ ପଣ୍ଡା, ସତ୍ୟ କାଲସାଏ, ଆନନ୍ତ ଚୈାହାନ, ହିମାଂଶୁ ଗଡତ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।