-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
31-May-2023
ବଲାଙ୍ଗୀର(ପ୍ରେରଣା ଖବର)-ବଡଘର ବଡ ଗୁମର କଥା ଭଳି ବଲାଙ୍ଗୀର ରାଜପରିବାରର ଗୁମର ଫିଟୁଛି । ବଲାଙ୍ଗୀର ରାଜପରିବାରର ସାନ ବୋହୁ ଅଦ୍ରୀଜାମଞ୍ଜରୀ ତାଙ୍କୁ ତାଙ୍କ ଶ୍ୱଶୁରଘର ଲୋକ ଯୌତୁକ ନିର୍ଯ୍ୟାତନା ଦେବା ସହିତ ମାରପିଟ କରିଥିବା ବିଷୟରେ ଉତ୍ତରାଖଣ୍ଡ ଡେରାଡୁନର ରାଜପୁର ଥାନାରେ ଏତଲା ଦେଇଥିଲେ । ସେହି ଘଟଣାରେ ଅର୍କେଶନାରାୟଣ ସିଂଦେଓ, ତାଙ୍କ ବାପା ଅନଙ୍ଗଉଦୟ ସିଂଦେଓ, ମାଆ, ବଡଭାଇ କଳିକେଶ ଓ ଭାଉଜ ମେଘନା ରାନାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ତେବେ ଏହି ଅଭିଯୋଗକୁ ଅର୍କେଶ ଭିତ୍ତିହୀନ ବୋଲି ଗଣମାଧ୍ୟମକୁ କହିବା ସହିତ ତାଙ୍କ ପୈତୃକ ସମ୍ପତ୍ତିକୁ ହଡପ କରିବାକୁ ଅଦ୍ରୀଜା ଓ ତାଙ୍କ ବାପା ଅଜୟ ସିଂ ଚକ୍ରାନ୍ତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏପରିକି ତାଙ୍କ ନିଜ ପୈତୃକ ଘରକୁ ଅଦ୍ରୀଜା, ତାଙ୍କ ବାପା ଅଜୟ ଓ ବଡଭଉଣୀ ରୁଚା ଜବରଦସ୍ତ କବଜା କରି ରଖିଛନ୍ତି ବୋଲି ଥାନାରେ ଏତଲା ଦେଇଛନ୍ତି । ଏହି ଘଟଣା ଓଡିଶା ତଥା ଉତ୍ତରାଖଣ୍ଡ ରାଜ୍ୟରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଅର୍କେଶଙ୍କ ଘରେ କାମ କରୁଥିବା ମହିଳା କର୍ମଚାରୀ ରବିତା ଝା ତାଙ୍କୁ ଅଦ୍ରୀଜା,ତାଙ୍କ ବାପା ଅଜୟ ସିଂ, ବଡଭଉଣୀ ରୁଚା ମଞ୍ଜରୀ ଓ ଡ୍ରାଇଭର ସୋନୁ ଜାତିଆଣ ଅକ୍ଷେପ କରି ଧମକଚମକ ଦେଇଥିବା ବିଷୟରେ ରାଜପୁର ଥାନାରେ ଏତଲା ଦେଇଥିଲେ । ରବିତା ଗତ ୫ବର୍ଷ ହେଲା ଅର୍କେଶଙ୍କ ଡେରାଡୁନସ୍ଥିତ ଘରେ କାମ କରିଆସୁଛନ୍ତି । କିନ୍ତୁ ଗତ ଦୁଇବର୍ଷ ହେଲା ଯେତେବେଳ ଅର୍କେଶ ଓ ଅଦ୍ରୀଜାଙ୍କ ମଧ୍ୟରେ ବିବାଦ ଦେଖାଦେଲା ସେହି ଦିନରୁ
ଅଦ୍ରୀଜା ତାଙ୍କ ବାପାଙ୍କୁ ଡକାଇ ତାଙ୍କୁ ଜାତିଆଣ ଅକ୍ଷେପ କରି ଗାଲିଗୁଲଜ ସହିତ ନିର୍ଯ୍ୟାତନା ଦେଉଥିବା ଥାନାରେ ଅଭିଯୋଗ କରିଛନ୍ତି । ଏହି ଏତଲା ଉପରେ ରାଜପୁର ପୋଲିସ କୌଣସି ପଦକ୍ଷେପ ନନେବାରୁ ଶେଷରେ ରବିତା କୋର୍ଟର ଆଶ୍ରୟ ନେଇଥିଲେ। ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶରେ ରବିତାଙ୍କ ଏତଲା ଆଧାରରେ କେସ୍ ନମ୍ବର-୦୧୫୪ ତା ୨୮.୦୫.୨୦୨୩ରେ ରୁଜୁ ହୋଇଛି । ଏଥିରେ ଅଦ୍ରୀଜା, ତାଙ୍କ ବାପା ଅଜୟ ସିଂ, ବଡଭଉଣୀ ରୁଚା ମଞ୍ଜରୀ ଓ ଡ୍ରାଇଭର ସୋନୁଙ୍କ ନାମରେ ଏସସିଏସଟି ଧାରାରେ ମାମଲା ରୁଜୁ ହୋଇଛି । ମାମଲାର ତଦନ୍ତ ସିଓ ମସୁରୀ ଅନୀଳ ଯୋଷୀ କରୁଛନ୍ତି ବୋଲି ଡେରାଡୁନ ସିଟିଏସପି ସରିତା ଡୋଭାଲ କିଛି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଡେରାଡୁନ ପୋଲିସ ମଧ୍ୟ ଏକପାଖିଆ କାର୍ଯ୍ୟାନୁଷ୍ଠାନ ନେଉଥିବା ଅର୍କେଶ କହିଛନ୍ତି । ଅଦ୍ରୀଜା ଓ ତାଙ୍କ ପରିବାର ଅର୍କେଶଙ୍କ ପୈତୃକଘରକୁ କବଜା କରିଛନ୍ତି ଓ କିଛି ଜମିମାଫିଆଙ୍କ ସହାୟତାରେ ହଡପ କରିବାକୁ ଉଦ୍ୟମ କରୁଛନ୍ତି । ସେ ନିଜେ ନିଜ ଘରେ ରହିପାରୁନାହାଁନ୍ତି । ଏବିଷୟରେ ପୋଲିସକୁ କହିଲେ ସେମାନେ କୌଣସି ପଦକ୍ଷେପ ନେଉନାହାଁନ୍ତି ବୋଲି ଅର୍କେଶ ଅଭିଯୋଗ କରିଛନ୍ତି ।
ଅଦ୍ରୀଜାଙ୍କ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ପରେ ଏବେ ଖୋଦ ଅଦ୍ରୀଜା ଓ ତାଙ୍କ ପରିବାର ନାମରେ ଜାତିଆଣ ଆକ୍ଷେପ ମାମଲା ରୁଜୁ ହେଲାପରେ ମାମଲା ଭିନ୍ନ ମୋଡ ନେଉଛି । ଅର୍କେଶ ନାରାୟଣ ସିଂଦେଓ ବଲାଙ୍ଗୀର ରାଜପରିବାର ତଥା ଓଡିଶାର ଏକ ପ୍ରତିଷ୍ଠିତ ରାଜନୈତିକ ପରିବାରର ହୋଇଥିବା ବେଳେ ଅଦ୍ରୀଜା ପୂର୍ବ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂଙ୍କ ନାତୁଣି ଅଟନ୍ତି । ତେବେ ଅଦ୍ରୀଜା ଙ୍କ ବାପା ଅଜୟ ସିଂଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଛି ଓ କୋର୍ଟଙ୍କ ନିର୍ଦ୍ଦେଶରେ ଏକ ମାମଲାରେ ୧୦ଲକ୍ଷ ଟଙ୍କାର ଫାଇନ ମଧ୍ୟ ଦେଇଥିବା ସୂଚନା ରହିଛି । ଅଜୟ ଏଚଡିଏଫସି ବ୍ୟାଙ୍କରୁ ଋଣନେଇ ତାକୁ ନଶୁଝି ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ନାମରେ ମିଥ୍ୟାମାମଲା ରୁଜୁ କରିଥିଲେ । ସେହି ଘଟଣାରେ ଅଜୟଙ୍କ ଉପରେ କୋର୍ଟ ୧୦ଲକ୍ଷ ଟଙ୍କାର ଫାଇନ୍ ପକାଇଥିଲେ । ଠିକ ସେହିପରି ତାଙ୍କର ମାଣ୍ଡା ରାଜ୍ୟର ରାଜସମ୍ପତ୍ତି ଭାଗବଣ୍ଟାକୁ ନେଇ ତାଙ୍କ ବଡଭାଇଙ୍କ ସହିତ ଗଣ୍ଡଗୋଳ ହୋଇ ମାମଲା ମଧ୍ୟ ହୋଇଥିବା ସୂଚନା ମିଳିଛି । ତେବେ ଉଭୟ ପରିବାର ଦେଶର କିଛି ପ୍ରତିଷ୍ଠିତ ପରିବାର ମଧ୍ୟରେ ରହିଥିବାରୁ ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ମଧ୍ୟ ଆଲୋଚନାର ବିଷୟ ହୋଇଛି ।