-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
31-May-2023
ବଲାଙ୍ଗିର(ଦେବାଶିଷ ବହିଦାର): ଆଜି ପୂର୍ବାହ୍ନରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ଆନୁକୂଲ୍ଯରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତ ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଚେତନତା ସଭାରେ ଅଧ୍ୟକ୍ଷତା କରି ତମାଖୁ ସେବନ ହିଁ ଅଧିକାଂଶ ଅଣସଂକ୍ରାମକ ଓ ଅନେକ କର୍କଟ ରୋଗର ମୁଖ୍ୟ କାରଣ ହୋଇଥାଏ । ତେଣୁ ତମାଖୁ ସମ୍ପୂର୍ଣ ଭାବେ ବର୍ଜନ କରି ନିରୋଗ ରହିବାକୁ ପରାମର୍ଶ ଦେଇଥିଲେ । ତମାଖୁ ନିୟନ୍ତ୍ରଣ କରିବା ପାଇଁ ସମ୍ପୃକ୍ତ
ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ତମାଖୁ ସେବନର କୁପରିଣାମ ସମ୍ପର୍କରର ବ୍ୟାପକ ସଚେତନ କରିବା ଉପରେ ସେ ଗୁରୁତ୍ଵାରୋପ କରିଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ସିଦ୍ଧେଶ୍ଵର ମାଝୀ, ସଚେତନତା ହିଁ ଏକମାତ୍ର ପନ୍ଥା ଯାହାଦ୍ୱାରା ତମାଖୁ ସେବନରୁ ନିବୃତ ରହିବା ସମ୍ଭପର ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ନମୀତା ମିଶ୍ର ତମାଖୁ ସେବନ ଦ୍ଵାରା କର୍କଟ ରୋଗ ହେବା ସହ ଲୋକମାନଙ୍କୁ ମୃତ୍ୟୁମୁଖକୁ ମଧ୍ୟ ଟାଣିନେଇପାରେ ବୋଲି ମତବ୍ୟକ୍ତ କରିଥିଲେ । ତେଣୁ ଏ ସମ୍ପର୍କରେ ସବୁ କ୍ଷେତ୍ରରେ ଜନସଚେତନାର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାକ୍ତର ସୁଧା ବାର୍ଲା ଏହି ସଚେତନତା ସଭାରେ ଉପସ୍ଥିତ ରହି ବ୍ୟବହାରିକ ତଥା ମାନସିକ ସ୍ତରରେ ପରିବର୍ତ୍ତନ ହିଁ ଏକ ମାତ୍ର ସୁଦୃଢ ପନ୍ଥା, ଯାହାଦ୍ୱାରା କି ଆମେ ତମାଖୁ ସେବନରୁ ନିବୃତ ହୋଇପାରିବା ବୋଲି ପ୍ରକାଶ କରିଥିଲେ । ସଭାରେ ଉପସ୍ଥିତ ଥିବା ସମ୍ପୃକ୍ତ ବିଭାଗର ଅଧିକାରୀ ମାନେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସଚେତନତା ସଭାରେ ଚଳିତ ବର୍ଷର ବିଷୟବସ୍ତୁ “ଆମର ଖାଦ୍ୟ ଦରକାର ତମାଖୁ ନୁହେଁ“ ଉପରେ ଉପସ୍ଥିତ ଡାକ୍ତର ଓ ଅଧିକାରୀ ମାନେ ଆଲୋଚନା କରିଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଏ ଏନ୍ ଏମ୍
ପ୍ରଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ତମାଖୁ ସେବନର କୁପରିଣାମ ସମ୍ପର୍କରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଜିଲ୍ଲା ଅଣସଂକ୍ରାମକ ରୋଗ ପରିଚାଳକ ସନ୍ତୋଷ କୁମାର ପଟ୍ଟନାୟକ ଦିବସ ପାଳନର ତାତ୍ପର୍ଜ୍ୟ ସମ୍ପର୍କରେ ସ୍ଵାଗତ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଜିଲ୍ଲା ପ୍ରୋଗ୍ରାମ ମେନେଜର ମୃତ୍ୟୁଞ୍ଜୟ ମୁଣ୍ଡ ସଭା ପରିଚାଳନା କରିଥିଲେ । ଶେଷରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ରିତାଞ୍ଜଳି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷ ଠାରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।