-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
20-Jan-2023
ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ)
ସମ୍ବଲପୁରର ଜଣାଶୁଣା ବାଦ୍ୟଶିଳ୍ପୀ ତଥା ଲୋକପ୍ରିୟ କଳାକାର ଚନ୍ଦ୍ରଶେଖର ଦୁବେ (ପିଣ୍ଟୁ)ଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ସେ କର୍କଟ ରୋଗରେରେ ପୀଡ଼ିତ ଥିଲେ। ବିଳମ୍ବରେ ବ୍ୟାଧି ଚିହ୍ନଟ ହେବାପରେ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ୍ ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା କରା ଯାଇଥିଲା। ସେଠାରୁ ସାମାନ୍ୟ ସୁସ୍ଥ ହୋଇ ଫେରିଥିଲେ ବି ବୁଧବାର ତାଙ୍କ ସ୍ବାସ୍ଥ୍ୟ ପୁଣି ଗୁରୁତର ହୋଇଥିଲା। ତାଙ୍କୁ ଚିକିତ୍ସା ପାଇଁ ରାୟପୁର ନେବା ବାଟରେ ଆଖି ବୁଜିଥିଲେ। ପିଣ୍ଟୁ ନିଜ ପଛରେ ପତ୍ନୀ ଅଧ୍ୟାପିକା ସୀମନ୍ତିକା ଦାଶ, ଛୋଟ ପୁଅ, ପିତାମାତା ଓ ବଡ଼ଭାଇ ମଣ୍ଟୁଙ୍କୁ ଛାଡ଼ି ଯାଇଛନ୍ତି। ତାଙ୍କ ବିୟୋଗରେ ସମ୍ବଲପୁରର କଳାପ୍ରେମୀ ମହଲରେ ଶୋକର ଛାୟା ଖେଳି ଯାଇଛି। ଗୁରୁବାର ଶତାଧିକ ଲୋକ ଯାଇ ତାଙ୍କ ଅନ୍ତିମ ଦର୍ଶନ କରିବା ସହ ଶେଷକୃତ୍ୟରେ ସାମିଲ ହୋଇଥିଲେ। ଝାଡ଼ୁଆପଡ଼ା ନିବାସୀ ପିଣ୍ଟୁ ପିଲାବେଳୁ ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରା ସହ ସଂପୃକ୍ତ ଥିଲେ। ଶୀତଳଷଷ୍ଠୀର ସଂସ୍କୃତି ତାଙ୍କୁ ପିଲାବେଳୁ କଳା କ୍ଷେତ୍ରକୁ ଆକର୍ଷିତ କରିଥିଲା। ସେ ଗୁରୁ ଅରୁଣ ପ୍ରସନ୍ନ ସେଠଙ୍କଠାରୁ ପ୍ରଥମେ ତବଲା ବଜାଇବା ଶିଖିଥିଲେ। ଏହାପରେ ଢୋଲ ଓ ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ବଜାଇଥିଲେ। ପ୍ରତିଟି ବାଦ୍ୟରେ ତାଙ୍କର ନୈପୁଣ୍ୟ ଥିଲା। ସମ୍ବଲପୁର କଳା ପରିଷଦ ସହ ସେ ଅନେକ ବର୍ଷ ଧରି ଜଡ଼ିତ ଥିଲେ। ସେ ଧନୁପାଲିସ୍ଥିତ ଶ୍ରୀ ଗଣେଶ ବାଳିକା ବିଦ୍ୟାଳୟର କଳା ଶିକ୍ଷକଭାବେ କାର୍ଯ୍ୟ କରୁଥିଲେ। କେବଳ ବାଦ୍ୟ କି ନୃତ୍ୟ ନୁହେଁ, ସେ ସୁନ୍ଦର ଚିତ୍ର ବି ଆଙ୍କୁଥିଲେ। ସେ ଜଣେ ମେଧାବୀ ଛାତ୍ର ଥିଲେ ଓ ଆଇନ୍ ଡିଗ୍ରି ହାସଲ କରିଥିଲେ। ତାଙ୍କ ବିୟୋଗରେ ସମ୍ବଲପୁର ଜଣେ ଉତ୍ସର୍ଗୀକୃତ କଳାକାରଙ୍କୁ ହରାଇଛି I