-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
06-Apr-2022
ପଦ୍ମପୁର:- ନ୍ୟାର୍ଯ୍ୟ ଦାବି କୁ ନେଇ ଚାଷୀମାନେ ଜର୍ଜରିତ ହୋଇ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ଉପଜିଲ୍ଲାପାଳ ପଦ୍ମପୁର କାର୍ଯ୍ୟାଳୟ ତାଲାବନ୍ଦ ର ୨ୟ ଦିନ ର ଅନ୍ଧାର ରାତିରେ ଅଭିନବ ଉପାୟରେ ଚାଷୀଙ୍କ ପ୍ରତିବାଦ ଦେଖିବାକୁ ମିଳିଥିଲା । ଶାନ୍ତିପୂର୍ଣ୍ଣ ଧାରଣାରେ ଆଜି ଭେଉଁରିଆ(ପଦ୍ମପୁର ), ଜଟେସିରା(ଝାରବନ୍ଧ), ଦେଉଲି(ପଦ୍ମପୁର ) ରୁ କୀର୍ତ୍ତନ କଳାକାର ଗଣ ଏବଂ ଲହଣ୍ଡିପୁର (ପାଇକମାଳ )ରୁ ଭଜନ କଳାକାର ଚାଷୀଙ୍କୁ ସହଯୋଗ କରିବାକୁ ଛୁଟି ଆସିଥିଲେ ।ଧାରଣାରତ ଚାଷୀଙ୍କ ସହ ଭଜନ କୀର୍ତ୍ତନ ମାଧ୍ୟମରେ ରାତିସାରା ଗିନି, ମୃଦଙ୍ଗ, ଖଞ୍ଜଣୀ ବାଦ୍ୟ ରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପ୍ରକମ୍ପିତ ହୋଇ ଉଠିଥିଲା । ସରକାର ତୁରନ୍ତ ଚାଷୀଙ୍କ ଦାବୀ କୁ ଗ୍ରହଣ କରିନିଅନ୍ତୁ ପ୍ରଭୁ ସରକାର କୁ ସଦବୁଦ୍ଧି ଦିଅନ୍ତୁ ବୋଲି କଳାକାର ଗଣ ହରିବୋଲ ଦେଇଥିଲେ । ନିରୀହ ଚାଷୀ ଫସଲ ଉତ୍ପାଦନ ପାଇଁ ମୁଣ୍ଡ ଝାଳ ତୁଣ୍ଡେ ମାରି ଖରିଫ ୨୦୨୧ ରେ ଧାନ ଫସଲ କରିଥିଲା । ପ୍ରକୃତି ଦାଉ ସାଧିଲା ବର୍ଷାଭାବ ଯୋଗୁଁ ସବୁଫସଲ ନଷ୍ଟ ହୋଇଗଲା କିନ୍ତୁ ସବୁ ଜାଣିଶୁଣି ପ୍ରଶାସନ ମରୁଡି ଘୋଷଣା କଲେନାହିଁ ଏବଂ ବୀମା କମ୍ପାନୀ ବୀମାରାଶି ଦେବାରେ କୁଣ୍ଠାବୋଧ ପ୍ରକାଶ କରୁଛି । ଅନ୍ୟପଟେ ଜଳସେଚନ ପାଇଁ ଗଭୀର ନଳକୂଅ ଗୁଡିକ ର ବିଦ୍ୟୁତ ସଂଯୋଗ କାଟି ବିଦ୍ୟୁତ ବିଭାଗ ବେଡି ଉପରେ କୋରଡ଼ା ମାଡ଼ କରୁଛି । ଏହାର ପ୍ରତିବାଦ ଓ କେତେକ ଦାବୀ ନେଇ ରାଜବୋଡ଼ା ସମ୍ବର କୃଷକ ସଂଗଠନ ତାଲାବନ୍ଦ ସହ ଅହୋରାତ୍ର ଧାରଣା ଦେଇଥିବା ବେଳେ କୀର୍ତ୍ତନ୍ୟ କଳାକାର ମାନଙ୍କ ଅକୁଣ୍ଠିତ ସଂଗ୍ରାମୀ ସହଯୋଗ ଚାଷୀଙ୍କ ମନୋବଳ କୁ ଦ୍ବିଗୁଣିତ କରୁଛି । ତୁରନ୍ତ ସରକାର ନ ଶୁଣିଲେ ରାଜରାସ୍ତା କୁ ଓଲ୍ହାଇବା ନେଇ ଧମକ ଦେଇଛନ୍ତି ସଂଗଠନ ର ଆବାହକ ଅଶୋକ ସାହୁ ।