-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
04-Feb-2022
ବଲାଙ୍ଗୀର,(ପ୍ରେରଣା ଖବର)-ଗତ ଦୁଇଦିନ ତଳେ କେନ୍ଦ୍ରସରକାର ରେଳବିଭାଗ ତାର ବଜେଟଅନୁଦାନ ଘୋଷଣା କରିଛି । ଏଥିରେ ବଲାଙ୍ଗୀର-ଖୋର୍ଦ୍ଧାରେଳଲାଇନ ପ୍ରକଲ୍ପକୁ ୮୯୧କୋଟି ଘୋଷଣା କରାଯାଇଥିବା ଜଣାଯାଇଛି । ଏପରିକି ରାଜ୍ୟସରକାର ଭାତଡାଳମା ମାଗିଥିବା ବେଳେ କେନ୍ଦ୍ରସରକାର ରାଜ୍ୟକୁ ୭୬% ଅଧିକ ଅନୁଦାନ ଦେଇ ରସଗୋଲା ଦେଇଥିବା ମନ୍ତ୍ରୀ କହିଥିଲେ । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବଲାଙ୍ଗୀରର ବିଶିଷ୍ଟ ସୂଚନାଅଧିକାର କର୍ମୀହେମନ୍ତ ପଣ୍ଡା । ରେଳବିଭାଗ ପକ୍ଷରୁ ତାଙ୍କୁ ସୂଚନାଅଧିକାର ଆଇନ ବଳରେ ମିଳିଥିବା ବିଭିନ୍ନ ତଥ୍ୟକୁ ନେଇ ଆଜି ବଲାଙ୍ଗୀର ଯାଦବଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ସେ ମନ୍ତ୍ରୀଙ୍କ ଉକ୍ତିକୁ କଟାକ୍ଷକରି କହିଛନ୍ତି ଯେ,ରେଳବିଭାଗ ଆମକୁ ରସଗୋଲା ଦେଇଥିବା କହି ଖାଇବାକୁ ନଦେଇ କେବଳ ଗୁଲଗୁଲା କରୁଛନ୍ତି ବୋଲି କହିଛନ୍ତି । ରେଳବଜେଟରେ ଘୋଷଣା ହେଉଥିବା ବଜେଟ ଓ ଆସୁଥିବା ଅନୁଦାନ ତଥା ଏହାର ଖର୍ଚ୍ଚକୁ ନେଇ ଏକ ବଡ ପ୍ରଶ୍ନ ଛିଡାକରାଇଛନ୍ତି । ପ୍ରତ୍ୟେକ ବଜେଟରେ ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଲ୍ପକୁ ବଡଅନୁଦାନ ଘୋଷଣା ହେଉଥିଲେ ହେଁ ତାହା ଖର୍ଚ୍ଚ ନହୋଇ ଫେରିଯାଉଥିବା ତଥ୍ୟ ରଖିଛନ୍ତି । ମୋଟଉପରେ ରାଜ୍ୟକୁ ଆସୁଥିବା ଅନୁଦାନକୁ ଖର୍ଚ୍ଚକରିବାରେ ରେଳବିଭାଗ ଅବହେଳା କରୁଥିବା ଅଭିଯୋଗ ଉଠାଇବା ସହିତ ଏହିପ୍ରକଲ୍ପକୁ ସାରିବାକୁ ଆନ୍ତରିକତା ନଥିବା କହିଛନ୍ତି । ସେ କହିଛନ୍ତି ଯେ,୧୯୯୪ ମସିହାରୁ ଅନୁମୋଦିତ ଏହି ପ୍ରକଳ୍ପକୁ ଅବହେଳା କରାଯାଇଛି ଓ ଏବେ ଆହୁରି ଐତିହାସିକ ଅବହେଳା କରାଯାଉଥିବା କହିଛନ୍ତି । ରେଳବିଭାଗର ଅନୁଦାନ ବାଦ ୨୦୧୫ ମସିହାର ଚୁକ୍ତି ମୁତାବକ ରାଜ୍ୟସରକାର ରେଳବିଭାଗକୁ ଦେଇଥିବା ୪୮୩କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରିପାରିନାହିଁ ବୋଲି କହିଛନ୍ତି । ପ୍ରତ୍ୟେକବର୍ଷ ରାଜନୈତିକ ଉଦ୍ଦେଶ୍ୟରେ କେବଳ ଅନୁଦାନ ଘୋଷଣା ହେଉଛି କିନ୍ତୁ ସେତିକି ଅର୍ଥଆସି ଖର୍ଚ୍ଚ କରାଯାଉନାହିଁ । ଏପର୍ଯ୍ୟନ୍ତ ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଲ୍ପରେ ମାତ୍ର ୧୧୦୦କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗତ ୨୦୧୫ ମସିହାରେ ରେଳବିଭାଗ ଓ ରାଜ୍ୟସରକାରଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା ଓ ଏହି ଚୁକ୍ତିମୁତାବକ ଅଢେଇବର୍ଷ ମଧ୍ୟରେ ରାଜ୍ୟସରକାର ଜମିଅଧିଗ୍ରହଣ କରିବେ । ଠିକ ସେହିପରି ଚୁକ୍ତିର ୬ବର୍ଷ ମଧ୍ୟରେ ୨୦୨୧ରେ ଏହି ପ୍ରକଲ୍ପକୁ ସାରିବାକୁ କୁହାଯାଇଥିଲା । ଗତ ୨୦୧୯ରେ ପ୍ରଧାନମନ୍ତ୍ରୀ ଆସି ବଲାଙ୍ଗୀରପଟୁ ବିଛୁପାଲି ପର୍ଯ୍ୟନ୍ତ ରେଳଲାଇନ ଓ ରେଳଚଳାଚଳକୁ ଉଦଘାଟନ କରିଥିଲେ । କିନ୍ତୁ ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ମାତ୍ର ୪.୫କିମି ପର୍ଯ୍ୟନ୍ତ ରେଳଲାଇନ ବିଛାଯାଇଛି । କେନ୍ଦ୍ରରେଳମନ୍ତ୍ରୀ ଆସନ୍ତା ୨୦୨୩ମସିହାରେ ଏହି ପ୍ରକଲ୍ପ ସାରିବାକୁ କହୁଥିବା ବେଳେ ୨୦୨୧ରେ ସରିଯାଇଥିବା ଚୁକ୍ତିକୁ ପୁନନବିକରଣ କରି ଏହି ସମୟସୀମା ୨୦୨୫ ପର୍ଯ୍ୟନ୍ତ ବଢାଇବାକୁ ଅନୁରୋଧ କରିଥିବା ତଥ୍ୟ ଦେଇଛନ୍ତି । ଗତ ୨୦୨୧ ମସିହା ଡିସେମ୍ବର ୨୧ତାରିଖରେ ଏନେଇ ରେଳବିଭାଗକୁ ଚିଠିଲେଖି ଅନୁରୋଧ କରିଥିବା ତଥ୍ୟରୁ ଜଣାପଡିଛି । ଫଳରେ ରେଳମନ୍ତ୍ରୀ କଥା ଓ ତାଙ୍କ କାର୍ଯ୍ୟଳୟର ତଥ୍ୟରେ ତାଳମେଳ ରହୁନାହିଁ । ଗତ ଏହି ମିଳିଥିବା ତଥ୍ୟରୁ ଜଣାଯାଇଛି ଯେ,ପ୍ରକଲ୍ପକୁ ୨୦୧୭-୧୮ରେ ୬୪୨କୋଟି ଆସିଥିବା ବେଳେ ଖର୍ଚ୍ଚ ହୋଇଛି ମାତ୍ର ୧୫୮କୋଟି,୨୦୧୮-୧୯ରେ ୬୨୫କୋଟିରୁ ଖର୍ଚ୍ଚ ହୋଇଛି ୧୫୯କୋଟି ଟଙ୍କା,୨୦୧୯-୨୦ରେ ୩୫୦କୋଟିରୁ ଖର୍ଚ୍ଚ ହୋଇଛି ୧୫୩କୋଟି ଟଙ୍କା,୨୦୨୦-୨୧ରେ ୫୧୯କୋଟିରୁ ଖର୍ଚ୍ଚ ହୋଇଛି ମାତ୍ର ୧୭୦କୋଟି ଟଙ୍କା । ଫଳରେ ରେଳବିଭାଗର କାର୍ଯ୍ୟଦକ୍ଷତା ଓ ପ୍ରକଲ୍ପପ୍ରତି ଆନ୍ତରିକତା ନଥିବା ଅଭିଯୋଗ ଉଠାଇଛନ୍ତି ଶ୍ରୀ ପଣ୍ଡା । ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଲ୍ପ ହେଲେ ଓଡିଶାର ପୂର୍ବତଟ ସହିତ ପଶ୍ଚିମଓଡିଶାର ଭାବଗତ,ଅର୍ଥନୈତିକ ଓ ସାମାଜିକ ସଂପର୍କ ବଢିବ । ଏବେ ଓଡିଶାର ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ରରେଳ ମନ୍ତ୍ରୀ ରହିଛନ୍ତି । ତାଙ୍କଠାରୁ ଓଡିଶାର ଜନସାଧାରଣ ଅନେକ କିଛି ଆଶା ରଖିଛନ୍ତି । କିନ୍ତୁ ସେ ମଧ୍ୟ କେବଳ ଅନୁଦାନ ଘୋଷଣା କରି ବାହାବା ନେବା ବ୍ୟତିତ ଅନ୍ୟକିଛି କରାଇବାରେ ବିଫଳ ହୋଇଛନ୍ତି ବୋଲି ସାମ୍ବାଦିକ ସମ୍ବିଳନୀରେ ସୂଚନାଅଧିକାର କର୍ମି ହେମନ୍ତ ପଣ୍ଡା କହିଛନ୍ତି ।