-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
15-Jan-2022
ନୟାଗଡ଼,(ପ୍ରଦୀପ କୁମାର ପଣ୍ଡା): ପ୍ରତିବର୍ଷ ଜାନୁୟାରୀ ମାସରେ ମକର ସଂକ୍ରାନ୍ତି ଅବସରରେ ସାରା ରାଜ୍ୟରେ ବିଭିନ୍ନ ଦେବାଦେବୀଙ୍କ ପୀଠ ବେଶ ଉତ୍ସବମୁଖର ହୋଇଥାଏ | ତିନିବର୍ଷ ହେଲା ମହାମାରୀ କରୋନା ପାଇଁ ଓଡ଼ିଶାବାସୀଙ୍କ ପୂଜାପାର୍ବଣରେ କଟକଣା ଲଗାଇ ଆସୁଛନ୍ତି ଓଡିଶା ସରକାର | ଚଳିତ ବର୍ଷ ମଧ୍ୟ ଅନୁରୂପ ଭାବେ ମକରମେଳା ପାଇଁ ଲାଗିଛି କଟକଣା | ଗତକାଲି ନୟାଗଡ଼ ଜିଲ୍ଲା ନୀଳମାଧଵଙ୍କ ପୀଠରେ ଶ୍ରଦ୍ଧାଳୁ ଶୂନ୍ୟ ମକର ପର୍ବ ପାଳନ କରାଯାଇଛି | ଏହି ପର୍ବ ର ମୁଖ୍ୟ ଆକର୍ଷଣ ହେଉଛି ମକରଚାଉଳ | ନୂଆ ଚାଉଳ, କଦଳୀ, ନଡ଼ିଆ, ଛେନା, କ୍ଷୀର, ଲିଆ, ଗୋଲମରିଚ, ଅଳେଇଚ ଆଦି ବିଭିନ୍ନ ଦ୍ରବ୍ୟ ର ମିଶ୍ରଣ ରେ ତିଆରି ହୋଇଥିବା ମକରଚାଉଳ କୁ ପ୍ରଥମେ ବିଭିନ୍ନ ଦେବଦେବୀ ଙ୍କୁ ଅର୍ପଣ କରାଯିବା ପରେ ପରିବାର ର ସମସ୍ତ ସଦସ୍ୟ ମାନେ ସେବନ କରିଥାନ୍ତି | ଏପରିକି ଏହି ମକରଚାଉଳ କୁ ଛୋଟ ପିଲାମାନେ ପରସ୍ପର କୁ ଖୁଆଇ ଏକ ନୂତନ ସମ୍ପର୍କ ସ୍ଥାପନ କରି ପରସ୍ପର କୁ ମକର ବୋଲି ସମ୍ବୋଧନ କରିଥାନ୍ତି | ଏହି ସଂକ୍ରାନ୍ତି ରେ ନୀଳମାଧଵ ଙ୍କ ପୀଠରେ ସ୍ୱତନ୍ତ୍ର ଆକର୍ଷଣ ହେଉଛି ନୀଳମାଧବ ଜୀଉ ଙ୍କ ମନ୍ଦିର ଦକ୍ଷିଣ ପାର୍ଶ୍ଵ ଦେବତା ଭାବେ ବିରାଜିତ ସିଦ୍ଧେଶ୍ଵର ମହାଦେବ ଙ୍କ ପାର୍ଶ୍ଵ ପରିବର୍ତ୍ତନ | କପିଳ ସହିଁତା ରେ ଉଲେଖ ଅଛି ଯେ ସୂର୍ଯ୍ୟ ଙ୍କ ଗତି ର ବିପରୀତ ଦିଗକୁ ସିଦ୍ଧେଶ୍ଵର ମହାଦେବ ଙ୍କ ଲିଙ୍ଗ ଆପେଆପେ ଢଳିଥାଏ | ମକରସଂକ୍ରାନ୍ତି ରେ ସୂର୍ଯ୍ୟ ଙ୍କ ଉତ୍ତରାୟନ ଗତି ହେଉଥିବା ରୁ ସିଦ୍ଧେଶ୍ଵର ଙ୍କ
ଲିଙ୍ଗ ଦକ୍ଷିଣ ଦିଗକୁ ଢଳି ଥିବା ଦୃଶ୍ୟମାନ ହୋଇଛି | ଏହି ଅବର୍ଣ୍ଣନୀୟ ଘଟଣାକୁ ଉପଭୋଗ କରିବା ପାଇଁ ପ୍ରତ୍ୟେକ ବର୍ଷ ନୀଳମାଧବ ଙ୍କ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ସରକାରୀ କଟକଣା ହେତୁ ଆଜି ସବୁ ଫିକା ପଡିଯାଇଥିଲା | ଏହି ପରିପ୍ରେକ୍ଷୀରେ ନୀଳମାଧବଙ୍କ ପହିଲିଭୋଗ ନୀତି ଗତକାଲି ଠାରୁ ବନ୍ଦ ହୋଇଛି | ମକରସଂକ୍ରାନ୍ତି ଅବସରରେ ଶ୍ରୀ ଜୀଉ ଙ୍କ ପାଖରେ ମକର ଚାଉଳ ଏବଂ ଚୌରାଅଶୀ ପ୍ରକାର ବ୍ୟଞ୍ଜନଲାଗି ହୋଇଛି |