-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
04-Jan-2022
ବଲାଙ୍ଗୀର//:ଆସନ୍ତା ପଞ୍ଚାୟତ ନିର୍ବାଚନ କୁ ନେଇ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସରକାର ସଂରକ୍ଷଣ ବ୍ୟବସ୍ଥା କୁ ବିଭିନ୍ନ ମହଲରେ ତତ୍ପରତା ପ୍ରକାଶ ପାଇଛି । ବଲାଙ୍ଗୀର ଜିଲ୍ଲାରେ ଆଦିବାସୀ ସଂଘ ତରଫରୁ ଏ ବ୍ୟବସ୍ଥା କୁ ବିରୋଧ ସହ ଶାସକ ଦଳ ର ପୋଷ୍ଟର ଚିରିଥିବା ଘଟଣା ଦେଖାଯାଇଛି । ଏପରି କି ଆଇନ ଅନୁଯାୟୀ ଏହି ସରକାରୀ ପୋଷ୍ଟର ଚିରିଥିବା ଏକ ଦଣ୍ଡନୀୟ ଅଭିଯୋଗ ବୋଲି ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି । ସେହିପରି ଓବିସି ସଂରକ୍ଷଣ ସମ୍ପର୍କରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ବିଜେପି ଜିଲ୍ଲା ଓବିସି ମୋର୍ଚ୍ଚା ତରଫରୁ ଦାବୀପତ୍ର ପ୍ରଦାନ କରାଯାଇଛି । ରାଜ୍ୟରେ ପଛୁଆ ବର୍ଗଙ୍କ ଜନସଂଖ୍ୟା ୫୪%ରୁ ଅଧିକ ରହିଥିବା ବେଳେ ସଂଖ୍ୟାରେ ତାହା ୨.୫ କୋଟି । ଗତ ୫ଟି ପଞ୍ଚାୟତ ନିର୍ବାଚନ ଓବିସି ବର୍ଗର ପ୍ରାର୍ଥୀମାନେ ୨୭% ସଂରକ୍ଷଣ ଆଧାରରେ ନିର୍ବାଚନ ଲଢ଼ି ସାରିଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ରାଜ୍ୟ ସରକାରଙ୍କ ଓବିସି ବର୍ଗଙ୍କ ପ୍ରତି ବୈମାତୃକ ମନୋଭବ କାରଣରୁ ଉକ୍ତ ବର୍ଗ ନିର୍ବାଚନରେ ଭାଗ ନେବା ନେଇ ଦ୍ୱନ୍ଦ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବିଜେପି ଜିଲ୍ଲା ଓବିସି ମୋର୍ଚ୍ଚା ପକ୍ଷରୁ ଉଲ୍ଲେଖ କରାଯାଇଛି । ଏଥି ସହିତ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ସମାନ ପରିସ୍ଥିତିରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ କେନ୍ଦ୍ର ସରକାର ଏ ସଂପର୍କରେ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ବେଳେ ଓଡ଼ିଶା ସରକାର ଏ ସଂପର୍କରେ ଉଦାସୀନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟରେ ଅନୁସୂଚିତ ଅଂଚଳ ଅନ୍ତର୍ଭୁକ୍ତ ଅନେକ ଜିଲ୍ଲା ରହିଥିବା ସ୍ଥଳେ ଏସ୍ସି, ଏସ୍ଟି, ଓବିସି ବର୍ଗ ମିଶି ପ୍ରାୟ ୯୪% । ଏଣୁ ବିଶେଷ ପରିସ୍ଥିତି ଦର୍ଶାଇ ରାଜ୍ୟ ସରକାର ବହୁ ପୂର୍ବରୁ ଉଚ୍ଚତମ ନ୍ୟାୟାଳୟଙ୍କୁ ଅବଗତ କରାଇବା ଉଚିତ, ଯାହା କରିନାହାନ୍ତି । ଉଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ଆଳ ଦେଖାଇ ରାଜ୍ୟ ସରକାର ଓବିସି ବର୍ଗକୁ ଆଗାମୀ ନିର୍ବାଚନରେ ବଂଚିତ କରାଇବାକୁ ଉଦ୍ୟମ କରୁଛନ୍ତି ବୋଲି ବିଜେପି ପକ୍ଷରୁ ଆକ୍ଷେପ କରାଯାଇଛି । ତେବେ ବହୁ ବିଳମ୍ବରେ ଗଠିତ ରାଜ୍ୟ ଓବିସି କମିଶନ କାହିଁକି ତାଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ କରି ପାରିଲେନାହିଁ ଏବଂ ତାର ପରିଣାମ ଏକ ନିର୍ଦ୍ଦିଷ୍ଟ ଜାତି ବର୍ଗ ଭୋଗ କରିବା କେତେଦୂର ଯଥାର୍ଥ ବୋଲି ଉଲ୍ଲେଖ କରାଯାଇଛି । ତେବେ ଉପରୋକ୍ତ ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ଦେଇ ପଞ୍ଚାୟତ ନିର୍ବାଚନାରେ ସଂରକ୍ଷଣ ଆଧାରରେ ପ୍ରତିନିଧିତ୍ୱ କରିବା ପାଇଁ ପଛୁଆ ବର୍ଗକୁ ଯେଉଁ ସାମ୍ବିଧାନିକ ଅଧିକାର ଦିଆଯାଇଅଛି, ତାହା ସୁନିଶ୍ଚିତ କରିବା ପରେ ପଞ୍ଚାୟତ ନିର୍ବାଚନ କରାଯାଉ ବୋଲି ବିଜେପି ଜିଲ୍ଲା ଓବିସି ମୋର୍ଚ୍ଚ ପକ୍ଷରୁ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଛି । ବିଜେପି ଓ ବି ସି ମୋର୍ଚ୍ଚା ସଭାପତି ଅକ୍ଷୟ ରଣା, ରାଜ୍ୟ ଉପସଭାପତି ଦିଲୀପ ଖର୍ସେଲ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ମାଧବ ସାଏ, ନୀଳାଞ୍ଚଳ ନାଗ, ଗଦାଧର ବଗର୍ତ୍ତୀ, ପୃଥ୍ୱୀରାଜ ବାଗ, ସୁରେଶ ଦନ୍ତା, ବିରଞ୍ଚି ରଣା, ସୁଦାମ ବାଗ, ନିରଞ୍ଜନ ଗହିର, ଅକ୍ଷୟ ଘିୱାଲା, ମକରନ୍ଦ ରଣା, ସରୋଜ ସାହୁ, ପ୍ରଶ୍ନ ଦୀପ, ଦର୍ଶନ ପ୍ରଧାନ ପ୍ରମୁଖ ଦାବୀପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ । ସେହିପରି ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ଲିଖିତ ଅଭିଯୋଗ କପି ପ୍ରଦାନ କରିଛନ୍ତି । ଏବେ ଏହି ଆଦିବାସୀ ପ୍ରବଣ ଜିଲ୍ଲା ପ୍ରତି ସରକାର କଣ ପଦକ୍ଷେପ ଗ୍ରହଣ କରିବେ ତାହା ଦେଖିବାକୁ ରହିଲା ।