-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
30-May-2021
ରେଢାଖୋଲ, (ଅନିଲ କୁମାର ପୃଷ୍ଟି ): ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢିବା ସହ ଲୋକଙ୍କୁ ଆକ୍ରମଣ କରି ମାରି ପକାଉ ଥିବା ଘଟଣା ମଧ୍ୟ ବଢି ଚାଲିଛି। ରେଢାଖୋଲ ରେଞ୍ଜ ଲୁହାପଙ୍କ ସେକ୍ସନ ଅନ୍ତର୍ଗତ ଦଲକି ନିକଟସ୍ଥ ଖସଡ଼ା ଜଙ୍ଗଲରେ ରବିବାର ଦିନ ଜଙ୍ଗଲୀ କନ୍ଦା ଲୋକେ ଖୋଳିବାକୁ ଯାଇଥିବା ବେଳେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ ଟା ବେଳେ ଏକ ବଣୁଆ ଦନ୍ତା ହାତୀ ଆକ୍ରମଣର କରି ଦଳି ଚକଟି ଦେବାରୁ ଜଣେ ଆଦିବାସୀ ଲୋକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।ମୃତକ ଜଣଙ୍କ ହେଲେ ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଘୋଷରମାଳ ପଞ୍ଚାୟତ ଅନ୍ତର୍ଗତ ବଡ଼ମାଳ(ଋଷି) ଗ୍ରାମ ରାଣୀବଣିଆ ସାହିର ଭାରଜିଲ ଲାକଡ଼ା(୪୬)। ପ୍ରକାଶ ଥାଉକି ବଡ଼ମାଳ ଗ୍ରାମ ଅଞ୍ଚଳର ୫ ଜଣ ବ୍ୟକ୍ତି ରେଢାଖୋଲ ରେଞ୍ଜ ଲୁହାପଙ୍କ ସେକ୍ସନ ଅନ୍ତର୍ଗତ ଦଲକି ଗ୍ରାମ ନିକଟସ୍ଥ ଖସଡ଼ା ଜଙ୍ଗଲ ଭିତରକୁ କନ୍ଦା ଖୋଲିବାକୁ ରବିବାର ସକାଳେ ଯାଇଥିଲେ। ହେଲେ ଜଙ୍ଗଲକୁ ଯାଇ ଥିବା ଏହି ଲୋକେ କନ୍ଦା ଖୋଳୁ ଥିବା ବେଳେ ଜଙ୍ଗଲୀ ଦନ୍ତା ହାତୀ ଆକ୍ରମଣ କରି ଥିଲା। ଏହି ଦନ୍ତା ହାତୀ ଭାରଜିଲ ଲାକଡ଼ା ଙ୍କୁ ଦଳି ଚକଟି କଚାଡି ମାରି ଦେଇଥିଲା। ଘଟଣା ପରେ ଲୋକେ ବନ ବିଭାଗକୁ ଖବର ଦେଇ ଥିଲେ ।ଖବର ପାଇ ରେଢାଖୋଲ ରେଞ୍ଜ ଲୁହାପଙ୍କ ଫରେଷ୍ଟର ଧର୍ମୁ ଧର ପ୍ରଧାନ, ଫରେଷ୍ଟ ଗାର୍ଡ କିଶୋର ଚନ୍ଦ୍ର ପ୍ରଧାନ, ଅଜିତ କୁମାର ସାହୁ ପ୍ରମୁଖ ଘଟଣା ସ୍ଥଳକୁ ଯାଇ ମୃତ ଦେହ ଉଦ୍ଧାର କରି ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ଅଣା ଯାଇଛି।ହେଲେ ରବିବାର ମୃତକଙ୍କ ଶବ ଆଣିବାରେ ବିଳମ୍ବ ହେବାରୁ ଶବ ବ୍ୟବଚ୍ଛେଦ ହୋଇ ନ ପରିବାରୁ ସୋମବାର ସକାଳେ ଶବ ବ୍ୟବଚ୍ଛେଦ କରା ଯିବ ବୋଲି ରେଢାଖୋଲ ଥାନା ଏସଆଇ ସୌମ୍ୟ ରଞ୍ଜନ ମହାଲିକ ପ୍ରକାଶ କରିଛନ୍ତି। ମୃତ ପରିବାର ଏକ ଆଦିବାସୀ ଗରିବ ପରିବାର ହୋଇ ଥିବା ବେଳେ ତାଙ୍କର ପତ୍ନୀ ସମେତ ୩ ପୁଅ ଓ ଗୋଟିଏ ଝିଅ ଅଛନ୍ତି।ଏଣୁ ଉକ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।