-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
11-Mar-2021
ବାଲିଗୁଡା,(ପ୍ରେରଣା ଖବର ବ୍ୟୁରୋ) : ଆଜି ହେଉଛି ମହା ଶିବରାତ୍ରି । ଆଜିର ଦିନରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ ଜନ୍ମ ଜନ୍ମାନ୍ତର ପାପ ଦୂର ହୁଏ ବୋଲି ବିଶ୍ୱାସ ରହିଛି । ସକାଳୁ ସକାଳୁ ମହାଦେବଙ୍କ ଦର୍ଶନ କରି ଦିନସାରା ଉପବାସ ରହି ମଧ୍ୟରାତ୍ର ରେ ମହାଦୀପ ଦର୍ଶନ କରି ଜାଗର ପାଳନ କରିଲେ ଦେବ ଦେବ ମହାଦେବ ତାର ମାନସିକ ପୁର୍ଣ୍ଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ପୌରାଣିକ କିମ୍ବଦନ୍ତି ଅନୁଯାୟୀ ସମୁଦ୍ର ମନ୍ଥନରେ ବାହାରିଥିବା ହଳାହଳ ବିଷକୁ ଆଜି ମହାଦେବ ପାନ କରି ଶୋଇ ରହିଥିଲେ । ସମସ୍ତ ଦେବତା ମାନେ ମହାଦେବଙ୍କୁ ଜଗି ରହିଥିଲେ । ଏହି କିମ୍ବଦନ୍ତିକୁ ଆଧାର କରି ଲୋକେ ଆଜିର ଦିନରେ ଜାଗର ପାଳନ କରୁଥାନ୍ତି । ତେବେ ପ୍ରତିବର୍ଷ ଏହି ଶିବରାତ୍ର କୁ ଧୁମ୍ ଧାମ୍ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କୋଭିଡ୍ କଟକଣା ମାନି ଶିବରାତ୍ର ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ମୁହଁ ରେ ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୂରତା ରଖି ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛନ୍ତି । ଏଣୁ ଆଜି କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ସହରର ବିଭିନ୍ନ ଶୈବ ପୀଠରେ କୋଭିଡ୍ ଗାଇଡଲାଇନ ଅନୁଯାୟୀ ଶିବରାତ୍ରୀ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା । ସହରର ବିଭିନ୍ନ ଶୈବ ପୀଠ ଗୁଡିକରେ ପୋଲିସ ମୃତୟନ ରହି ମନ୍ଦିର ମାନଙ୍କରେ କୋଭିଡ୍ ଗାଇଡଲାଇନ୍ ପାଳନ କରାଯାଉଛି କି ନାହିଁ ତାହାର ଅନୁଧ୍ୟାନ କରିଛନ୍ତି । ବାଲିଗୁଡା ସହରରେ ଥିବା ରାମେଶ୍ୱର, ବିରୁପାକ୍ଷ, ଦଣ୍ଡପଦରରେ ଥିବା ଧବଳେଶ୍ୱର, ସୁରୁବାଲି ର ଖଡ଼ଗେଶ୍ୱର,ଜାଲେଶପଟ୍ଟାରେ ଥିବା ଜଳେଶ୍ୱର, ବାରଖମାର ବାବା ଧବଳେଶ୍ୱର, ଟିକାବାଲି ନିକଟସ୍ଥ ଡୁଙ୍ଗିର ପଞ୍ଚ ଲିଙ୍ଗେଶ୍ୱର,ଓ ଚକାପାଦର ବିରୁପାକ୍ଷ ମନ୍ଦିର ମାନଙ୍କରେ ମନ୍ଦିର
କମିଟି ମାନଙ୍କ ଦ୍ୱାରା ମନ୍ଦିର ଗେଟ ସମ୍ମୁଖରେ ସାନିଟାଇଜର ରଖିବା ସହିତ ମାସ୍କ ପିନ୍ଧିବା ପାଇଁ ଭକ୍ତଙ୍କୁ ଅନୁରୋଧ କରାଯାଉଥିବା ଦେଖିବାକୁ ମିଳିଛି । ତେବେ ଗତ ବର୍ଷ କରୋନା ମହାମାରୀ ଯୋଗୁଁ କୌଣସି ଶୈବ ପୀଠରେ ଶିବରାତ୍ରି ପାଳନ କରାଯାଇନଥିବା ବେଳେ ଚଳିତ ବର୍ଷ କୋଭିଡ୍ କଟକଣା ଅନୁଯାୟୀ ଶିବରାତ୍ରି ପାଳନ ହେଉଥିବାରୁ ଭକ୍ତ ମାନେ ଖୁସି ପ୍ରକଟ କରିଛନ୍ତି ।