-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
08-Oct-2026
କଟକ, ୮।୧୦ (ତପନ ମହାନ୍ତି): କଟକ ପୂର୍ତ୍ତ ବିଭାଗ (R&B) ଡିଭିଜନ-୨ରେ ଜଣେ ଯନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ ଏବେ ବିଭାଗୀୟ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ସମ୍ପୃକ୍ତ ଯନ୍ତ୍ରୀ ଏକ ସମୟରେ ଦୁଇଟି ସବ୍ଡିଭିଜନର ଦାୟିତ୍ୱରେ ରହିବା ସହ ଡିଭିଜନର ଗୁରୁତ୍ୱପୂର୍ଣ୍ଣ ଏଷ୍ଟିମେଟ ପ୍ରସ୍ତୁତି ଦାୟିତ୍ୱ ମଧ୍ୟ ସମ୍ଭାଳୁଥିଲେ ବୋଲି ଅଭିଯୋଗ ହେଉଛି।ଏହି ସମୟରେ ବିଭିନ୍ନ ଉନ୍ନୟନ ଓ ମରାମତି କାମ ପାଇଁ ପ୍ରସ୍ତୁତ ହୋଇଥିବା ଏଷ୍ଟିମେଟ, କାର୍ଯ୍ୟ ପରିମାଣ, ବିଲ୍ ଓ ଅର୍ଥ ପ୍ରଦାନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଉଠିଛି। ଏପରିକି ଏହାର ପରିମାଣ ୨ କୋଟି ଟଙ୍କାରୁ ଅଧିକ ହୋଇପାରେ ବୋଲି ବିଭାଗୀୟ ମହଲରେ ଚର୍ଚ୍ଚା ଚାଲିଛି। ତେବେ ଏହି ଅଭିଯୋଗର ସ୍ୱାଧୀନ ଭାବେ ସରକାରୀ ସ୍ତରରେ ପୁଷ୍ଟି ହୋଇନାହିଁ।ସବୁଠାରୁ ବଡ଼ ପ୍ରଶ୍ନ ହେଉଛି—ଜଣେ ଯନ୍ତ୍ରୀଙ୍କୁ ଏକା ସମୟରେ ଦୁଇ ସବ୍ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱ କେଉଁ ପରିସ୍ଥିତିରେ ଦିଆଯାଇଥିଲା? ଏତେଗୁଡ଼ିଏ ଆର୍ଥିକ ଓ ପ୍ରାକ୍ତିକ ଦାୟିତ୍ୱ ଜଣେ ଅଧିକାରୀଙ୍କ ହାତରେ କେନ୍ଦ୍ରୀଭୂତ କରାଯିବା ପଛରେ କାହାର ଅନୁମୋଦନ ଥିଲା, ତାହାର ଯାଞ୍ଚ ପାଇଁ ଦାବି ଉଠିଛି।
ଆହୁରି ଚର୍ଚ୍ଚାର ବିଷୟ ହୋଇଛି ଯେ, ଏଭଳି ଅଭିଯୋଗ ମଧ୍ୟରେ ସମ୍ପୃକ୍ତ ଯନ୍ତ୍ରୀ ପରବର୍ତ୍ତୀ ସମୟରେ ପଦୋନ୍ନତି ପାଇ ଅନ୍ୟତ୍ର ଚାଲିଯାଇଛନ୍ତି। ଫଳରେ ପଦୋନ୍ନତି ପୂର୍ବରୁ ତାଙ୍କ ସମୟର କାମ, ଏଷ୍ଟିମେଟ, ଏମ୍ବି, ବିଲ୍, ଟେଣ୍ଡର ଓ ଅର୍ଥ ପ୍ରଦାନ ସମ୍ପର୍କିତ ଫାଇଲଗୁଡ଼ିକ ଯାଞ୍ଚ ହୋଇଥିଲା କି ନାହିଁ, ତାହା ଉପରେ ପ୍ରଶ୍ନ ଉଠିଛି।ସମ୍ପ୍ରତି ରାଜ୍ୟର R&B ବିଭାଗର କେତେକ ଯନ୍ତ୍ରୀଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ତଦନ୍ତ ହୋଇଥିବା ପରିପ୍ରେକ୍ଷୀରେ, କଟକ ଡିଭିଜନ-୨ର ଏହି ଅଭିଯୋଗର ମଧ୍ୟ ଭିଜିଲାନ୍ସ କିମ୍ବା ଉଚ୍ଚସ୍ତରୀୟ ବିଭାଗୀୟ ତଦନ୍ତ କରାଯାଉ ବୋଲି ଦାବି ଜୋର ଧରିଛି। ଏବେ ଦେଖିବାକୁ ରହିଲା, ପୂର୍ତ୍ତ ବିଭାଗ ଏହି ଗୁରୁତର ଅଭିଯୋଗକୁ ନେଇ ନିରବ ରହୁଛି ନା ସମ୍ପୃକ୍ତ ସମୟର ସମସ୍ତ ଆର୍ଥିକ ରେକର୍ଡ ଖୋଲି ନିଷ୍ପକ୍ଷ ତଦନ୍ତର ନିର୍ଦ୍ଦେଶ ଦେଉଛି।