-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
07-Oct-2026
ସମ୍ବଲପୁର: (ସଂଜୀବ ପାଣିଗ୍ରାହୀ )-ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ଓ କାର୍ଯ୍ୟକାରିତା ସମୀକ୍ଷା ପାଇଁ ଆସେମ୍ବଲି କନଷ୍ଟିଚୁଏନ୍ସି ଡେଭଲପମେଣ୍ଟ କମିଟି (ଏସିଡିସି)ର ଏକ ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା। ବିରୋଧୀ ଦଳ ଉପ ନେତା ତଥା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ବୈଠକରେ ଅଧ୍ୟକ୍ଷତା କରିଥିଲେ।
ଏସିଡିସିର ସଦସ୍ୟ-ଆବାହକ ତଥା ସମ୍ବଲପୁର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ରେଢ଼ାଖୋଲ ବ୍ଲକ୍ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, କେନ୍ଦୁଲିଫ୍ ଡିଏଫ୍ଓ କ୍ଷୀରୋଦ କୁମାର ବେହେରାଙ୍କ ସମେତ ବିଭିନ୍ନ ବିଭାଗର ପ୍ରତିନିଧି ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ ବିଧାୟକ ଲାଡ୍ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧୀନରେ ଚାଲୁଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି ଓ ଅଗ୍ରଗତି ନେଇ ବିଭାଗୱାରୀ ଆଲୋଚନା କରାଯାଇଥିଲା। ସ୍ୱାସ୍ଥ୍ୟ, ପ୍ରାଣୀସେବା, ପୂର୍ତ୍ତ, ବିଦ୍ୟୁତ୍ ସେବା ଓ ପାନୀୟ ଜଳ ଯୋଗାଣ ଭଳି ଜନସାଧାରଣଙ୍କ ସହ ସିଧାସଳଖ ଜଡ଼ିତ କ୍ଷେତ୍ରର କାର୍ଯ୍ୟ ଉପରେ ସମୀକ୍ଷା ହୋଇଥିଲା। ଏହା ସହ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ, ସାର୍ବଜନୀନ ସ୍ଥାନରେ ଶୌଚାଳୟ ନିର୍ମାଣ ଏବଂ ଉଠା ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ମଧ୍ୟ ଆଲୋଚନା ହୋଇଥିଲା। ବିଧାୟକ ଶ୍ରୀ ଆଚାର୍ଯ୍ୟ ବିଭାଗୀୟ ଅଧିକାରୀଙ୍କ ସହ ପ୍ରକଳ୍ପଗୁଡ଼ିକର ଭୌତିକ ଓ ଆର୍ଥିକ ସ୍ଥିତି ସମୀକ୍ଷା କରିଥିଲେ। ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ସହ ଗୁଣାତ୍ମକ ମାନ ବଜାୟ ରଖିବାକୁ ସେ ବିଭାଗୀୟ ପ୍ରତିନିଧିମାନଙ୍କୁ କହିଥିଲେ। ପ୍ରକଳ୍ପଗୁଡ଼ିକର ନିୟମିତ ତଦାରଖ ଓ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରହିଲେ କାର୍ଯ୍ୟ ଠିକ୍ ଭାବେ ଆଗେଇବ ବୋଲି ସେ ମତ ଦେଇଥିଲେ। ତେବେ ବୈଠକରେ କେତେକ ବିଭାଗୀୟ ଉଚ୍ଚ ଅଧିକାରୀ ଅନୁପସ୍ଥିତ ଥିବାରୁ ବିଧାୟକ ଶ୍ରୀ ଆଚାର୍ଯ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ରେଢ଼ାଖୋଲ ଉପଜିଲ୍ଲାପାଳ ଓ ସଦର ଉପଜିଲ୍ଲାପାଳ ମଧ୍ୟ ବୈଠକରେ ଯୋଗ ଦେଇନ ଥିଲେ । ପ୍ରକଳ୍ପଗୁଡ଼ିକର ତଦାରଖ ଠିକ୍ ସମୟରେ ହେଉନଥିବା ଏବଂ କେତେକ କ୍ଷେତ୍ରରେ ଫିଜିବିଲିଟି ରିପୋର୍ଟ ଦାଖଲ ହେଉନଥିବା ନେଇ ଅଭିଯୋଗ ଉଠିଥିଲା। ଏହି ପ୍ରସଙ୍ଗଗୁଡ଼ିକରେ ଅଧିକାରୀମାନେ ଦାୟିତ୍ୱର ସହ କାମ କରିବା ସହ ନିୟମିତ ଅଗ୍ରଗତି ସୂଚନା ଦେବା ଉପରେ ଆଲୋଚନା ହୋଇଥିଲା। ବୈଠକରେ ହୀରାଲାଲ ବେହେରା, ଅରୁଣ ପ୍ରଧାନ, ପିଣ୍ଟୁ ପ୍ରଧାନ, ମନୋଜ ମହାପାତ୍ର ଓ ବିନୋଦ ବଡ଼ପଣ୍ଡା, ରାଜକିଶୋର ପ୍ରଧାନ ମଞ୍ଚାସୀନ ଥିଲେ।ନିର୍ବାଚନମଣ୍ଡଳୀର ସାମଗ୍ରିକ ବିକାଶ ପାଇଁ ସମସ୍ତ ବିଭାଗ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିବା ଏବଂ ସରକାରୀ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ବିଧାୟକ ଶ୍ରୀ ଆଚାର୍ଯ୍ୟ ପରାମର୍ଶ ଦେଇଥିଲେ।