-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
06-Sep-2026
ତୁଷୁରା (ପଞ୍ଚାନନ ନାଏକ) ତୁଷୁରାସ୍ଥିତ ତୋଷାଳୀ ବିଦ୍ୟାମନ୍ଦିର ପରିସରରେ ପ୍ରକୃତିକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସାହିତ୍ୟିକ ଓ ଶିକ୍ଷଣୀୟ ସଭା ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ଶୁଭାରମ୍ଭରେ ଗଙ୍ଗାଧର ମେହେରଙ୍କ ରଚିତ ‘ବିଶ୍ୱଜୀବନ ହେ’ ସ୍ୱାଗତ ସଙ୍ଗୀତ ଦେବାଶିଷ ମହାପାତ୍ରଙ୍କ ସଙ୍ଗୀତ ସଂଯୋଜନାରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପରିବେଷଣ କରାଯାଇଥିଲା। ସଭାପତି ହେମନ୍ତ ସାହୁ ସଭା ପରିଚାଳନା କରିବା ସହ ଗଙ୍ଗାଧର ମେହେରଙ୍କ ଜୀବନ, ଦର୍ଶନ ଓ ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ। ଗଙ୍ଗାଧରଙ୍କ ଆଦର୍ଶ ଓ ମାନବିକ ମୂଲ୍ୟବୋଧ ଛାତ୍ରଛାତ୍ରୀଙ୍କ ଜୀବନକୁ ଉତ୍ତମ ଦିଗଦର୍ଶନ ଦେଇପାରିବ ବୋଲି ସେ ପ୍ରକାଶ କରିଥିଲେ। ସଭାର ମୁଖ୍ୟ ଅତିଥି ଶିକ୍ଷାବିତ୍ ଲକ୍ଷ୍ମୀକାନ୍ତ ଷଡ଼ଙ୍ଗୀ ଗଙ୍ଗାଧର ମେହେରଙ୍କ ସାହିତ୍ୟ ସାଧନା ସମ୍ପର୍କରେ ଆଲୋଚନା କରିବା ସହ ତାଙ୍କର ପ୍ରମୁଖ କୃତିଗୁଡ଼ିକର ସାରଗର୍ଭିତ ବିଶ୍ଳେଷଣ କରିଥିଲେ। ମୁଖ୍ୟ ବକ୍ତା ଶ୍ୟାମସୁନ୍ଦର ପ୍ରଧାନ ଗଙ୍ଗାଧର ମେହେରଙ୍କ ଅମର କୃତି ‘କୀଚକ ବଧ’ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ‘କୀଚକ ବଧ’ରେ ନିହିତ ନ୍ୟାୟ, ସାହସ, ନାରୀ ସମ୍ମାନ ଛାତ୍ରଜୀବନ ପାଇଁ ବିଶେଷ ଶିକ୍ଷଣୀୟ ବୋଲି ସେ ମତ ଦେଇଥିଲେ।ବିଦ୍ୟାଳୟର ଏମ୍.ଡି. ଦେବାଶିଷ ମହାପାତ୍ର ଗଙ୍ଗାଧର ମେହେରଙ୍କ ଆଦର୍ଶ, ଚିନ୍ତାଧାରା ଓ ସାହିତ୍ୟକୃତି ଉପରେ ଆଲୋକପାତ କରିଥିଲେ। ଗଙ୍ଗାଧରଙ୍କ ସାହିତ୍ୟରେ ମାଟି, ମଣିଷ ଓ ପ୍ରକୃତିର ଯେଉଁ ଅନନ୍ୟ ସମନ୍ୱୟ ରହିଛି, ତାହାକୁ ଆଜିର ଛାତ୍ରସମାଜ ଅନୁସରଣ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ। ଶେଷରେ ବିଦ୍ୟାଳୟର ଶିକ୍ଷକ ରୋହିତ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅତିଥିମାନଙ୍କ ସକ୍ରିୟ ସହଯୋଗରେ ଆୟୋଜିତ ଗଙ୍ଗାଧର ଜୟନ୍ତୀ ସମାରୋହଟି ସାର୍ଥକ ଓ ସ୍ମରଣୀୟ ହୋଇଥିଲା।