-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
22-Jul-2026
ବଲାଙ୍ଗୀର,କଣ୍ଟାବାଞ୍ଜି ସହର ଓ ଏହାର ଆଖପାଖ ଗ୍ରାମାଞ୍ଚଳର ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ୟାପକ ସୁଧାର ଓ ଭିତ୍ତିଭୂମିର ଉନ୍ନତି ପାଇଁ ଆଜି କଣ୍ଟାବାଞ୍ଜି ନାଗରିକ କମିଟିର ଏକ ପ୍ରତିନିଧି ଦଳ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO)ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ନାଗରିକ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଚିକିତ୍ସାଳୟର ସାଧାରଣ ୱାର୍ଡରେ ମାତ୍ର ୪୦ଟି ବେଡ୍ ରହିଛି, ଯାହା ମଧ୍ୟରୁ ଅନେକ ଭଙ୍ଗା ଓ କଳଙ୍କିତ ଅବସ୍ଥାରେ ଥିବାରୁ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ସେହିପରି ଗର୍ଭବତୀ ମହିଳାଙ୍କ ସେବା ପାଇଁ ଅଧିକ ୨ ଜଣ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ଆବଶ୍ୟକତା ଥିବା ବେଳେ ପ୍ରସୂତି ବିଭାଗର ଅପରେସନ ଥିଏଟର (OT) ଦୀର୍ଘ ଦିନ ହେବ ଅଚଳ ହୋଇ ପଡ଼ିରହିଛି। ଏହାଫଳରେ ଜରୁରୀକାଳୀନ ପରିସ୍ଥିତିରେ ରୋଗୀମାନେ ବେଲପଡ଼ା କିମ୍ବା ପାଟଣାଗଡ଼ ଦୌଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହା ବ୍ୟତୀତ ହସ୍ପିଟାଲର ଏକ୍ସ-ରେ ସେବା ବନ୍ଦ ରହିବା, ଦାନ୍ତ ଓ ଫିଜିଓଥେରାପି ଓପିଡି (OPD) ଅଚଳ ରହିବା ଏବଂ ମାଗଣା ଆବଶ୍ୟକୀୟ ଔଷଧର ଘୋର ଅଭାବ ଯୋଗୁଁ ସ୍ଥାନୀୟ ଗରିବ ଜନସାଧାରଣ ବାହାରୁ ଚଢ଼ା ଦାମରେ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି। ହସ୍ପିଟାଲରେ ୪ଟି OPD ରୁମ ମଧ୍ୟରୁ ମାତ୍ର ଗୋଟିଏ କାର୍ଯ୍ୟକ୍ଷମ ଥିବା ବେଳେ ବାକି ୩ଟି ଭଙ୍ଗା ଅବସ୍ଥାରେ ରହିଛି। ଶୌଚାଳୟଗୁଡ଼ିକର ନିୟମିତ ସଫେଇ ଓ ପିଇବା ପାଣି ପାଇଁ ୱାଟର କୁଲରଗୁଡ଼ିକର ତୁରନ୍ତ ମରାମତି କରିବା ସହ ରୋଗୀ ପଞ୍ଜୀକରଣ ପାଇଁ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତ କରିବାକୁ କମିଟି ଦୃଢ଼ ଦାବି କରିଛି।
ସ୍ମାରକପତ୍ର ଗ୍ରହଣ କରିବା ପରେ CDMO ସମସ୍ୟାଗୁଡ଼ିକର ସମାଧାନ ପ୍ରତି ବିଶେଷ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ଶବ ବ୍ୟବଚ୍ଛେଦ (Post-Mortem) ବିଭାଗ ପାଇଁ ଜଣେ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ସାରିଛି ବୋଲି ସେ ପ୍ରତିନିଧି ଦଳକୁ ଜଣାଇଛନ୍ତି।
ଜୋରଦାର ଆନ୍ଦୋଳନ ଓ ପଦଯାତ୍ରା ଚେତାବନୀ:
ନାଗରିକ କମିଟି ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି ଯେ, ଯଦି ଆଗାମୀ ଦିନରେ ଏହି ସବୁ ଦାବିଗୁଡ଼ିକ ତୁରନ୍ତ ପୂରଣ କରାନଯାଏ, ତେବେ କମିଟି ତରଫରୁ ଜୋରଦାର ଆନ୍ଦୋଳନ କରାଯିବ। କଣ୍ଟାବାଞ୍ଜି ମା' ଦୁଆରସନୀଙ୍କ ପୀଠରୁ ବଲାଙ୍ଗୀର CDMO ଅଫିସ୍ ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା କରାଯିବ ବୋଲି ପ୍ରତିନିଧି ଦଳ ଚେତାବନୀ ଦେଇଛନ୍ତି।
ଏହି ସ୍ମାରକପତ୍ର ପ୍ରଦାନ ସମୟରେ ନାଗରିକ କମିଟିର ସଭାପତି ବିଶାଳ ତାଣ୍ଡି, ଉପସଭାପତି ରାଜୁ ଛତ୍ରିଆ, ଯୁଗ୍ମ ସମ୍ପାଦକ ଲୋକେଶ ଭୋଇ, ସଦସ୍ୟ ଲକି ପାନିକା, ଦୁଃଖନାଶନ ମଲ୍ଲିକ ଓ ଜୟନ୍ତ ବାଞ୍ଛୋର ଉପସ୍ଥିତ ଥିଲେ। ଏହି ଦାବିପତ୍ରକୁ KMMର ଜିତୁ ନାୟକ, wyom ଥବିର ପ୍ରମୁଖ ସମର୍ଥନ ଜଣାଇବା ସହ ସକ୍ରିୟ ସହଯୋଗ କରିଥିଲେ।