-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
23-May-2026
ବଲାଙ୍ଗୀର (ପ୍ରେରଣା ଖବର ): ଗତକାଲି ୨୨. ୦୫. ୨୦୨୬ ରବିବାର ରାତି ପ୍ରାୟ ସାଢ଼େ ୧୧ ଟା ସମୟରେ ବାଲାଙ୍ଗୀରରେ କାର୍ଯ୍ୟରତ ଆଇନଜୀଵୀ ତଥା ସେଣ୍ଟ୍ରାଲ ନୋଟାରୀ ଗୋବିନ୍ଦ ବେହେରାଙ୍କ ୬୦ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇ ଯାଇଛି। ଗତକାଲି ରାତିରେ ନିଜ ହସ୍ପିଟାଲ ରୋଡ଼ ସ୍ଥିତ ବାସଭବନରେ ହଠାତ୍ ଶ୍ରୀ ବେହେରା ଛାତିରେ ଯନ୍ତ୍ରଣା
ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଭୀମ ଭୋଇ ମେଡିକାଲରେ ଭର୍ତି କରାଯାଇ ଥିଲା। ତେବେ ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ୱେ ରାତି ସାଢ଼େ ୧୧ ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ୍ୟୁଶଯ୍ୟାରେ ତାଙ୍କର ପୁଅ ଓ ବିଧବା ପତ୍ନୀ ଉପସ୍ଥିତ ଥିବା ବେଳେ ବେଙ୍ଗଲୋରରେ ରହୁଥିବା ଝିଅ ଆସିଲା ପରେ ଅନ୍ତେଷ୍ଟି କ୍ରିୟା ଅନୁଷ୍ଠିତ ହେବ ବୋଲି ପରିବାର ସୂତ୍ରରୁ ପ୍ରକାଶ। ଗୋବିନ୍ଦ ବେହେରା ଜଣେ ଆମାୟିକ ଓ ଭଦ୍ର ମଣିଷ ଭାବରେ ପରିଚିତ ଥିଲେ। ୧୯୯୪ ମସିହା ଏପ୍ରିଲ ୮ତାରିଖରେ ବଲାଙ୍ଗୀର ଜିଲ୍ଲା ବାର୍ ରେ ଜଣେ ଓକିଲ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରି ଥିଲେ ଗୋବିନ୍ଦ ବେହେରା। ତତ୍କାଳୀନ ବରିଷ୍ଠ ଆଇନଜୀବୀ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ଜୁନିୟର ଭାବରେ ନିଜର ଓକିଲାତି ପେଶା ଆରମ୍ଭ କରି ପରବର୍ତ୍ତୀ ସମୟରେ ଶ୍ରୀ ବେହେରା ସେଣ୍ଟ୍ରାଲ ନୋଟାରୀ ଭାବରେ ସଫଳତାର ସହ କାର୍ଯ୍ୟ କରିଥିଲେ। ଜିଲ୍ଲା ଓକିଲ ସଂଘ ର ଯୁଗ୍ମ ସମ୍ପାଦକ ଭାବରେ ଦୁଇ ଦୁଇ ଥର ଦାୟିତ୍ୱ ସମ୍ଭଳି ଥିବା ଶ୍ରୀ ବେହେରା ଜିଲ୍ଲା ବାରିକ ସମାଜର ଜଣେ ସକ୍ରିୟ ସଭ୍ୟ ଭାବରେ ନିଜର ସାଙ୍ଗଠନିକ ଦକ୍ଷତା ପ୍ରତିପାଦନ କରିଥିଲେ। ଶ୍ରୀ ବେହେରାଙ୍କ ଅକାଳ ବିୟୋଗରେ ଆଜି ବଲାଙ୍ଗୀର ସିଭିଲ କୋର୍ଟ ପରିସରରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ତରଫରୁ ଏହି ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା
କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପସଭାପତି ଚିନ୍ମୟ ମିଶ୍ର, ସମ୍ପାଦକ ଅସିତ ଷଡ଼ଙ୍ଗୀଙ୍କ ସମେତ ବରିଷ୍ଠ ଆଇନଜୀବୀ ଆନନ୍ଦ ପାଣିଗ୍ରାହୀ, ରବି ବହିଦାର, ଭବାନୀ ଶଙ୍କର ଶତପଥୀ, ସତ୍ୟ ନାରାୟଣ ନାୟକ, ଦେବେନ୍ଦ୍ର ପାଣିଗ୍ରାହୀ ଜୟକୃଷ୍ଣ ସାହୁ,ପ୍ରମୋଦ ତ୍ରିପାଠୀ, ଅମରେଶ ତ୍ରିପାଠୀ, ସୁରେନ୍ଦ୍ର ମିଶ୍ର,ସଞ୍ଜୟ ବଗର୍ତ୍ତୀ, ସୁଧାଂଶୁ ଦେଓ ଜିତେନ୍ଦ୍ର ପୁରୋହିତ, ଭବାନୀ ଭୋଇ ପ୍ରମୁଖ ସ୍ବର୍ଗତଃ ଗୋବିନ୍ଦ ବେହେରାଙ୍କ ସ୍ମୃତି ଚାରଣ କରିଥିଲେ।