-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
05-Feb-2026
ବରଗଡ଼(ପ୍ରେରଣା ଖବର): ବରଗଡ଼ ଜିଲ୍ଲା ଘେଁସର ଜମିଦାର ସହିଦ ମାଧୋ ସିଂହ ଓ ତାଙ୍କ ସହିଦ ପରିବାରଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ସ୍ବାଧୀନତା ସଂଗ୍ରାମରେ ସେମାନଙ୍କ ଅବଦାନ ଉପରେ ଗବେଷଣା ଲାଗି ଲୋକସଭାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଦାବି କରିଛନ୍ତି। ଇଂରେଜ ସରକାରକୁ ବାର୍ଷିକ ମାତ୍ର ୩୫୬ ଟଙ୍କା ରାଜସ୍ବ ଦେଇ ଜମିଦାରୀ ବଞ୍ଚାଇ ସହିଦ ମାଧଵୋ ସିଂହ ଏହାର ବିରୋଧ କରିଥିଲେ। ୭୧ ବର୍ଷ ବୟସରେ ସେ ଇଂରେଜ ସରକାର ବିରୋଧରେ ସଶସ୍ତ୍ର ବିଦ୍ରୋହରେ ସାମିଲ ହୋଇଥିଲେ। ତାଙ୍କ ସହ ତାଙ୍କର ଚାରିପୁଅ ସାତେ, କୁଞ୍ଜଲ, ବୈରୀ ଓ ଐରୀ ମଧ୍ୟ ଲଢ଼େଇରେ ସାମିଲ ହୋଇଥିଲେ। ୧୯ ଜାନୁଆରୀ ୧୮୫୮ ପର୍ଯ୍ୟନ୍ତ ମାଧୋ ସିଂହ ସିଙ୍ଗୋଡଘାଟି ସମେତ ଅନେକ ସ୍ଥାନରେ ଇଂରେଜ୍ ମୁକାବିଲା କରିଥିଲେ। ୩୧ ଡିସେମ୍ବର ୨୮୫୮ରେ ଗୋରା ସରକାର ସମ୍ବଲପୁରରେ ତାଙ୍କୁ ଫାଶୀ ଦେଇଥିଲା। ଏହାପରେ ତାଙ୍କ ଚାରି ବୀରପୁତ୍ର ୧୮୬୪ ପର୍ଯ୍ୟନ୍ତ ଇଂରେଜ ବିରୋଧରେ ସଂଗ୍ରାମ ଜାରି ରଖିଥିଲେ। ହାତେଙ୍କୁ କଳାପାଣି ସଜା ଦିଆଯାଇଥିବା ବେଳେ କୁଞ୍ଜଲଙ୍କୁ ଇଂରେଜ ସରକାର ଫାଶୀ ଦେଇଥିଲା। ସେହିପରି ବୈରୀଙ୍କୁ ଆଜୀବନ କାରାଦଣ୍ଡ ଓ ଐରୀଙ୍କୁ ଅମାନୁଷିକ ହତ୍ୟା କରାଯାଇଥିଲା। ଏହି ବୀର ପିତାପୁତ୍ରଙ୍କ ଦୁର୍ଲଭ ବଳିଦାନକୁ ସମ୍ମାନ ଜଣାଇ ଘେଁସ ବିଦ୍ରୋହ ଉପରେ ପ୍ରାମାଣିକ ଗବେଷଣା ସହ ରାଷ୍ଟ୍ରୀୟ ସ୍ମାରକୀ ପ୍ରତିଷ୍ଠା କରାଯିବାକୁ ସାଂସଦ ଶ୍ରୀ ପୁରୋହିତ ଦାବି କରିଛନ୍ତି। ସେହିପରି ତାଙ୍କ ନାମରେ ଜାତୀୟ ଯୋଜନାର ନାମକରଣ ଓ ରାଷ୍ଟ୍ରୀୟ ସଂସ୍ଥାନର ନାମକରଣ କରାଯିବାକୁ ଶ୍ରୀ ପୁରୋହିତ ଲୋକସଭାରେ ଦାବି କରିଛନ୍ତି।