-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
21-Feb-2025
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କାଶିପାଲି ଠାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଅଛି। ଫେବୃଆରୀ ୨୧ ତାରିଖରେ ବିଶ୍ୱବ୍ୟାପୀ ପାଳିତ ଏହି ଅବସରରେ, ମାତୃଭାଷାକୁ ବ୍ୟକ୍ତିର ପରିଚୟ ଏବଂ ଐତିହ୍ୟର ଏକ ଅତ୍ୟାବଶ୍ୟକ ଅଂଶ ଭାବରେ ସଂରକ୍ଷଣ କରିବାର ଗୁରୁତ୍ୱ ଉପରେ ଧ୍ୟାନ ଦିଆଯାଇଥିଲା। ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପବିତ୍ର ମହାପାତ୍ର ସଭାପତିତ୍ବ କରିଥିଲେ। ସହକାରୀ ଶିକ୍ଷକ ପ୍ରଦୀପ କୁମାର ପଧାନ ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ଅତିଥିବୃନ୍ଦ ତଥା ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ।
ମୁଖ୍ୟ ଅତିଥି ଭାବେ ଗ୍ରାମର ଭଦ୍ରବ୍ୟକ୍ତି ମାନଭଞ୍ଜନ ପଧାନ ଯୋଗଦେଇ ତାଙ୍କ ଅଭିଭାଷଣରେ ଭାଷାର ଉତ୍ପତ୍ତି ଠାରୁ ଆରମ୍ଭ କରି ତାର ଅଭିବୃଦ୍ଧି ପର୍ଯ୍ୟନ୍ତ ପ୍ରାଞ୍ଜଳ ଭାବେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ପ୍ରଧାନଶିକ୍ଷକ ସୁଦାମ ସେଟ ତାଙ୍କ ବ୍ୟକ୍ତବ୍ୟରେ, "ସାରା ବିଶ୍ୱରେ ଆମର ସାଂସ୍କୃତିକ ଐତିହ୍ୟ, ବିବିଧତାକୁ ସଂରକ୍ଷଣ ଏବଂ ବିକାଶ କରିବାର ସବୁଠାରୁ ଶକ୍ତିଶାଳୀ ଉପାୟ ହେଉଛି ଭାଷା।" ବୋଲି କହିଥିଲେ। ତତ୍ସଙ୍ଗେ ମାତୃଭାଷାର ସୁରକ୍ଷା ଓ ସଂରକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ପରିଚାଳନା କମିଟି ସଭ୍ୟ ରମେଶ ପଧାନ ସ୍ଵଭାବ କବି ଗଙ୍ଗାଧର ମେହେର ଓ ପଦ୍ମଶ୍ରୀ ହଳଧର ନାଗଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।
ଭାଷାଗତ ବିବିଧତା ପ୍ରଦର୍ଶନ ପାଇଁ ଦିନସାରା ବିଭିନ୍ନ କାର୍ଯ୍ୟକଳାପ ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ମାତୃଭାଷାରେ ପଦ୍ୟାବୃତ୍ତି, ଗଳ୍ପ କଥନ, ବକ୍ତୃତା , କୁଇଜ୍, ଚିତ୍ରାଙ୍କନ ଇତ୍ୟାଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ l ଏଥିରେ ବିଦ୍ୟାଳୟର ଶିକ୍ଷକ ଗୋବିନ୍ଦ ବାଗ, ଦେବ ପ୍ରସାଦ ବାଗ, ଦୟାନିଧି ମହାପାତ୍ର ସହଯୋଗ କରିଥିଲେ।
ଏହି ଅବସରରେ ସ୍କୁଲରେ ଏକ ୱାଲ୍ ମାଗାଜିନ୍ " ଅସ୍ମିତା" ଉନ୍ମୋଚିତ ହୋଇଥିଲା । ଯେଉଁଠାରେ ସେମାନେ ଗୀତ, କବିତା, ଗପ ଓ ପ୍ରବନ୍ଧ ପ୍ରଦର୍ଶନ କରିଥିଲେ।ଶେଷରେ, ବରିଷ୍ଠ ଶିକ୍ଷକ ନେହେରୁ ପାଇକ ଧନ୍ୟବାଦ ଅର୍ପଣ କରିଥିଲେ।