-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
21-Feb-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ଅନ୍ତର୍ଗତ ଭଟଲି ବ୍ଲକ ଠାରେ ଜୟ କିସାନ ଆନ୍ଦୋଳନ ର ଆହ୍ୱାନ କ୍ରମେ ତହସିଲଦାର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ତିନି ଦଫା ଦାବି ସଂବଳିତ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଭଟଲି ଟାଉନ ହଲ୍ ଠାରୁ ଏକ ଶୋଭାଯାତ୍ରା ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚି ସେଠାରେ ବ୍ଲକ ସଭାପତି ମାନଭଂଜନ ପ୍ରଧାନ ଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। କୃଷିକ୍ଷେତ୍ରରେ ବ୍ୟବହୃତ ବିଜୁଳି ସଂପୂର୍ଣ୍ଣ ଛାଡ, ପ୍ରତ୍ଯକ ପରିବାର କୁ ଅନ୍ତତଃ ୩୦୦ ୟୁନିଟ ବିଜୁଳି ବିଲ ଛାଡ, ବିଜୁଳି କ୍ଷେତ୍ରରେ କଂପାନି କରଣ ବନ୍ଦ କରାଯାଉ, ଧାନ ବିକ୍ରି ବ୍ଯବସ୍ଥା ରେ ମିଲମାଲିକଙ୍କ ହସ୍ତକ୍ଷେପ ବନ୍ଦ କରିବା ଏବଂ ନାନୋ ସାର କୁ ବାଧ୍ଯ ନ କରିବା ପାଇଁ ମୁଖ୍ଯମନ୍ତ୍ରୀଙ୍କୁ ଏକ ଦାବି ପତ୍ର ଅତିରିକ୍ତ ତହସିଲଦାର ଅଭିରାମ ସେଠ୍ ଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ସଭାରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଂଗରାଜ ଯୋଗଦେଇ କହିଥିଲେ ଯେ ବିଜୁଳି କ୍ଷେତ୍ରରେ କଂପାନି କରଣ ବିରୁଦ୍ଧରେ ପ୍ରଥମ ଆନ୍ଦୋଳନ ଭଟଲି ରୁ ଆରମ୍ଭ ହୋଇ ତାହା ସମଗ୍ର ଜିଲ୍ଲା ରେ ଚେତନା ସୃଷ୍ଟି ହେବା ସହିତ ଚାଷୀଙ୍କୁ ଆନ୍ଦୋଳିତ କରିଥିଲା। ଫଳରେ ଟାଟା ପାୱାର ର ଅତ୍ୟାଚାର ପ୍ରଶମିତ ହୋଇଥିଲା ଏବଂ ପରବର୍ତ୍ତୀ ନିର୍ବାଚନ ରେ ତାହା ମୁଖ୍ୟ ପ୍ରସଂଗ ହୋଇଥିଲା। ବର୍ତ୍ତମାନ ମୋହନ ଚରଣ ମାଝୀ ନେତୃତ୍ବାଧିନ ବିଜେପି ସରକାର ଧାନ କ୍ବିଣ୍ଟାଲ ପ୍ରତି ୮୦୦ ଟଙ୍କା ଇନ୍ପୁଟ ସହାୟତା ରାଶି ପ୍ରଦାନ କରିଛନ୍ତି ସତ କିନ୍ତୁ ମଣ୍ଡି ରେ କଟଣି ଛଟଣି ଏବଂ ମିଲରମାନଙ୍କ ଦାଦାଗିରୀ ପୂର୍ବ ବର୍ଷ ଠାରୁ ବହୁତ ଅଧିକ ଦେଖିବାକୁ ମିଳିଥିଲା।
ଏଥି ସହିତ ଚଳିତ ଖରିଫ ଋତୁରେ ନାନୋ ସାର କୁ ବାଧ୍ଯ କରାଯାଇଛି। ଏଣୁ ଏହି ସବୁ ଦାବି କୁ ନେଇ ସରକାର ଗମ୍ଭୀରତା ର ସହ ଚିନ୍ତାକରି ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରନ୍ତୁ ଅନ୍ୟଥା ଜିଲ୍ଲା ବ୍ଯାପି ଆନ୍ଦୋଳନ ବ୍ଯାପକ ହେବା ପାଇଁ ଶ୍ରୀ ଲିଂଗରାଜ କହିଥିଲେ। ଫସଲ ଥିବା ସମୟରେ କୌଣସି ପରିସ୍ଥିତିରେ କୌଣସି ଚାଷୀର ବିଜୁଳି କାଟ କଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଜିଲ୍ଲା ସଭାପତି ସୁଶୀଲ କୁମାର ସାହୁ ଏବଂ ସାଧାରଣ ସଂପାଦକ ହର ବଣିଆଁ ସରକାରଙ୍କୁ ଆହ୍ୱାନ ଦେଇଥିଲେ। ଅନ୍ଯମାନଙ୍କ ମଧ୍ୟରେ ଅକ୍ଷୟ ପ୍ରଧାନ, ନରେନ୍ଦ୍ର ନାୟକ, ମୋହନ ସାହୁ, ଜନ୍ମେଞ୍ଜଯ ଠାକୁର, ଭରତ ଚନ୍ଦ୍ର ନାୟକ ଚାଷୀମାନଙ୍କ ସମସ୍ୟା କୁ ନେଇ ବକ୍ତବ୍ଯ ପ୍ରଦାନ କରାଯାଇଥିଲା। ମିନିଷ୍ଟର ବାରିକ ଦାବିପତ୍ର ପଠନ କରିଥିଲେ।